ନୂଆଦିଲ୍ଲୀ: ଶିଶୁଙ୍କ ପାଇଁ ମିଳୁଥିବା ପ୍ୟାକେଜ୍ ଫୁଡ୍ ସେରେଲାକର ପ୍ରସ୍ତୁତକାରୀ କମ୍ପାନି ନେସଲେ ଏବେ ସରକାରଙ୍କ ଯାଞ୍ଚ ଘେରରେ। ଭାରତରେ ମିଳୁଥିବା ସେରେଲାକ୍ରେ ଚିନି ରହିଥିବା ଜଣାପଡ଼ିବା ପରେ ଏବେ ନେସଲେ ଉପରେ ସରକାରଙ୍କ ନଜର।
ପ୍ରକୃତରେ, ନିକଟରେ ଆସିଥିବା ଏକ ରିପୋର୍ଟରେ ଜଣାପଡ଼ିଛି ଯେ, ଭାରତରେ ମିଳୁଥିବା ସେରେଲାକ୍ରେ ଚିନି ରହିଛି। ଆଉ ଏହି ରିପୋର୍ଟ ପରେ ଭାରତ ସରକାର ନିଜ ଆଡ଼ୁ ଯାଞ୍ଚ କଥା କହିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଞ୍ଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ଅନୁଯାୟୀ, ନେସଲେ ବେବି ଫୁଡ୍ର ନମୁନା ଯାଞ୍ଚ କରାଯିବ ।
ସୂଚନାଥାଉକି, ନିକଟରେ ଏନେଇ ଖୁଲାସା ହୋଇଥିଲା ଯେ, କିଛି ଦେଶରେ ମିଳୁଥିବା ନେସଲେର ସେରେଲାକରେ ଚିନି ଏବଂ ମହୁର ଅଧିକ ବ୍ୟବହାର ହେଉଛି। ଯେତେବେଳେକି ବେବି ଫୁଡ୍ରେ ଚିନିର ବ୍ୟବହାର ଅନ୍ତରାଷ୍ଟ୍ରୀୟ ମାର୍ଗଦର୍ଶିକାର ଉଲ୍ଲଂଘନ। ଆଉ ଚିନି ମିଶା ସେରେଲାକ ମିଳୁଥିବା ଦେଶଙ୍କ ମଧ୍ୟରେ ରହିଛି ଭାରତ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ଭଳି ଦେଶ। ଅବଶ୍ୟ ନେସଲେ ସଫେଇ ରଖିଛି ଯେ, ଭାରତରେ ସବୁ ନିୟମର ପାଳନ କରାଯାଉଛି।
ରିପୋର୍ଟରେ କୁହାଯାଉଛି ଭାରତରେ ବିକ୍ରି ହେଉଥିବା ସବୁ ସେରେଲାକର ସମସ୍ତ ୧୫ଟି ବେବି ପ୍ରଡକ୍ଟସରେ ୩ ଗ୍ରାମ ଚିନି ମିଳିଛି। ସେହିପରି ଆଫ୍ରିକା, ଇଥିଓପିଆ ଏବଂ ଏସିଆର ଥାଇଲାଣ୍ଡ ଭଳି ଦେଶରେ ସେରେଲାକ୍ରେ ଚିନିର ମାତ୍ରା ୪ରୁ ୬ ଗ୍ରାମ ପର୍ଯ୍ୟନ୍ତ ରହିଛି। ହେଲେ ବଡ଼ କଥା ହେଉଛି ଜର୍ମାନୀ ଏବଂ ବ୍ରିଟେନ ଭଳି ବିକଶିତ ଦେଶରେ ବିକ୍ରି ହେଉଥିବା ଏହି ସବୁ ଉତ୍ପାଦରେ କିନ୍ତୁ ଚିନି ନାହିଁ। ତେଣୁ ଏହାକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ମଧ୍ୟ ଲାଗିଛି।
ସୂଚନାଥାଉକି, ବୈଶ୍ବିକ ସ୍ତରରେ ସେରେଲାକ ଏକ ଅଗ୍ରଣୀ ବେବି ଫୁଡ ବ୍ରାଣ୍ଡ। ୨୦୨୨ରେ ୧ ବିଲିୟନ ଡଲାରରୁ ଅଧିକ ବିକ୍ରି କରିଛି। ବିଶେଷ କରି ଏହି ବିକ୍ରିରେ ପ୍ରାୟ ୪୦ ପ୍ରତିଶତ ଅଂଶ, ବ୍ରାଜିଲ ଏବଂ ଭାରତ ସହ ନିମ୍ନ ଏବଂ ମଧ୍ୟମ ଆୟ ଥିବା ଦେଶରୁ ହୋଇଥାଏ।