ଝୁଲିଲା ବିଗ୍ ବଜାରର ଭବିଷ୍ୟତ, ଫ୍ୟୁଚର ଗ୍ରୁପ୍ ସହ ୨୪,୭୧୩ କୋଟିର ଚୁକ୍ତି ରଦ୍ଦ ଘୋଷଣା କଲା ରିଲାଏନ୍ସ

Published By : Prameya-News7 Bureau | April 23, 2022 IST

ନୂଆଦିଲ୍ଲୀ, ୨୩।୦୪ : ଫ୍ୟୁଚର ଗ୍ରୁପ ସହ ନିଜର ଚୁକ୍ତି ରଦ୍ଦ କରିବା ନେଇ ଶନିବାର ଘୋଷଣା କରିଛି ରିଲାଏନ୍ସ ଗ୍ରୁପ୍ । ଫ୍ୟୁଚର ଗ୍ରୁପର ସୁରକ୍ଷିତ ଋଣଦାତା(secured creditors )  ଚୁକ୍ତିକୁ ମଞ୍ଜୁରୀ ନଦେବା ପରେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ବୋଲି ରିଲାଏନ୍ସ କହିଛି । ସେୟାର ବଜାରକୁ ରିଲାଏନ୍ସ ଦେଇଥିବା ସୂଚନା ଅନୁସାରେ ଫ୍ୟୁଚର ରିଟେଲ ଲିମିଟେଡ୍ ଏବଂ ଫ୍ୟୁଚର ଗ୍ରୁପର ଅନ୍ୟ କମ୍ପାନୀ ଗୁଡିକୁ ଏହି ଚୁକ୍ତର ମଞ୍ଜୁରୀ ପାଇଁ ହୋଇଥିବା ବୈଠକର ପରିଣାମ ସହ ଅବଗତ କରାଯାଇଛି । ଏହା ଅନୁସାରେ, ଚୁକ୍ତିକୁ ସେୟାରହୋଲ୍ଡର ଏବଂ ଅସୁରକ୍ଷିତ ଋଣଦାତା (unsecured creditors )ମଞ୍ଜୁରୀ ଦେଇଥିବା ବେଳେ ସୁରକ୍ଷିତ ଋଣଦାତା ଏହି ପ୍ରସ୍ତାବକୁ ଅସ୍ୱିକାର କରିଥିଲେ ।

ରିଲାଏନ୍ସ ନିଜ ବୟାନରେ କହିଛି, ଏଫଆରଏଲର ସୁରକ୍ଷିତ ଋଣଦାତାମାନେ ପ୍ରସ୍ତାବିତ ଯୋଜନା ବିରୁଦ୍ଧରେ ମତଦାନ କରିଛନ୍ତି। ଏପରିସ୍ଥିତିରେ ଏହି ଯୋଜନାକୁ ଆଗକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ । ଫ୍ୟୁଚର ଗ୍ରୁପ ୨୦୨୦ ଅଗଷ୍ଟ ମାସରେ ରିଲାଏନ୍ସ ଗ୍ରୁପର କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ ସହ ୨୪,୭୧୩ କୋଟି ଟଙ୍କାର ଏକ ବିଲୟ ନେଇ ଘୋଷଣା କରିଥିଲା। ଏହି ଚୁକ୍ତି ସହ ଫ୍ୟୁଚର ଗ୍ରୁପର ୧୯ କମ୍ପାନୀ ଉପରେ ରିଲାଏନ୍ସ ରିଟେଲର ଅଧିଗ୍ରହଣ କରିଥାନ୍ତା।

ଏହି ବିଲୟ ଚୁକ୍ତି ଘୋଷଣା ପରେ ଇ-କମର୍ସ କମ୍ପାନୀ ଆମାଜନ ଏହାର ବିରୋଧ କରିଥିଲା। ବିଭିନ୍ନ ଅଦାଲତରେ ଆମାଜନ ଏହି ଚୁକ୍ତିକୁ ବିରୋଧ କରିବା ସହ ଫ୍ୟୁଚର ଗ୍ରୁଫର ନିବେଶ ବୁଝାମଣାର ଏହା ଉଲ୍ଲଂଘନ ବୋଲି କମ୍ପାନୀ ଦାବି କରୁଥିଲା। ବିବାଦ ଘନେଇବା ପରେ ଏହି ଚୁକ୍ତି ଉପରେ ସେୟାରଧାରକ ଏବଂ ଋଣଦାତାଙ୍କ ମଞ୍ଜୁରୀ ପାଇଁ ଫ୍ୟୁଚର ଗ୍ରୁପର କମ୍ପାନୀ ଗୁଡିକ ସପ୍ତାହର ଆରମ୍ଭରେ ଭିନ୍ନ ଭିନ୍ନ ବୈଠକ କରିଥିଲେ। ଏବେ ଏହି ଚୁକ୍ତି ରଦ୍ଦ କରିବା ପାଇଁ ଘୋଷଣା କରିଛି ରିଲାଏନ୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.