ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ କୋଭିଡ, ଏଥରକୁ ମିସାଇ ୩ ଥର ହେଲେଣି ସଂକ୍ରମିତ

Published By : Prameya-News7 Bureau | November 15, 2022 IST

ଲାହୋର ୧୫।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ମନ୍ତ୍ରୀ ମରିୟମ ଆଉରଙ୍ଗଜେବ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବ୍ରିଟେନରେ ୫ ଦିନର ପ୍ରବାସ ପରେ ଫେରିଥିବା ପ୍ରଧାନମନ୍ତ୍ରୀଙ୍କ କୋଭିଡ-୧୯ ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଛି। ସୂଚନାମନ୍ତ୍ରୀ ଏ ନେଇ କରିଥିବା ଟ୍ୱିଟ୍‌ରେ ପ୍ରଧାନମନ୍ତ୍ରୀ ଗତ ୨ ଦିନ ହେଲା ଅସୁସ୍ଥ ଅନୁଭବ କରୁଥିଲେ। ଡାକ୍ତରଙ୍କ ପରାମର୍ଶରେ କୋଭିଡ ପରୀକ୍ଷଣ କରାଇବା ପରେ ସେ ପଜିଟିଭ ଥିବା ସ୍ପଷ୍ଟ ହୋଇଯାଇଛି।

ଏଥରକୁ ମିସାଇ ପ୍ରଧାନମନ୍ତ୍ରୀ ତୃତୀୟବାର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମେ ସେ ଜୁନ ୨୦୨୦ରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଜାନୁୟାରୀ ମାସରେ ମଧ୍ୟ ସେ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ପିଏମ ଶାହାବାଜ ଏକ ସଂକ୍ଷିପ୍ତ ତଥା ବ୍ୟସ୍ତତମ ଲଣ୍ଡନ ଯାତ୍ରାରୁ ସୋମବାର ଫେରିଛନ୍ତି। ସେ ବିଦେଶ ଯାତ୍ରାରୁ ଫେରିବା ପରଠାରୁ ଅସୁସ୍ଥତା ଅନୁଭବ କରୁଥିଲେ। ଲଣ୍ଡନରେ ପହଞ୍ଚିବା ପରେ ମଧ୍ୟ ସେ ଅସୁସ୍ଥ ହୋଇପଡିଥିଲେ। ଏଣୁ ତାଙ୍କର ଯାତ୍ରାକୁ ଅଧିକ ଦୁଇଦିନ ବଢା ଯାଇଥିଲା।

{"id":709706,"sizeSlug":"full","linkDestination":"none"}

ସେପଟେ ଜି-୨୦ ବୈଠକରେ ଯୋଗଦେବାକୁ ଇଣ୍ଡୋନେସିଆ ବାଲିରେ ପହଞ୍ଚିଥିବା କମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ ସେନ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। କମ୍ବୋଡିଆ ନେତା ଏ ନେଇ ସୋସିଆଲ ସାଇଟ୍ ଫେସବୁକରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ସୋମବାର ରାତିରେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଥିବାର ଉଲ୍ଲେଖ କରିଛନ୍ତି। ଇଣ୍ଡୋନେସିଆର ଜନୈକ ଡାକ୍ତର ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ପୁଷ୍ଟି କରିଛନ୍ତି।

କୋଭିଡ ପୁଷ୍ଟି ହେବା ପରେ ସେନ୍‌ ଜି-୨୦ ଶିଖର ସମ୍ମିଳନୀ ସମେତ ଏହା ପରେ ସେ ବ୍ୟାଙ୍ଗକକ୍‌ରେ ଭାଗ ନେବାକୁ ଥିବା ଏସିଆ ପ୍ରଶାନ୍ତ ଆର୍ଥିକ ସହଯୋଗ( ଏପେକ୍) କାର୍ଯ୍ୟକ୍ରମ ବାତିଲ କରି କମ୍ବୋଡିଆ ଫେରିଯାଇଛନ୍ତି। କମ୍ବୋଡିଆ ଦକ୍ଷିଣ-ପୂର୍ବ ଏସିୟ ରାଷ୍ଟ୍ରଙ୍କ ଶିଖର ସମ୍ମିଳନୀର ଆୟୋଜକ ଥିଲା। ଯାହାର ଗତ ରବିବାର ସମାପନ ହୋଇଛି। ଏହି ସମାପନ ସମାରୋହ ଅବସରରେ ସେନ୍‌ ଅନେକ ନେତାଙ୍କ ସହ ସିଧାଶଳଖ ସାକ୍ଷାତ କରିଥିଲେ। ଏହି ଅବସରରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଋଷିଆ ବିଦେଶମନ୍ତ୍ରୀ ସର୍ଗେଇ ଲାଭରୋଭ ଓ ଚୀନ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ ସମେତ ଅନ୍ୟ ନେତାଙ୍କୁ ମଧ୍ୟ ଭେଟିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.