ଭାରତ ପରେ ୟୁରୋପରେ ତାଣ୍ଡବ ମଚାଇବ କରୋନାର ଡେଲ୍‌ଟା ଭେରିଏଣ୍ଟ !

Published By : Prameya-News7 Bureau | June 23, 2021 IST

ନୂଆଦିଲ୍ଲୀ  ୨୩।୦୬: ଭାରତରେ ତାଣ୍ଡବ ମଚାଇବା ପରେ କରୋନା ଭାଇରସ୍‌ର ଡେଲ୍‌ଟା ଭାରିଏଣ୍ଟ ଏବେ ୟୁରୋପୀୟ ଦେଶରେ ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ ହୋଇ ଯାଇଛି। ୟୁରୋପୀୟ ୟୁନିୟନର ରୋଗ ନିୟନ୍ତ୍ରକ ଏଜେନ୍ସି  ଏନେଇ ଚେତାବନୀ ଜାରି କରିଛନ୍ତି। ଏଜେନ୍ସି କହିଛି, ଆଗାମୀ ଦିନରେ ୯୦ ପ୍ରତିଶତ ସଂକ୍ରମଣ କେବଳ ଡେଲଟା ଭେରିଏଣ୍ଟର ହିଁ ହେବ। ଭାରତରେ ଡେଲ୍‌ଟା ଭାରିଏଣ୍ଟ ହାହାକାର ମଚାଇଥିଲା। ଏହା ବହୁତ ସଂକ୍ରାମକ ରହିଥିଲା। ସ୍ଥିତି ଏମିତି ଥିଲା ଯେ, ଭାରତରେ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ୟୁରୋପିୟନ ସେଣ୍ଟର ଫର ଡିଜିଜ୍ ପ୍ରିଭେନସନ ଆଣ୍ଡ କଣ୍ଟ୍ରୋଲ(ଇସିଡିସି)ର ନିର୍ଦ୍ଦେଶକ ଆଣ୍ଡ୍ରିୟା ଏମ୍ମୋନ କହିଛନ୍ତି, ଗରମ ପରିବେଶରେ ଡେଲ୍‌ଟା ଭେରିଏଣ୍ଟ ଦ୍ରୁତ ଗତିରେ ବ୍ୟାପିପାରେ। ବିଶେଷ କରି ଯେଉଁ ଯୁବ ବର୍ଗ ଟିକା ନେଇ ନାହାନ୍ତି ସେମାନଙ୍କ ପାଇଁ ସଂକ୍ରମଣ ହେବାର ବିପଦ ରହିଛି। ଡେଲଟା ଭେରିଏଣ୍ଟ ଅନ୍ୟ ଭେରିଏଣ୍ଟ ତୂଳନାରେ ଅଧିକ ସଂକ୍ରାମକ ଏବଂ ଆମର ଅନୁମାନ ୟୁରୋପିୟନରେ ଅଗଷ୍ଟ ସୁଦ୍ଧା ୯୦ ପ୍ରତିଶତ କେସ୍ ଚିହ୍ନଟ ହୋଇପାରେ।

ଇସିଡିସିର ଆକଳନ, ଡେଲ୍‌ଟା ଭେରିଏଣ୍ଟ(B.1.617.2) ଅଲଫା ଭେରିଏଣ୍ଟଠୁ ପ୍ରାୟ ୪୦ ରୁ ୬୦ ପ୍ରତିଶତ ଅଧିକ ସଂକ୍ରାମକ।  ଅଲଫା ଭେରିଏଣ୍ଟ ସର୍ବ ପ୍ରଥମେ ୟୁକେରୁ ଚିହ୍ନଟ ହୋଇଥିଲା। ୟୁରୋପିୟନ ୟୁନିୟନରେ ସର୍ବାଧିକ କେସ୍ ଏହି ଭେରିଏଣ୍ଟର ରହିଛି। ଏଜେନ୍ସି ସୂଚନା ଦେଇଛି ଯେ, ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ୟୁରୋପ ଦେଶଗୁଡିକରେ ୭୦ ପ୍ରତିଶତ କେସ୍ ଡେଲ୍‌ଟା ଭେରିଏଣ୍ଟ କାରଣରୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.