ସମ୍ପୂର୍ଣ୍ଣ ଫେରି ପାରିନି ୨ହଜାର ଟଙ୍କା ନୋଟ୍, ଜାଣନ୍ତୁ RBI କହିଲେ କେତେ ରହିଛି ବାକି

Published By : Prameya-News7 Bureau | March 02, 2024 IST

ମୁମ୍ବାଇ ୨।୩:  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୨ ହଜାର ଟଙ୍କା ନୋଟ୍‌କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଆରବିଆଇ କହିଛନ୍ତି ଯେ ପ୍ରଚଳନରୁ ବାହାର ହେବା ପରେ ଏପର୍ଯ୍ୟନ୍ତ ୯୭.୬୨ ପ୍ରତିଶତ ନୋଟ୍‌ ଫେରି ଆସିଛି। ତେବେ ୮,୪୭୦ କୋଟି ଟଙ୍କାର ୨ ହଜାର ଟଙ୍କା ନୋଟ୍ ଏବେବି ସିଷ୍ଟମରେ ରହିଛି। ଆରବିଆଇଙ୍କ ଆଦେଶ ମୁତାବକ ୨ହଜାର ଟଙ୍କା ନୋଟର ଏବେବି ବୈଧତା ରହିଛି। ଆରବିଆଇ ତାଙ୍କ ଅଧିକାରୀକ ବୟାନରେ କହିଛନ୍ତି ଯେ ୨୯ ଫେବୃଆରୀ ୨୦୨୪ କାରବାର ବନ୍ଦ ହେବା ସୁଧା ୮,୪୭୦ କୋଟି ଟଙ୍କାର ୨ ହଜାର ଟଙ୍କା ନୋଟ୍‌ ବଳକା ରହିଯାଇଛି।

୧୯ ମେ ୨୦୨୩ରେ ଆରବିଆଇ ୨ହଜାର ଟଙ୍କା ନୋଟକୁ ପ୍ରଚଳନରୁ କାଢିବା ବେଳେ ଦେଶରେ ୩.୫୬ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କା ନୋଟ ସିଷ୍ଟମରେ ଥିଲା। ଏଣୁ ଏହି ଟଙ୍କାକୁ ବ୍ୟାଙ୍କରେ ଫେରାଇ ତା ବଦଳେ ଟଙ୍କା ନେଇଯିବାକୁ ଆରବିଆଇ ସମୟସୀମା ଧାର୍ଯ୍ୟ କରିଥିଲେ। ଆରବିଆଇ କହିଥିଲେ ଯେ  କେହିବି ବ୍ୟକ୍ତି ୭ ଅକ୍ଟୋବର ୨୦୨୩ ସୁଧା ୨ ହଜାର ଟଙ୍କା ନୋଟ ବଦଳାଇ ପାରିବେ। ସାଧାରଣ ଲୋକଙ୍କ ନିମନ୍ତେ ଆରବିଆଇ ଦେଶର ସବୁ ବ୍ୟାଙ୍କ ଶାଖାରେ ଲୋକଙ୍କୁ ନୋଟ ବଦଳାଇବା ପାଇଁ ସୁବିଧା ପ୍ରଦାନ କରିଥିଲେ।

ଏହା ପରେ ୯ ଅକ୍ଟୋବର ୨୦୨୩ରେ ଆରବିଆଇ ନିଜ ଦପ୍ତରରେ ଲୋକଙ୍କୁ ଟଙ୍କା ବଦଳାଇବାର ସୁବିଧା ପ୍ରଦାନ କରିଥିଲେ। ଏହା ଛଡା ସାଧାରଣ ନାଗରିକଙ୍କୁ ଦେଶର କୌଣସି ଡାକଘରେ ମଧ୍ୟ ଏହି ଉଚ୍ଚମାନର ମୁଦ୍ରାକୁ ବଦଳାଇ ପାରିବାର ସୁବିଧା ଦେଇଥିଲେ। ଆରବିଆଇ ନିଜ ଦପ୍ତରରେ କୌଣସି କମ୍ପାନୀ ଅଥବା ବ୍ୟକ୍ତିଙ୍କୁ ୨ ହଜାର ଟଙ୍କା ନୋଟ ବଦଳାଇବାର ସୁବିଧା ଏପର୍ଯ୍ୟନ୍ତ ପ୍ରଦାନ କରୁଥିଲେ ମଧ୍ୟ ଏବେବି ୮,୪୭୦ କୋଟି ଟଙ୍କାର ୨ହଜାର ଟଙ୍କା ନୋଟ୍ ବଜାରରୁ ଆରବିଆଇଙ୍କ ନିକଟକୁ ଫେରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.