ମେ’ ୩ ପରେ ନୂଆ ଗାଇଡଲାଇନ ଅନୁସାରେ ମହାପ୍ରଭୂଙ୍କ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ହେବ: ଗଜପତି ମହାରାଜ

Published By : Prameya-News7 Bureau | April 24, 2020 IST

ପୁରୀ, ୨୪|୦୪:  ଲକଡାଉନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ପ୍ରଭାବିତ । ତେବେ ମେ’ ୩ ତାରିଖ ପରେ କରୋନା ଜନିତ ପରିସ୍ଥିତି ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ଗାଇଡଲାଇନ ଅନୁଯାୟୀ ରଥଯାତ୍ରା ଏବଂ ସ୍ନାନ ଯାତ୍ରା ସମ୍ପାଦନର ପ୍ରକ୍ରିୟା ଚୁଡାନ୍ତ ହେବ । ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଏହି ସୂଚନା ଦେଇଛନ୍ତି । ଶ୍ରୀ ମନ୍ଦିର ପରିଚାଳନା କମିଟିର ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଗତପତି ମହାରାଜ ଏହି ସୂଚନା ଦେଇଛନ୍ତି ।

କରୋନା ଭାଇରସର ସଂକ୍ରମଣ ରୋକିବାକୁ ଲକଡାଉନ ଜାରି ଥିବା ବେଳେ ସରକାରଙ୍କ ଗାଇଡଲାଇ ଅନୁସାରେ  ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି । ଲକଡାଉନ ପାଇଁ ଦେଶ ତଥା ରାଜ୍ୟର ଅନେକ ବଡ ବଡ ଧର୍ମାନୁଷ୍ଠାନର ବିଭିନ୍ନ ପର୍ବପର୍ବାଣୀ ପାଳନ ହୋଇ ପାରୁନାହିଁ । କରୋନା ଆତଙ୍କ ମଧ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ମଧ୍ୟ ଆଶା ଆଶଙ୍କା ଲାଗି ରହିଛି ।

ପରିଚାଳନା କମିଟି ବୈଠକ ପରେ ଗଜପତି କହିଛନ୍ତି ଯେ, ଆସନ୍ତା  ୩ ତାରିଖ ଯାଏଁ ମହାପ୍ରଭୁଙ୍କର କୌଣସି ବାହାର ଯାତ୍ରା ସମ୍ଭବପର ନୁହେଁ । କୌଣସି ଧର୍ମପୀଠରେ ବାହାର ଯାତ୍ରାକୁ ପୁରା ବାରଣ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମ ମାନିବା ପାଇଁ ସମସ୍ତେ ବାଧ୍ୟ ଅଟନ୍ତି । ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ନୀତି ଆସନ୍ତା ୩ ତାରିଖ ଯାଏଁ ସମ୍ଭବ ନୁହେଁ । ଏପରିକି ମହପ୍ରଭୁଙ୍କ ସ୍ନାନଯାତ୍ରା ମଧ୍ୟ ହୋଇପାରିବ ନାହିଁ । ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ ।  ତେବେ ଦେବନୀତି ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ସମସ୍ତ ଉଦ୍ୟମ ଓ ପ୍ରୟାସ ଜାରି ରହିବ । କରୋନା ଜନିତ ଆତଙ୍କ ଏବଂ ଏପରି ମହାବିପତ୍ତିରେ ସତର୍କତାର ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ମାନିବା ପାଇଁ ସମସ୍ତେ ବାଧ୍ୟ । ତେବେ ଦେବନୀତି ଉପରେ ଏହା ପ୍ରଭାବ ପକାଇଲେ ମଧ୍ୟ  ପରମ୍ପରାକୁ ଆଖିରେ ରଖି ଯାହା କିଛି ସମ୍ବବ ସେହି ଅନୁସାରେ ଦେବନୀତି ବ୍ୟାଘାତ ନହେବା ପରି ସମସ୍ତ ଉଦ୍ୟମ କରାଯିବ । ପରବର୍ତ୍ତୀ ସମସୟରେ ନୂଆ ଗାଇଡଲାଇନ ଓ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ବାହାର ଯାତ୍ରା ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି ପ୍ରକାଶ କରି ଗଜପତି ମହରାଜ କହିଛନ୍ତି, ଜନତାଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସେ ସାରା ବିଶ୍ୱ ସହ ଉତ୍କଳ ପ୍ରଦେଶରେ ମହାପ୍ରଭୁଙ୍କ ଭକ୍ତ ଭାବନାକୁ ଗୁରୁତ୍ୱ ଦେଇ ସହଯୋଗ କାମନା ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.