ଆପ୍ ବିଧାୟକମାନଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଇ ଦଳ ଭାଙ୍ଗିବାକୁ କହୁଛି ବିଜେପି: ମନୀଷ ସିସୋଦିଆ
24/08/2022 at 1:28 PM

ନୂଆଦିଲ୍ଲୀ: ପ୍ରଥମେ ମନୀଷ ସିସୋଦିଆଙ୍କୁ କିଣିବାରେ ବିଫଳ ହେବା ପରେ ଏବେ ଆପ୍ର ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ବିଜେପି। ପୁଣିଥରେ ଏଭଳି ଅଭିଯୋଗ ଆଣିଛନ୍ତି ଆପ୍ ନେତା ମନୀଷ ସିସୋଦିଆ। ବିଧାୟକମାନଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଇ ବିଜେପି ସେମାନଙ୍କୁ ଦଳର ଜଏନ୍ କରିବାକୁ କହୁଛି ବୋଲି ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି। ଏନେଇ ସେ ବିଜେପିକୁ ଚେତାବନୀ ଦେଇ କହିଛନ୍ତି ଯେ ଆପ୍ର ବିଧାୟକମାନେ କେବେ ବି ଦଳକୁ ଧୋକା ଦେବେନି। ଅଭିଯୋଗ ଅନୁସାରେ, ବିଜେପି ଆପ୍ର ବିଧାୟକମାନଙ୍କୁ ଦଳ ଛାଡ଼ି ବିଜେପିରେ ଯୋଗ ଦେବାକୁ ୨୦ କୋଟି ଟଙ୍କା ଲେଖାଏ ଲାଞ୍ଚ ଯାଚିଛି।
ଘଟଣା ବିଷୟରେ ସୂଚନା ଦେଇ ମନୀଷ ସିସୋଦିଆ କହିଛନ୍ତି “ସେମାନେ ମୋତେ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ହେଲେ ବିଫଳ ହେଲେ। ତେଣୁ ସେମାନେ ବର୍ତ୍ତମାନ ଆମ ବିଧାୟକମାନଙ୍କୁ ୨୦ କୋଟି ଲେଖାଏ ଲାଞ୍ଚ ଦେଖାଇବା ସହ ଇଡି ସିବିଆଇ ଭୟ ଦେଖାଉଛନ୍ତି। ଏବଂ ଷଡ଼ଯନ୍ତ୍ର କରିବା ଆରମ୍ଭ କରିଦେଇଛନ୍ତି। ବିଜେପି ଏଭଳି କାର୍ଯ୍ୟ କରିବାର ଦୂରେଇ ରହିବା ଉଚିତ। ଆମେ ଅରବିନ୍ଦ କେଜରିୱାଲ୍ଙ୍କ ଲୋକ ଏବଂ ଭଗତ ସିଂହଙ୍କୁ ଅନୁଗାମୀ। ଆମେ ମରିଯିବୁ ପଛେ ଧୋକା ଦେଇପାରିବୁ ନାହିଁ। ଇଡି ଆଉ ସିବିଆଇ ସେମାନଙ୍କ ସମ୍ମୁଖରେ ମୂଲ୍ୟହୀନ।” ଟ୍ୱିଟ୍ କରି ଏଭଳି ଲେଖିଛନ୍ତି ମନୀଷ ସିସୋଦିଆ।
ଆପ୍ ବିଧାୟକଙ୍କୁ ବିଜେପି ଲାଞ୍ଚ ଦେବା ନେଇ ଆପ ପ୍ରବକ୍ତା ସଞ୍ଜୟ ସିଂହ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ବିଧାୟକ ଅଜୟ ଦତ୍ତ, ସଞ୍ଜୀବ ଝା, ସୋମନାଥ ଭାରତୀ, ଏବଂ କୁଲଦୀପଙ୍କୁ ବିଜେପିରେ ନେତାମାନେ ଅଫର ଦେଇଥିଲେ। ଯେଉଁ ବିଜେପି ନେତାମାନଙ୍କର ଆମ ବିଧାୟକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଅଛି ସେମାନେ ଲାଞ୍ଚ ଯାଚିଥିଲେ। ଯଦି ସେମାନେ ଆପ୍ ନ ଛାଡ଼ନ୍ତି ତେବେ ସେମାନଙ୍କ ବିରୋଧରେ ସିବିଆଇ ଓ ଇଡିର ଲଗାଯିବ ବୋଲି ବିଜେପି ଧମକ ଦେଇଥିବା ଆପ୍ କହିଛି। ଦଳ ଛାଡ଼ିଲେ ସେମାନଙ୍କୁ ୨୦ କୋଟି ଦିଆଯିବ ଓ ଯଦି ସେମାନେ ଦଳ ଭାଙ୍ଗି ତାଙ୍କ ସହ ଅନ୍ୟ ନେତାମାନଙ୍କୁ ଆଣନ୍ତି ତେବେ ୨୫ କୋଟି ଦିଆଯିବ ବୋଲି ବିଜେପି ଲୋଭ ଦେଖାଇଥିବା ପିଟିଆଇକୁ ସୂଚନା ଦେଇ କହିଛନ୍ତି ସଞ୍ଜୟ।
ବୈଠକ ଡାକିଲେ କେଜରିୱାଲ୍
ବିଧାୟକମାନଙ୍କୁ ଧମକ ଚମକ ମିଳିବା ପରେ ଆଜି ଅପରାହ୍ନ ୪ ଟା ବେଳେ ରାଜନୈତିକ ବ୍ୟାପାର କମିଟି(ପିଏସି) ଡକାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। ଏନେଇ ସୂଚନା ଦେଇ ସେ କହିଛନ୍ତି “ କିଛି ଆପ୍ ବିଧାୟକମାନଙ୍କୁ ଦଳ ଛାଡ଼ିବାକୁ ଧମକ ଦିଆଯାଇଛି ବୋଲି ସେମାନେ ମୋତେ କହିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ସେମାନେ ଆପ୍ ଛାଡ଼ିଲେ ୨୦ କୋଟି ତାଙ୍କ ସହ ଅନ୍ୟ ନେତାଙ୍କୁ ଆଣିଲେ ୨୫ କୋଟି ଦିଆଯିବ ବୋଲି କୁହାଯାଇଛି। ଯଦି ସେମାନେ ବିଜେପି ଅଫରରେ ରାଜି ନ ହୁଅନ୍ତି ତେବେ ସେମାନଙ୍କୁ ମନୀଷ ସିସୋଦିଆଙ୍କ ଭଳି ମିଛ କେସ୍ରେ ଫସାଇ ଦିଆଯିବ ବୋଲି ଧମକ ଦିଆଯାଇଛି।”