୩୩ ଜଣଙ୍କ ଗିରଫଦାରୀ ପରେ ସ୍ତବ୍ଧ ମଧୁର ଝୋଳି ଗ୍ରାମ, ଶାନ୍ତି ଫେରାଇ ଆଣିବାକୁ ପୋଲିସର ଉଦ୍ୟମ ଜାରି

Published By : Prameya-News7 Bureau | November 04, 2022 IST

ବ୍ରହ୍ମପୁର: ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣାକୁ ନେଇ ମଧୁର ଝୋଳି ଗ୍ରାମ ସ୍ତବ୍ଧ। ୩୩ ଜଣଙ୍କ ଗିରଫଦାରୀ ପରେ ଗାଁ ଖାଁ ଖାଁ । କିଏ ଗିରଫ ହୋଇ ଜେଲ ଯାଇଛି ତ ଆଉ କିଏ ଭୟରେ ଗାଁ ଛାଡି ଚାଲିଯାଇଛନ୍ତି। ଏପରି ସ୍ଥଳେ ଗାଁ ରେ ଶାନ୍ତି ଫେରେଇ ଆଣିବାକୁ ପୋଲିସର ପ୍ରୟାସ ଜାରି ରହିଛି।

ଗତ ୨୭ ତାରିଖରେ ଗ୍ରାମର ଜଣେ ମହିଳାଙ୍କୁ ପିଟି ପିଟି ମାରିଦେବା ଘଟଣାକୁ ୯ ଦିନ ବିତିଛି। ତଥାପି ଗାଁରେ ଭୟର ବାତାବରଣ ଲାଗି ରହିଛି। ପରିସ୍ଥିତି ଏଭଳି ଉପୁଜିଛି ଯେ ଗାଁରେ ରହିଯାଇଛନ୍ତି କେବଳ ବୁଢା ବୁଢ଼ୀ। ସେହିଭଳି  ଗୁହାଳରେ ବନ୍ଧା ହୋଇଛନ୍ତି ଗୃହପାଳିତ ପଶୁ। ପାଣି ପିଇ ବୁଢା ବୁଢି ଭୋକରେ ରହିଥିବା ବେଳେ ଗାଈ ଗୋରୁଙ୍କୁ ମଧ୍ୟ ଦେଉଛନ୍ତି ପାଣି। କିଛି ଦୋଷ ନକରି ଘର ଲୋଙ୍କଙ୍କୁ ପୁଲିସ ବାନ୍ଧି ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମର କେତେକ ପରିବାର।

ହତ୍ୟା ଘଟଣାରେ ଯେଉଁ ପରିବାର ସ୍ୱାମୀ ଓ ସ୍ତ୍ରୀ ଗିରଫ ହୋଇଛନ୍ତି, ତାଙ୍କର ବୁଢା ବାପା ମା ଗୁରୁବାର ରାତ୍ରରୁ ଭୋକିଲା ଅଛନ୍ତି। ପିଲାମାନେ କେବେ ଘରକୁ ଫେରିବେ ଏହି ଚନ୍ତା ଅପେକ୍ଷା ପେଟକୁ ମୁଠାଏ ଦାନା ମିଳିବାର ଚିନ୍ତା ଅଧିକ ବଢ଼ାଇ ଦେଇଛି। ଅନ୍ଧ ବିଶ୍ୱାସର ବଶିବର୍ତ୍ତୀ ହୋଇ ଗାଁକୁ ଗୁଣିଆ ଡକାଇ ଥିଲେ।  ଗୁଣିଆ ପାଇଁ ଗାଁ ଏବେ ଅଶାନ୍ତ। ହେଲେ ଗୁଣିଆ ଏବେ କୁଆଡେ ଗଲେ, ଗ୍ରାମବାସୀ ଜାଣିନଥିବା କହିଛନ୍ତି।

ଗାଁରେ ଦୁଇ ଦିନ କୁଆଡେ ଗୁଣିଆ ଆସି ରହିଥିବା ଗ୍ରାମବାସୀ କହିଛନ୍ତି। ଯେଉଁ ଗୁଣିଆ ପାଇଁ ଗାଁ ଏବେ ଅଶାନ୍ତ ସେହି ଗୁଣିଆକୁ ପୁଲିସ କେବେ ଧରିବ ତାକୁ ନେଇ ଉଠିଛି ପ୍ରଶ୍ନ। ସେପଟେ ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ପୁଲିସ ପ୍ରୟାସ କରୁଛି। ଅନ୍ଧ ବିଶ୍ୱାସ ରୁ ଦୁରେଇ ରହି ସୁସ୍ଥ ବାତାବରଣ ସୃଷ୍ଟି କାରିବାକୁ ନିବେଦନ କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ। ଲୋକଙ୍କୁ ଏ ନେଇ ସଚେତନ କରାଯାଉଛି। ଆହୁରି ସଚେତନ କରାଯିବ। ୨୦୧୯ ମସିହାରୁ ଏହା କମିଛି। କେସ ପଞ୍ଜିକରଣ କମିଛି।  ଆହୁରି ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବୁ ବୋଲି କହିଛନ୍ତି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆ ଇ ଜି ସତ୍ୟବ୍ରତ ଭୋଇ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.