ଜେଏନୟୁ ପରେ ସିରସା କଲେଜରେ ବ୍ରାହ୍ମଣ ବିରୋଧୀ ନାରା, ଖାଲିସ୍ତାନର ବି ସମର୍ଥନ
9/12/2022 at 1:33 PM

ନୂଆଦିଲ୍ଳୀ, ୯/୧୨: ଜେଏନୟୁ ପରେ ହରିୟାଣାର ସିରସା ଜିଲ୍ଲାରେ ଗୋଟିଏ କଲେଜରେ କାନ୍ଥରେ ଜିନ୍ଦାବାନ୍ଦ ନାରା ଲେଖାଯାଇଥିବାର ଦେଖିବାକୁ ମିଳିଛି। ହରିୟାଣାର ସିରସା ଜିଲ୍ଳାରେ ପଞ୍ଜାବ ସୀମା ସ୍ଥିତ ଡବବାଲିରେ ପୁଣି ଥରେ ଖାଲିସ୍ତାନ ସମର୍ଥକ ନାରା ଲେଖିଥିବାର ଦେଖାଯାଇଛି। ଏଠାରେ ଡ.ଭୀମରାଓ ଆମ୍ବେଦକର ରାଜକୀୟ କଲେଜ କାନ୍ଥରେ ଛଅଟି ସ୍ଥାନରେ ଖାଲିସ୍ତାନ ସମର୍ଥକ ନାରା ଲେଖାଯାଇଛି। ସେହି ଠାରେ ବ୍ରାହ୍ମଣ ହରିୟାଣା ଛାଡ଼ର ନାରା ମଧ୍ୟ ଲେଖଯାଇଛି।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଏହି ନାରା ଲେଖିବା କଥା କହୁଥିବା ଗୁରୁପତଓ୍ବନ୍ତ ସିଂହ ପନ୍ନୁ ଏବଂ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଛି । ଭିଡିଓରେ ହରିୟାଣାକୁ ପଞ୍ଜାବର ଅଂଶ ବୋଲି କୁହାଯାଇଛି । ଏହା ସହ ସିଏମ ମନୋହର ଲାଲ ଖଟ୍ଟରଙ୍କୁ ଚେତାବନୀ ଦିଆଯାଇଛି ଯେ ୨୯ ଜାନୁଆରୀରେ ଅଷ୍ଟ୍ରଲିଆର ମେଲବର୍ଣ୍ଣରେ ଏହାକୁ ନେଇ ଭୋଟିଂ କରାଯିବ। ଅନୁମାନ କରାଯାଉଛି ଡ୍ରଗ୍ କାରବାର କରୁଥିବା ଗ୍ୟାଙ୍ଗ ଏବଂ ଏହି ଅଞ୍ଚଳର ସାମାଜିକ ସୌହାର୍ଦ୍ଧ୍ୟ ନଷ୍ଟ କରିବା ଉଦ୍ଧେଶ୍ୟରେ ଏପରି କରାଯାଇଛି।
ସିରସାର ଡବବାଲୀ ରାଜସ୍ଥାନ ଏବଂ ପଞ୍ଜାବ ବର୍ଡରେ ରହିଛି। ଏମିତିରେ ଡବବାଲି ପୋଲିସ ରାଜସ୍ଥାନ ଏବଂ ପଞ୍ଜାବରେ ମଧ୍ୟ ଏହାର ଯାଞ୍ଚ କରିପାରେ। ଡବବାଲୀ ଡିଏସପି କୁଲଦୀପ ବେନୀବାଲ କହିଛନ୍ତି ଏହାର ଯାଞ୍ଚ ଚାଲିଛି। ଡିଏସପି କହିଛନ୍ତି ଏହି ମାମଲାରେ ସବୁ ଦିଗରୁ ଯାଞ୍ଚ କରାଯାଉଛି।
ଏହା ପୂର୍ବରୁ ଜେଏନୟୁ କାନ୍ଥରେ ଅସାମାଜିକ ବ୍ୟକ୍ତି ବ୍ରାହ୍ମଣଙ୍କ ବିରୋଧରେ ନାରା ଲେଖିଥିଲେ। ଅନେକ ନାରା ଅତ୍ୟନ୍ତ ଉତ୍ତେଜିତ କରିବା ଭଳି ମଧ୍ୟ ଥିଲା।