ନେପାଳ ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ୱେ ଜେଲରୁ ମୁକୁଳି ପାରିବନି ଚାର୍ଲସ୍ ଶୋଭାରାଜ, ଜାଣନ୍ତୁ କାହିଁକି?
22/12/2022 at 8:15 PM

କାଠମାଣ୍ଡୁ୨୨।୧୨: ବିକନି କିଲର ଭାବେ କୁଖ୍ୟାତ ଚାର୍ଲସ ଶୋଭରାଜକୁ ଜେଲରୁ ମୁକ୍ତ କରିବା ପାଇଁ ନେପାଳ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ୱେ ଜେଲ କର୍ତ୍ତୃପକ୍ଷ ଶୋଭରାଜକୁ ମୁକ୍ତ କରିବା ପାଇଁ ଗୁରୁବାର ମନା କରିଦେଇଛନ୍ତି। ଏହା ଛଡା ଶୋଭରାଜକୁ ଓକିଲଙ୍କ ସହ ସାକ୍ଷାତ ମଧ୍ୟ କରାଇ ଦିଆଯାଇନି। ସୁପ୍ରିମକୋର୍ଟଙ୍କ ରାୟକୁ ଜେଲ ପ୍ରଶାସନ ଅସ୍ପଷ୍ଟ ବୋଲି କହିଛି।
ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ଏଥିରେ ଶୋଭରାଜକୁ କେଉଁ ମୋକଦ୍ଦମାରେ ମୁକ୍ତ କରାଯାଇଛି ତାହା ସ୍ପଷ୍ଟ କରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ ନେପାଳରେ ଚାର୍ଲସ ଶୋଭରାଜ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି। ଦୁଇ ବିଦେଶୀ ଯୁବତୀଙ୍କ ହତ୍ୟା ମାମଲାରେ ସେ ଏବେ ଜେଲଦଣ୍ଡ ଭୋଗ କରୁଛି। ତାକୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି। ଏହା ଛଡା ଶୋଭରାଜ ଜେଲରେ ହୋଇଥିବା ଏକ ହତ୍ୟା ଉଦ୍ୟମ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛି। ଏଣୁ ମାମଲାରେ ସବୁ ସ୍ପଷ୍ଟ ହେବା ପରେ ଶୋଭରାଜକୁ ଜେଲରୁ ଛଡାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ନେପାଳ ସୁ୍ପ୍ରିମକୋର୍ଟ ବୁଧବାର ଚାର୍ଲସ୍ ଶୋଭରାଜକୁ ଜେଲରୁ ମୁକ୍ତ କରିଦେବା ପାଇଁ ରାୟ ଦେଇଥିଲେ। ସେ ଦଣ୍ଡ ଆବଧି ପୁରା କରିସାରିଥିବା କୋର୍ଟ କହିଥିଲେ। ସୁପ୍ରିମକୋର୍ଟଙ୍କ ଜଜ୍ ସପନା ପ୍ରଧାନ ମଲ୍ଲା ଓ ତିଲ ପ୍ରସାଦ ଶ୍ରେଷ୍ଠଙ୍କ ପୀଠ ଶୋଭରାଜକୁ ମୁକ୍ତ କରିଦେବା ପାଇଁ ଆଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଜେଲରୁ ମୁକ୍ତ ହେବା ଲାଗି ଶୋଭରାଜ ଆବେଦନ କରିଥିଲା। ସେ ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ପର୍ଯ୍ୟନ୍ତ ଜେଲରେ ଥିବା ତର୍କ ଦେଇଥିଲା। ଏଥିପାଇଁ ତାକୁ ମୁକ୍ତ କରିଦିଆଯିବା ଦରକାର ବୋଲି ନିବେଦନ କରିଥିଲା।
ସୁପ୍ରିମକୋର୍ଟଙ୍କ ପୀଠ ଶୋଭରାଜର ଆବେଦନକୁ ଗ୍ରହଣ କରିନେବା ସହ ସେହି ଆଧାରରେ ମୁକ୍ତ କରିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ କୋର୍ଟ ତାକୁ ଜେଲରୁ ମୁକ୍ତ କରିବାର ୧୫ ଦିନ ମଧ୍ୟରେ ଦେଶରୁ ବାହାର (ଡିପୋର୍ଟ) କରିଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଅର୍ଥାତ ୧୫ ଦିନ ମଧ୍ୟରେ ତାକୁ ନେପାଳରୁ ଫ୍ରାନ୍ସ ପଠାଇ ଦିଆଯିବ। କୋର୍ଟଙ୍କ ଏହି ଆଦେଶ ପରେ ଇମିଗ୍ରେସନ ବିଭାଗର ଅଧିକାରୀ ତାର ଭିସା ଅବଧି ବଢାଇବା ସହ ଫ୍ରାନ୍ସ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ବିଭାଗ ସମ୍ପର୍କିତ ଅଧିକାରୀଙ୍କ ଅନୁସାରେ ଶୋଭରାଜର ଜେଲ ସାର୍ଟିଫିକେଟ ଓ ଅନ୍ୟ ଡିପୋର୍ଟ ନିଷ୍ପତ୍ତିର ଲିଖିତ ଆଦେଶ ମିଳିବା ପରେ ସର୍ବ ପ୍ରଥମେ ତାର ଭିସାକୁ ୧୫ ଦିନ ଲାଗି ସମ୍ପ୍ରସାରଣ କରାଯିବ। ଶୋଭରାଜର ଭିସା ଅବଧି ବଢାଇ ତାକୁ ଫ୍ରାନ୍ସ ପଠେଇ ଦିଆଯିବ।