ମୁଦ୍ରାସ୍ଫୀତି ଉପରେ ଡବଲ୍ ଆଟାକ୍ ପାଇଁ ପ୍ରସ୍ତୁତି, ପେଟ୍ରୋଲ ଏବଂ ଡିଜେଲ ପରେ ଏସବୁ ଜିନିଷ ଉପରେ ମିଳିପାରେ ଆଶ୍ବସ୍ତି

Published By : Prameya-News7 Bureau | May 24, 2022 IST

ନୂଆଦିଲ୍ଲୀ ୨୪।୫: ପେଟ୍ରୋଲ, ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ପରେ ରୋଷେଇ ଗ୍ୟାସ୍‌ରେ ଗରିବଙ୍କୁ ୨୦୦ଟଙ୍କାର ସବସିଡି ଦେବାପରେ କେନ୍ଦ୍ର ସରକାର ଅନ୍ୟ କିଛି ଉପରେ ବିଚାର କରୁଛନ୍ତି । ଖାଇବା ତେଲ ଉପରୁ ଉତ୍ପାଦ ଶୁଳ୍କ କମାଯିବା ନେଇ ଆଶଙ୍କା କରାଯାଉଛି । ଏହା ବ୍ୟତୀତ ଆମଦାନୀ ହେଉଥିବା କିଛି କଞ୍ଚାମାଲରେ ମଧ୍ୟ ଆଶ୍ବସ୍ତି ମିଳିପାରେ । ଏହାଦ୍ବାରା ଅନେକ ଉତ୍ପାଦର ମୂଲ୍ୟ ହ୍ରାସ ହୋଇପାରେ । ଅନେକ ଆମଦାନୀ ଉପରେ ଏଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ସେସ୍ ଲାଗିଥାଏ । ଏହା ମଧ୍ୟ ହ୍ରାସ କରାଯିବାକୁ ବିଚାର କରାଯାଉଛି ।

ଅର୍ଥ ମନ୍ତ୍ରଣାଳୟ ଏବଂ ପିଏମଓ ଅଧିକାରୀମାନେ ଗତ ସପ୍ତାହରେ ଏନେଇ ବୈଠକ କରିଥିଲେ । ବୋଧହୁଏ ଏହାପରେ ପେଟ୍ରୋଲ, ଡିଜେଲ ଏବଂ ରୋଷେଇ ଗ୍ୟାସ୍‌ରେ ଅଶ୍ବସ୍ତି ଦେବାନେଇ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ପର୍ଯ୍ୟାୟରେ ଅନ୍ୟ କିଛି ଜିନିଷ ଉପରେ ଆଶ୍ବସ୍ତି ଦିଆଯାଇପାରେ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମୁଦ୍ରାସ୍ଫୀତି ୬୦ ରୁ ୭୦ ବେସିସ୍ ପଏଣ୍ଟ କମ୍ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ବିଶ୍ବାସ କରାଯାଉଛି ଯେ, ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିବା ପରେ ଏହା ୪୦ ବେସିସ୍ ପଏଣ୍ଟ ଯାଏଁ ହ୍ରାସ ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ, ଅପ୍ରେଲରେ ରିଟେଲ୍ ମୁଦ୍ରାସ୍ଫୀତି ହାର ଅନିୟନ୍ତ୍ରିତ ହୋଇ ୮ ବର୍ଷର ଶୀର୍ଷରେ ପହଞ୍ଚି ୭.୭୯% ଥିଲା । ମୁଦ୍ରାସ୍ଫୀତି ହାର ତଥ୍ୟରେ ଏକ ବେସିସ୍  ପଏଣ୍ଟ ଅର୍ଥ ୦.୦୧ ପ୍ରତିଶତ ହୋଇଥାଏ ।

ପାମ୍ ତେଲ ଉପରେ ଆମଦାନୀ ଶୁଳ୍କ ପୂର୍ବରୁ ହିଁ ସରକାର କମ୍ କରିସାରିଛନ୍ତି । କାନୋଲା, ରାଇସ୍ ବ୍ରାନ, ଅଲିଭ ଅଏଲ ଆଦି ଉପରେ ଶୁଳ୍କ ହ୍ରାସ କରାଯିବା ନେଇ ବିଚାର କରାଯାଇଛି । ଏ ସମସ୍ତ ଉପରେ ଆମଦାନୀ ଶୁଳ୍କରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇପାରେ । ଯେଉଁ କଞ୍ଚାମାଲ୍ ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ଆମଦାନୀ ଉପରେ ହିଁ ନିର୍ଭର କରିଥାଏ ସେଥିରେ ମଧ୍ୟ ସରକାର ରିହାତି ଦେବାକୁ ଯୋଜନା କରୁଛନ୍ତି । ବର୍ତ୍ତମାନ ସରକାର କମର୍ସ ବିଭାଗକୁ ସେହି ଉତ୍ପାଦଗୁଡିକର ତାଲିକା ମଗାଇଛନ୍ତି ଯାହା ଉପରେ ଟ୍ୟାକ୍ସ ହ୍ରାସ କରି ମୂଦ୍ରାସ୍ପୀତିରେ ଆଶ୍ବସ୍ତି ଦିଆଯାଇପାରେ । ଏହା ବ୍ୟତୀତ ପାମ୍ ଅଏଲ ଉପରେ କମ୍ ନିର୍ଭର କରିବାକୁ ମଧ୍ୟ ସରକାର ବଡ ଚେଷ୍ଟା ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.