ବେପାର ପାଇଁ ନବ ଦାସ ବିଜେଡିକୁ ଯାଉଛନ୍ତି ବୋଲି କହିଲେ ନିରଞ୍ଜନ, ସେପଟେ ନବଙ୍କ ରାସ୍ତାରେ ପ୍ରକାଶ ବେହେରାଙ୍କ ସମେତ ଆଉ ୪ ବିଧାୟକ ବିଜେଡି ମୁହାଁ

Published By : Prameya-News7 Bureau | January 14, 2019 IST

ଭୁବନେଶ୍ବର ୧୪|୧: ବିଜେଡି ରାଡାରରେ କଂଗ୍ରେସ ବିଧାୟକ । ବିଜେଡିରେ ମିଶିବେ ଝାରସୁଗୁଡା ବିଧାୟକ ନବ ଦାସ । ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବେ। କବେଳ ନବ ନୁହଁନ୍ତି  ତାଙ୍କ ପଛକୁ ଆହୁାରି ୪ ବିଧାୟକ ମଧ୍ୟ ବିଜେଡି ଲାଇନରେ ଅଛନ୍ତି। ଏପଟେ ନବଙ୍କ ଦଳ ବଦଳକୁ ନେଇ ଜୋର ଧରିଛି ଝାରସୁଗୁଡା ରାଜନୀତି। ସାମ୍ନାକୁ ଆସିଛନ୍ତି ହେମାନନ୍ଦ ବିଶ୍ବାଳ ଓ କିଶୋର ମହାନ୍ତି।। ଦୁଇ ନେତା ନବଙ୍କୁ ଚେତାବନୀ ଶୁଣାଇଦେଇଛନ୍ତି । ଏପଟେ ପ୍ରକାଶ ବେହେରା ବି ସଚିବାଳୟରେ ଇଙ୍ଗିତ ଦେଇଛନ୍ତି । କଂଗ୍ରେସ ବିଧାୟକ ଏଭଳି ଅବସ୍ଥା ଦେଖି ପିସିସି ସଭାପତି କହିଛନ୍ତି  ବେପାର ପାଇଁ ନବ ଦଳ ଛାଡୁଛନ୍ତି କହିବା ସହ ନୈତିକତାର ପାଠ ପଢ଼ାଇଛନ୍ତି ।

ହାତ ଛାଡି ଶଙ୍ଖ ଧରିବେ  କଂଗ୍ରେସ ବିଧାୟକ ନବ ଦାସ । ନବଙ୍କ ଲୁଚକାଳି ଖେଳ ସରିଛି । ୨୪ ତାରି୍ଖରେ ଶଙ୍ଖ ଫୁଙ୍କିବେ ନବ ।  ନାହିଁ ନାହିଁ କହୁଥିବା ନବ ଦାସ  ଶେଷରେ ବିଜେଡି ଯିବା କଥାକୁ ସ୍ବିକାର କରିଛନ୍ତି । ନବଙ୍କ ଏଭଳି ପରିବର୍ତ୍ତନ ରୁପ ଦେଖି ସାମ୍ନାକୁ ଆସିଛନ୍ତି ହେମାନନ୍ଦ ବିଶ୍ବାଳ। ସିଧା ସିଧା ନବକୁ ଶୁଣାଇଦେଇଛନ୍ତି । କଂଗ୍ରେସ ପାଇଁ ନବ ସବୁ କିଛି ପାଇଛନ୍ତି । ସୀମା ପୁନଃନିର୍ଦ୍ଧାରଣ ହେବା ପରେ ନବ ନିର୍ବାଚନରେ ଜିତୁଛନ୍ତି । ଲଇକେରା, କୋଲବିରା ଏବଂ କିରମିରା ହେଉଛି କଂଗ୍ରେସ ଗଡ । ଏପଟେ ନବ ବିଜେଡିରେ ପାଦ ନ ଦେଉଣୁ ବିଜେଡି ନେତା କିଶୋର ମହାନ୍ତି ଦଳର ଅନୁଶାସନ ପାଠ ପଢ଼ାଇଛନ୍ତି । ଦିନେ ବିଜେଡି ପତାକା ଧରିବାକୁ କେହି ନଥିବା କହୁଥିବା ନବ ଏବେ ବିଜେଡି ପତାକା ନିଜେ ହିଁ ଧରିବେ । ତେଣୁ ସ୍ବାଗତ କରିବାର ନାହଁ। ବିଜେଡିରେ ମିଶିବା ପରେ ଦଳ ପାଇଁ କାମ କରିବା ଦରକାର ନଚେତ ଏଠି ଗୋଷ୍ଠୀ ରାଜନୀତି ଚଳିବ ନାହିଁ କହି ପରୋକ୍ଷରେ ଚେତାବନୀ ଶୁଣାଇ ଦେଇଛନ୍ତି  କିଶୋର ମହାନ୍ତି।

ନବଙ୍କ ଲାଇନରେ ଏବେ କଂଗ୍ରେସ ବିଧାୟକ ପ୍ରକାଶ ବେହେରା। ପ୍ରକାଶ ବି ଖୁବ ଶୀଘ୍ର ଶଙ୍ଖ ଫୁଙ୍କିବା ଯୋଜନାରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଆଜି ସେ କହିଛନ୍ତି ଯେ ହାଇକମାଣ୍ଡ ଯାହା କହିବେ ସେୟା କରିବେ। ତେବେ ହାଇକମାଣ୍ତ କିଏ? କଂଗ୍ରେସ ହାଇକମାଣ୍ଡ ନା ବିଜେଡି ହାଇକମାଣ୍ଡ ସେକଥା ପ୍ରକାଶ କରୁନାହାନ୍ତି ପ୍ରକାଶ । ସେପଟେ ବିଧାୟକମାନଙ୍କର ଏଭଳି ହାବଭାବ ଦେଖି ତାତିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସିଧା କହିଛନ୍ତି ବେପାର ପାଇଁ ନବ କଂଗ୍ରେସ ଛାଡିଛନ୍ତି । ଆଦର୍ଶ ନଥିବା ନେତା ହିଁ ଦଳ ପରିବର୍ତ୍ତନ କରନ୍ତି।

ମିଳିଥିବା ସୂଚନା ଅନୁସାରରେ ବର୍ତ୍ତମାନର ୪ କଂଗ୍ରେସ ବିଧାୟକ ବିଜେଡି ମିଶିବା ଯୋଜନା ହୋଇସାରିଛି । ବିଜେପୁର ଷ୍ଟାଇଲରେ ବିଜେଡି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ବିଜୟ ଲକ୍ଷ୍ୟରେ ରହିଛନ୍ତି କିନ୍ତୁ ଚ୍ୟାଲେଞ୍ଜ ଏବେ ନିରଞ୍ଜନଙ୍କ ପାଇଁ ବଢ଼ିବଢ଼ି ଚାଲିଛି। ନିଜ ଘର ସମ୍ଭାଳି ପାରୁଛନ୍ତି କି ନାହିଁ ଏବେ ବଡ ପ୍ରଶ୍ନ ହୋଇ ଠିଆ ହେଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.