ବାପାକୁ ହତ୍ୟା କରି ଶବକୁ ୩୨ ଖଣ୍ଡ କଲା ପୁଅ, ପୁଣି...

Published By : Prameya-News7 Bureau | December 13, 2022 IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ପରି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଉକ୍ତ କେସ୍‌ରେ ପ୍ରେମିକ ପ୍ରେମିକାକୁ ମାରି ଶବକୁ ଖଣ୍ଡ ଖଣ୍ଡ କରିଥିବା ବେଳେ ସଦ୍ୟତମ ଘଟଣାରେ ବାପାକୁ ହତ୍ୟା କରି ଶବକୁ ୩୨ ଖଣ୍ଡ କରିଛି ପୁଅ। ଏହି ଘଟଣା କର୍ଣ୍ଣାଟକର ବାଲାକୋଟ୍‌ରେ ଘଟିଛି। ପୁଅ ବାପାର ଶବ ଖଣ୍ଡଗୁଡିକୁ କୂଅରେ ଫିଙ୍ଗି ଦେଇଥିଲା। ପୋଲିସ୍ ହତ୍ୟାକାଣ୍ଡର ଖୁଲାସା କରି ମୃତକଙ୍କ ଶରୀରର ବିଭିନ୍ନ ଅଙ୍ଗ ଜବତ କରି ଅଭିଯୁକ୍ତ ପୁଅ ବିଠଲା କୁଲାଲିଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।

ପୋଲିସ୍ ଅନୁଯାୟୀ, ଗତ ଡିସେମ୍ବର ୬ରେ ୨୦ ବର୍ଷୀୟ ବିଠଲା ରାଗରେ ନିଜ ବାପା ପର୍ଶୁରାମ କୁଲାଲି(୫୩)ଙ୍କୁ ଲୁହା ରଡ୍‌ରେ ପିଟି ପିଟି ହତ୍ୟା କରିଥିଲା। ପର୍ଶୁରାମ ସର୍ବଦା ମଦ ନିଶାରେ ଚୁର ହୋଇ ନିଜ ଦୁଇ ପୁଅଙ୍କୁ ଗାଳିଗୁଲଜ କରୁଥିଲା। ଏହି କାରଣରୁ ପର୍ଶୁରାମଙ୍କ ପତ୍ନୀ ଏବଂ ବଡ ପୁଅ ଅଲଗା ରହୁଥିଲେ।

ଗତ ମଙ୍ଗଳବାର ପର୍ଶୁରାମ ମଦ ପେଟେ ପିଇ ବିଠଲାକୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଗାଳି ଅସହ୍ୟ ହେବାରୁ ବିଠଲା ରାଗରେ ଏକ ଲୁହା ରଡ୍‌ରେ ପିଟି ପିଟି ନିଜ ବାପାଙ୍କ ହତ୍ୟା କରିଥିଲେ। ଏହା ପରେ ବିଠଲା ବାପା ପର୍ଶୁରାମଙ୍କ ଶରୀରକୁ ୩୨ ଖଣ୍ଡ କରିଥିଲା। ଶରୀରର ଅଙ୍ଗଗୁଡିକୁ ବାଗଲକୋଟ୍‌ ଜିଲ୍ଲାର ମୁଧୋଲର ବାହ୍ୟ ଅଞ୍ଚଳରେ ମଣ୍ଟୁର ବାଇପାସ୍ ସ୍ଥିତ ନିଜ ଖେତରେ ଥିବା ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲା।

ଏମିତି ହେଲା ଖୁଲାସା

କୂଅରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସ୍‌କୁ ସୂଚନା ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତରୁ ବିଠଲା ଉପରେ ସନ୍ଦେହ ପ୍ରକାଶ କରିଥିଲା। ବିଠଲାକୁ ଥାନାକୁ ଡକାଇ ଜେରା କରିବା ସମୟରେ ସେ ନିଜର ଦୋଷ ସ୍ଵୀକାର କରିଥିଲା। ପୋଲିସ୍‌ ଶବର ଖଣ୍ଡଗୁଡିକୁ ବୋରଓ୍ଵେଲ୍‌ରୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.