ଫାଇନାଲ୍ ପରେ ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ଶାମିଙ୍କୁ କଲେ ଆଲିଙ୍ଗନ
20/11/2023 at 9:30 PM

ଅହମ୍ମଦାବାଦ: ୧୨ ବର୍ଷ ପରେ ବିଶ୍ଵକପ୍ ଟ୍ରଫି ଜିତିବା ସ୍ଵପ୍ନ ଚୂରମାର ହୋଇଛି। ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦଳ ଭାରତକୁ ୬ ଓ୍ଵିକେଟ୍ରେ ହରାଇ ଷଷ୍ଠ ଥର ବିଶ୍ଵ ବିଜେତା ହୋଇଛି। ଏହି ପରାଜୟ ଭାରତୀୟ ଦଳକୁ ମର୍ମାହତ କରିଛି। ଭାରତୀୟ ଖେଳାଳିଙ୍କ ଲୋତକଭରା ଆଖି ଓ ଭାବୁକ ମୁହୂର୍ତ୍ତର ଫଟୋ ସାମ୍ନାକୁ ବି ଆସିଛି। ରୋହିତ ଶର୍ମା, ବିରାଟ କୋହଲି ଓ ମହମ୍ମଦ ସିରାଜ ସମେତ ସବୁ ଖେଳାଳିଙ୍କ ଭାବୁକ ଦୃଶ୍ୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ୍ରେସିଂ ରୁମରେ ଭାରତୀୟ ଖେଳାଳିଙ୍କୁ ଭେଟିଛନ୍ତି। ସେ ଦଳର ପ୍ରତିଟି ଖେଳାଳିଙ୍କୁ ଶାନ୍ତ୍ଵନା ଦେବା ସହ ଉତ୍ସାହିତ କରିଛନ୍ତି।
Also read- ବିଶ୍ୱକପର ସର୍ବଶ୍ରେଷ୍ଠ ଟିମ୍ ଚୟନ କଲା ଆଇସିସି, ୬ ଭାରତୀୟଙ୍କୁ ମିଳିଲା ସ୍ଥାନ, ରୋହିତ ଶର୍ମା ଅଧିନାୟକ
ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମକୁ ଆସିବାର ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଟୁର୍ଣ୍ଣାମେଣ୍ଟରେ ଆମର ପ୍ରଦର୍ଶନ ବହୁତ ଭଲ ଥିଲା, ମାତ୍ର ଆମେ ହାରିଗଲୁ। ଆମେ ସବୁ ବହୁତ ଦୁଃଖରେ ଅଛୁ। କିନ୍ତୁ ଆମ ଦେଶବାସୀଙ୍କ ସମର୍ଥନ ଆମକୁ ଆଗକୁ ବଢାଉଛି। ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମରେ ପହଞ୍ଚିବା ଆମ ପାଇଁ ବହୁତ ପ୍ରେରଣାଦାୟକ ଥିଲା।
ଶାମିଙ୍କୁ ଆଲିଙ୍ଗନ କଲେ ମୋଦୀ
ଶାମି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ କାଲି ଆମର ଦିନ ନ ଥିଲା। ମୁଁ ପୂରା ଟୁର୍ଣ୍ଣାମେଣ୍ଟରେ ଆମ ଦଳକୁ ଓ ମୋତେ ସମର୍ଥନ ଦେଇଥିବା ସମସ୍ତ ଭାରତୀୟଙ୍କୁ ଧନ୍ୟବାଦ ଜଣାଉଛି। ବିଶେଷ କରି ଡ୍ରେସିଂ ରୁମ ଆସିବା ଓ ଆମର ଉତ୍ସାହ ବଢାଇବା ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞ। ଆମେ ପୁଣି ପ୍ରତ୍ୟାବର୍ତ୍ତନ କରିବୁ ! ଉଲ୍ଲେଖନୀୟ ଶାମି ବିଶ୍ଵକପ୍ ୨୦୨୩ରେ ୨୪ ଓ୍ଵିକେଟ୍ ନେଇ ସର୍ବାଧିକ ଓ୍ଵିକେଟ୍ହାସଲକାରୀ ବୋଲର ହୋଇଛନ୍ତି।
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲ୍ ମୁକାବିଲା ଦେଖିବା ପାଇଁ ଅନେକ ବଡ଼ ହସ୍ତୀ ପହଞ୍ଚିଥିଲେ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦ୍ଵିତୀୟ ଇନିଂସ ସମୟରେ ଷ୍ଟାଡିୟମରେ ପହଞ୍ଚିଥିଲେ। ପିଏମ ମୋଦୀଙ୍କ ସହିତ ଗୃହ ମନ୍ତ୍ରୀ ଅମିତ୍ ଶାହ ମଧ୍ୟ ନଜର ଆସିଥିଲେ। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବ୍ୟତୀତ ବଲିଉଡର ଅନ୍ୟ ଅଭିନେତା ଓ ଅଭିନେତ୍ରୀ ପହଞ୍ଚିଥିଲେ। ଏଥିରେ ଶାହରୁଖ ଖାନ, ଗୌରୀ ଖାନ, ଆଶା ଭୋଁସଲେ, ଅନୁଷ୍କା ଶର୍ମା, ଆଥିଆ ସେଟ୍ଟୀ, ରଣବୀର ସିଂ ସମେତ ଅନେକ ତାରକା ଉପସ୍ଥିତ ଥିଲେ।

ମ୍ୟାଚ୍ କେମିତି ଥିଲା ?
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବହୁ କଷ୍ଟରେ ୨୪୦ ରନ କରିଥିଲା। କେଏଲ ରାହୁଲ ୬୬ ରନ କରିଥିବା ବେଳେ ବିରାଟ କୋହଲି ୫୪ ରନ ଓ ରୋହିତ ଶର୍ମା ୪୭ ରନ କରିଥିଲେ। ଜବାବରେ ଟ୍ରେଭିସ୍ ହେଡ୍ଙ୍କ ୧୩୭ ରନ ଓ ଲାବୁସେନଙ୍କ ଅପରାଜିତ ୫୮ ରନ ବଳରେ ୪୩ ଓଭରରେ ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଭାରତୀୟ ବୋଲର ନିରାଶ କରିଛନ୍ତି। ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଜୋସ୍ ହେଜେଲଉଡ ପାଟ୍ କମିନ୍ସ ମାପଚୁପ ବୋଲିଂ ୨ଟି ଲେଖାଏ ଓ୍ଵିକେଟ୍ ନେଇଥିଲେ। ଏହିପରି ଅଷ୍ଟ୍ରେଲିଆ ଆୟୋଜକ ଭାରତକୁ ହରାଇ ଷଷ୍ଠ ଥର ଟାଇଟଲ୍ ଜିତିଛି।