କେନ୍ଦ୍ର ପରେ କେରଳ ସରକାର ହ୍ରାସ କଲେ ଟ୍ୟାକ୍ସ, ଏତିକି ଶସ୍ତା ହେଲା ପେଟ୍ରୋଲ-ଡିଜେଲ୍
21/05/2022 at 10:58 PM

ଥିରୁଅନନ୍ତପୁରମ: କେନ୍ଦ୍ର ସରକାରଙ୍କ ତରଫରୁ ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପରେ କେରଳ ସରକାର ମଧ୍ୟ ରାଜ୍ୟବାସୀଙ୍କୁ ଡବଲ୍ ଖୁସି ଦେଇଛନ୍ତି। କେରଳ ସରକାର ପେଟ୍ରୋଲ ଏବଂ ଡିଜେଲ୍ ଉପରେ କ୍ରମଶଃ ୨.୪୧ ଟଙ୍କା ଏବଂ ୧.୩୬ ଟଙ୍କା ଭାଟ୍ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏବେ ଅନ୍ୟ ରାଜ୍ୟ ଭାଟ୍ କେତେ କମ କରୁଛନ୍ତି ତାହା ଦେଖିବା ବାକି ରହିଲା।
ଇନ୍ଧନ ଉତ୍ପାଦର ଆକାଶଛୁଆଁ ଦର ବୃଦ୍ଧିରେ ବେହାଲ ସାଧାରଣ ଜନତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଶେଷରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରୁ ୮ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୬ ଟଙ୍କା ଏକ୍ସାଇଜ ଡ୍ୟୁଟି କମ କରିଛନ୍ତି ସରକାର। ଉତ୍ପାଦ ଶୁଳ୍କ ହ୍ରାସ ପରେ ପେଟ୍ରୋଲ ୯.୫୦ ଟଙ୍କା ଏବଂ ଡିଜେଲ୍ ୭ ଟଙ୍କା ଶସ୍ତା ହୋଇଛି।
ଇନ୍ଧନ ସହ ଗରିବ ଲୋକଙ୍କୁ ମଧ୍ୟ ବଡ଼ ଆଶ୍ୱସ୍ତି ଦେଇ ମହଙ୍ଗା ଗ୍ୟାସ ସିଲିଣ୍ଡର କିଣୁଥିବା ଗ୍ରାହକଙ୍କୁ ମଧ୍ୟ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସରକାର। ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରି କହିଛନ୍ତି, ‘ଆମେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୯ କୋଟିରୁ ଅଧିକ ଲାଭାର୍ଥୀଙ୍କୁ ୨୦୦ ଟଙ୍କା ପ୍ରତି ଗ୍ୟାସ ସିଲିଣ୍ଡର (୧୨ଟି ସିଲିଣ୍ଡର ଯାଏଁ)ର ସବସିଡି ପ୍ରଦାନ କରିବେ। ଏହାଦ୍ୱାରା ଆମ ମାଆ, ଭଉଣୀଙ୍କୁ ବହୁ ଉପକୃତ ହେବେ’।