ଭୁବନେଶ୍ଵର: ଓଡ଼ିଶାକୁ ୧୫ ହଜାର କୋଟିର ରେଳ ପ୍ରକଳ୍ପ ମିଳିବା ପ୍ରସଙ୍ଗକୁ ନେଇ ବିଜେଡି ସମାଲୋଚନା କରିଥିବା ବେଳେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର । ସୋସିଆଲ ମିଡିଆ X ରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି ସୁଜିତ୍ କୁମାର । ଦଳ ଆଉ ସାଂସଦଙ୍କ ଭିନ୍ନ ମତ ରାଜ୍ୟ ରାଜନୀତିରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । କାରଣ କିଛି ଦିନ ପୂର୍ବରୁ ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ଦଳ ଓ ସାଂସଦ ପଦ ଛାଡ଼ି ବିଜେପିକୁ ଜମ୍ପ ମାରିଥିଲେ । ମମତାଙ୍କ ପରେ ସୁଜିତ୍ କୁମାର କ’ଣ ଲାଇନରେ ଅଛନ୍ତି କି ବୋଲି ଆକଳନ କଲେଣି ରାଜନୀତି ସମୀକ୍ଷକ । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେଡି ଓ ବିଜେପି ନେତା ।
ସମାଲୋଚନା କଲା ବିଜେଡି । ହେଲେ ପ୍ରଶଂସାରେ ପୋତିଲେ ବିଜେଡି ସାଂସଦ । ତେବେ କାହିଁକି ? କ’ଣ ମମତାଙ୍କ ରାସ୍ତାରେ ଯିବେ କି ସୁଜିତ୍ କୁମାର ? ନିକଟରେ ଓଡ଼ିଶାକୁ ୧୫ ହଜାର କୋଟିର ରେଳ ପ୍ରକଳ୍ପ ମିଳିବା ପ୍ରସଙ୍ଗକୁ ନେଇ ବିଜେଡି ସମାଲୋଚନା କରିଥିବା ବେଳେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର । ସୋସିଆଲ ମିଡିଆ X ରେ ସୁଜିତ୍ କୁମାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଟବଙ୍କୁ ଧନ୍ୟବାଦ ଦେବା ସହ ପ୍ରକଳ୍ପ ପାଇଁ ପ୍ରଶଂସା କରିଛନ୍ତି ।
Alsor read: ୧କୋଟିର ଥୋପ ପକାଇ ନେଇଗଲେ ୨୦ ଲକ୍ଷ, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ବିଜେପି ବିଧାୟକ
ସୁଜିତ୍ ଲେଖିଛନ୍ତି ଯେ, ଜୁନାଗଡ- ନବରଙ୍ଗପୁର ନୂଆ ରେଳ ଲାଇନ ସହ ଅନ୍ୟ ୫ ପ୍ରକଳ୍ପ ମଂଜୁର କରିଥିବାରୁ କେନ୍ଦ୍ର କ୍ୟାବିନେଟ ଏବଂ ରେଳ ମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ । ମୁଁ ୨୦୨୧ ରୁ ଏହି ପ୍ରକଳ୍ପ ଲାଗି ସବୁବେଳେ ବିଭିନ୍ନ ଫୋରମରେ ସ୍ବର ଉତ୍ତୋଳନ କରି ଆସୁଥିଲି । ଆଶା କରୁଛି ଏହି ପ୍ରକଳ୍ପ ଠିକ ସମୟରେ ସରିବା ସହ କଳାହାଣ୍ଡି ଏବଂ ନବରଙ୍ଗପୁର ସହ ପୂରା ଅଞ୍ଚଳର ଲୋକଙ୍କ ସେବାରେ ଆସିବ । ଦଳ ଭିନ୍ନ ମତ ରଖୁଥିବାବେଳେ ବିଜେଡି ସାଂସଦ ସୁଜିତ କୁମାର ଖୋଲାଖୋଲି ଏହାକୁ ପ୍ରଶଂସା କରିବା ପଛରେ ଭିନ୍ନ ଦିଗ ବାରିଛନ୍ତି ରାଜନୈତିକ ସମୀକ୍ଷକ । ସେମାନଙ୍କ କହିବା କଥା ସୁଜିତ କୁମାର ବିଜେଡି ସାଂସଦ ମମତା ମହାନ୍ତଙ୍କ ରାସ୍ତାରେ ଯାଇ ପାରନ୍ତି। ମମତାଙ୍କ ପରି ସେ ମଧ୍ୟ ବିଜେପିକୁ ଯାଇ ପାରନ୍ତି । ନେତା ଦଳ ବଦଳ ପୂର୍ବରୁ ଏମିତି ହିଁ ସଙ୍କେତ ଦେଇଥାନ୍ତି ବୋଲି କହୁଛନ୍ତି ରାଜନୀତି ସମୀକ୍ଷକ ।
ନିକଟରେ କୁଡୁମି ସଂପ୍ରଦାୟର ନେତ୍ରୀ ରାଜ୍ୟସଭା ସାଂସଦ ମମତା ମହାନ୍ତ ବିଜେଡି ଏବଂ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ବିଜେପି ମଧ୍ୟ ତାଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇ ଅନ୍ୟ ବିଜେଡି ସାଂସଦଙ୍କ ଲାଗି ବାଟ ଦେଖାଇ ପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ଏତିକିବେଳେ ସୁଜିତ କୁମାର ଦଳ ଠାରୁ ଭିନ୍ନ ମତ ପୋଷଣ କରିବା ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ବିଜେପି କହିଛି ଓଡ଼ିଶାବାସୀ ବିଜେପି ଆଡ଼କୁ ଢ଼ଳି ସାରିଛନ୍ତି । ଦଳର ୨୧ ରୁ ୨୦ ସାଂସଦ ଜିତିବା ଏ କଥାକୁ ସ୍ପଷ୍ଟ କରିଛି । ୨୦୨୪ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ଲୋକସଭାରେ ଶୂନ୍ ହୋଇଯାଇଛି । ବିଜେଡିର କିଛି ସାଂସଦ ଆଉ କିଛି କାର୍ଯ୍ୟକର୍ତ୍ତା ଓଡ଼ିଶାବାସୀଙ୍କ ମୁଡ୍ ସହ ରହିବାକୁ ଚାହୁଁଛନ୍ତି । ସେମାନେ ଯଦି ବିଜେପିକୁ ଆସିବାକୁ ଚାହୁଁଛନ୍ତି ତାହେଲେ ବିଜେପି ସେମାନଙ୍କୁ ସ୍ଵାଗତ କରିବ। ଜବାବରେ ବିଜେଡି କହିଛି କେନ୍ଦ୍ର ପ୍ରକଳ୍ପକୁ ପ୍ରଶଂସା କରିବା ବିଜେଡି ଏମପି ସୁଜିତ୍ କୁମାରଙ୍କ ବ୍ୟକ୍ତିଗତ ମତ । ପ୍ରଶଂସା କରିବା ଅର୍ଥ ନୁହେଁ ବିଜେପି ଆଡକୁ ଢଳିବା ।ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟରେ ରାଜନୈତିକ ସମୀକରଣ ବଦଳିଛି । ମମତା ମହାନ୍ତଙ୍କ ଏପିସୋଡ ନୂଆ ବାର୍ତ୍ତା ଦେଇଥିବା ବେଳେ ସୁଜିତ କୁମାରଙ୍କ ଆକ୍ସନ ରାଜନୀତିରେ ରିଆକ୍ସନକୁ ଅଧିକ ବଳ ଦେଇଛି ।