ବିବାଦ ପରେ ସଫେଇ ଦେଲା ରେଲଓ୍ଵେ, ପିଲାଙ୍କ ପାଇଁ ଟିକେଟ୍ ବୁକିଂ ନିୟମରେ ହୋଇନି କୌଣସି ପରିବର୍ତ୍ତନ

Published By : Prameya-News7 Bureau | August 17, 2022 IST

ନୂଆଦିଲ୍ଲୀ: ଭାରତୀୟ ରେଳ ବୁଧବାର ସ୍ପଷ୍ଟ କରିଛି ଯେ ଟ୍ରେନରେ ଯାତ୍ରା କରୁଥିବା ଛୋଟ ଛୁଆଙ୍କ ପାଇଁ ଟିକେଟ୍ ବୁକିଂ ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଏବେ ରେଳ ଭଡା ଦେବାକୁ ପଡିବ। ଏହି ମାମଲାକୁ ନେଇ ବିବାଦ ଏବଂ ଚର୍ଚ୍ଚା ଜୋର ଧରିବାରୁ ରେଲଓ୍ଵେ ଏହି ସମ୍ବନ୍ଧରେ ସ୍ପଷ୍ଟୀକରଣ ଜାରି କରିଛି। ରେଳ ମନ୍ତ୍ରଣାଳୟର ୨୦୨୦ ମାର୍ଚ୍ଚ ୬ରେ  ଜାରି ଏକ ସର୍କୁଲାରରେ କୁହାଯାଇଛି ଯେ, ପାଞ୍ଚ ବର୍ଷରୁ କମ ବୟସର ପିଲା ମାଗଣାରେ ଟ୍ରେନ ଯାତ୍ରା କରି ପାରିବେ। କିନ୍ତୁ ପିଲାଙ୍କ ପାଇଁ ଏକ ଅଲଗା ବର୍ଥ କିମ୍ବା ସିଟ୍ ଉପଲବ୍ଧ କରାଯିବ ନାହିଁ।

ସର୍କୁଲାରରେ ରେଲଓ୍ଵେ ଏହା ମଧ୍ୟ ଜଣାଇଛି ଯେ, ଯଦି ରେଳ ଯାତ୍ରୀଙ୍କୁ ନିଜର ପାଞ୍ଚ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଅଲଗା ସିଟ୍ କିମ୍ବା ବର୍ଥ ଦରକାର ତେବେ ସେଥିପାଇଁ ଯାତ୍ରୀଙ୍କ ପରି ଭଡା ଦେବାକୁ ପଡିବ। ନିକଟରେ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଭାରତୀୟ ରେଳରେ ପାଞ୍ଚ ବର୍ଷରୁ କମ ଯାତ୍ରୀଙ୍କ ପାଇଁ ରେଳ ଟିକେଟ୍ ବୁକିଂ ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ କରାଯାଇଛି। ଏବେ ଏକରୁ ଚାରି ବର୍ଷର ପିଲାଙ୍କ ପାଇଁ ଟ୍ରେନ ଟିକେଟ୍ କାଟିବାକୁ ପଡିବ। ତେବେ ଗଣମାଧ୍ୟମର ଏହି ରିପୋର୍ଟ ଭୁଲ୍ ବୋଲି ରେଲଓ୍ଵେ କହିଛି। ଏହା ସୂଚିତ କରାଯାଉଛି ଯେ, ରେଲଓ୍ଵେ ଟ୍ରେନରେ ଯାତ୍ରା କରୁଥିବା ଛୋଟ ଛୁଆଙ୍କ ଟିକେଟ୍ ବୁକିଂ ନିୟମରେ କୌଣସି ପରିବର୍ତ୍ତନ କରି ନାହିଁ।

ରେଲଓ୍ଵେ ଏହା ମଧ୍ୟ କହିଛି, ଯାତ୍ରୀଙ୍କ ଦାବିକ୍ରମେ ସେମାନଙ୍କୁ ଟିକେଟ୍ କିଣିବା ଏବଂ ନିଜ ପାଞ୍ଚ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ବର୍ଥ ବୁକ୍ କରିବାର ବିକଳ୍ପ ଦିଆଯାଇଛି। ଯଦି ସେମାନଙ୍କୁ ଅଲଗା ବର୍ଥ ଦରକାର ନାହିଁ ତେବେ ଛୋଟ ପିଲା ପୂର୍ବଭଳି ମାଗଣାରେ ଯାତ୍ରା କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.