ବଦଳିଲେ ନେପାଳ କମ୍ୟୁନିଷ୍ଟ ପାର୍ଟି ଅଧ୍ୟକ୍ଷ, ସଂସଦ ଭଙ୍ଗ କରିଥିଲେ, ଏବେ ଓଲିଙ୍କ ହାତରୁ ଗଲା ପାର୍ଟି !

Published By : Prameya-News7 Bureau | December 22, 2020 IST

କାଠମାଣ୍ଡୁ ୨୨।୧୨: ନେପାଳ ସଂସଦ ଭଙ୍ଗ ସହ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ହାତରୁ ନେପାଳ କମ୍ୟୁନିଷ୍ଟ ପାର୍ଟି(ଏନସିପି) ଅଧ୍ୟକ୍ଷ ପଦ ମଧ୍ୟ ଯାଇଛି। ମଙ୍ଗଳବାର ଏଥିଲାଗି ଅନୁଷ୍ଠିତ ନିର୍ବାଚନରେ ଅବସ୍ଥାପିତ ଅଧ୍ୟକ୍ଷ ଓଲିଙ୍କ ବିପକ୍ଷରେ ବରିଷ୍ଠ କମ୍ୟୁନିଷ୍ଟ ନେତା ମାଧବ ଚନ୍ଦ୍ର ନେପାଲ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ଏଥିରେ ସମସ୍ତ ୩୧୫ କେନ୍ଦ୍ରୀୟ କମିଟି ସଦସ୍ୟ ମାଧବଙ୍କ ସପକ୍ଷରେ ଭୋଟ ଦେଇଛନ୍ତି। ଫଳରେ ସରକାର ଭଙ୍ଗ ସହ ଓଲିଙ୍କ ହାତରୁ ପର୍ଟିର ଡୋର ମଧ୍ୟ ଖସିଯାଇଛି।

ଏନସିପି ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି। ଏଥିରେ ଓଲିଙ୍କ ସ୍ଥାନରେ ମାଧବ କୁମାର ନେପାଲ  ଏନସିପି ମୁଖ୍ୟ ନିର୍ବାଚିତ ହୋଇଥିବା କହିଛନ୍ତି। ଅନ୍ୟପକ୍ଷରେ ଓଲିଙ୍କ ବିରୋଧରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବ ବୋଲି ମଧ୍ୟ ସେ ସୂଚିତ କରିଛନ୍ତି। ଓଲି ଉଭୟ ପ୍ରଧାନମନ୍ତ୍ରୀ ଓ ନେପାଳ କମ୍ୟୁନିଷ୍ଟ ପାର୍ଟି ଅଧ୍ୟକ୍ଷ ପଦ ମାଡି ବସିଥିଲେ। ଯାହାକୁ ବରିଷ୍ଠ ନେତା ପ୍ରଚଣ୍ଡ ବିରୋଧ କରୁଥିଲେ। ସେ ହୁଏତ ପ୍ରଧାନମନ୍ତ୍ରୀ ଅବସ୍ଥାପିତ ରହିପାରନ୍ତି ନେଚେତ ପାର୍ଟିର ଚେୟାରମ୍ୟାନ୍‌ ଯାହା ବି ହେଲେ ଗୋଟିଏ ପଦବୀରେ ରହନ୍ତୁ ବୋଲି ଦାବି କରୁଥିଲେ।

କ୍ଷମତା ଲୋଭରେ ଓଲି ନା ଦଳୀୟ ମୁଖ୍ୟପଦ ଛାଡୁଥିଲେ ନା ପ୍ରଧାନମନ୍ତ୍ରୀ ପଦ। ଏଥିରେ ଦେଶ ରାଜନୈତିକ ସଂକଟ ଆଡକୁ ମୁହାଁଇଥିବା ବେଳେ ଓଲି ଶନିବାର ମନ୍ତ୍ରୀମଣ୍ଡଳର ଜରୁରି ବୈଠକ ଡକାଇ ସଂସଦ ଭଙ୍ଗ ଲାଗି ସୁପାରିଶ ଗୃହୀତ କରାଇ ନେଇଥିଲେ। ପ୍ରସ୍ତାବକୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କ ଅନୁମୋଦନ ଲାଗି ଉପସ୍ଥାପିତ କରାଯିବା ବେଳେ ସେ ଏହାକୁ ମଞ୍ଜୁର କରି ଆଗାମୀ ସାଧାରଣ ନିର୍ବାଚନ ଲାଗି ଦିନ ମଧ୍ୟ ଘୋଷଣା କରିଥିଲେ।

ଓଲି ସଂସଦ ଭଙ୍ଗ କରିବାମାତ୍ରେ ପାର୍ଟି ଚେୟାରମ୍ୟାନ ପଦବୀ ଲାଗି ମଙ୍ଗଳବାର ନିର୍ବାଚନ କରିଥିବା ବେଳେ ଏଥିରେ ଓଲିଙ୍କ ସପକ୍ଷରେ ଗୋଟିଏ ବି ଭୋଟ ନ ପଡିବା ତାଙ୍କ ପରବର୍ତ୍ତି ରାଜନୈତିକ ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେଇଛି। ପାର୍ଟି ଏବେ ଓଲିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ କହିବା ଓଲିଙ୍କ କ୍ଷମତା ମୋହକୁ ଜୋରଦାର ଝଟକା ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.