ପିଆଜ କିଲୋ ୨୨ : ବିକିବେ ସରକାର

Published By : Prameya-News7 Bureau | January 15, 2020 IST

ନୂଆଦିଲ୍ଲୀ ୧୫/୧: ଦରବୃଦ୍ଧି ସମସ୍ୟା ଏବେ କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଛି। ବିଭିନ୍ନ ପ୍ରକାରର ଖାଦ୍ୟ ସମସ୍ୟା ବିଶେଷ କରି ପିଆଜର ବର୍ଦ୍ଧିତ ଦର ଦେଶର ଖୁଚୁରା ମୁଦ୍ରାସ୍ଫୀତିକୁ ୬ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚାଇ ଦେଇଛି। ଏଭଳି କ୍ଷେତ୍ରରେ ସରକାର ଲୋକଙ୍କୁ କିଲୋ ପିଛା ୨୨ଟଙ୍କାରେ ପିଆଜ ଯୋଗାଇ ଦେବେ ବୋଲି ମଙ୍ଗଳବାର କହିଛନ୍ତି।

ଖାଉଟି ବ୍ୟାପାର,ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶଓ୍ବାନ କହିଛନ୍ତି ଯେ,୧୮,୦୦୦ ଟନ୍ ପିଆଜ ବର୍ତ୍ତମାନ ସୁଦ୍ଧା ଆମଦାନୀ ଆମଦାନୀ ହୋଇଛି। ସବୁ ପ୍ରକାରର ଉଦ୍ୟମ ସତ୍ବେ ମାତ୍ର ୨୦୦୦ଟନ୍ ବିକ୍ରି ହୋଇଛି। ବର୍ତ୍ତମାନ କିଲୋ ପିଛା ୨୨ଟଙ୍କାରେ ପିଆଜ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଥିବା କଥା ସେ କହିଛନ୍ତି। ସୂଚନାଯୋଗ୍ୟ ଗତବର୍ଷ,ଅଧିକାଂଶ ସହରରେ କିଲୋ ପିଛା ପିଆଜ ଦର ୧୦୦ଟଙ୍କା ଟପିଥିଲା।

ଖାଉଟି ବ୍ୟାପାର ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଡିସେମ୍ବରରେ କହିଥିଲେ ଯେ, ଆମଦାନୀ କରାଯାଇଥିବା ପିଆଜ ଦେଶରେ ପର୍ଯ୍ୟାୟ କ୍ରମେ ପହଞ୍ଚୁଛି। ୧୧୬୦ ଟନ୍ ପିଆଜ ପହଞ୍ଚିଛି। ୩ରୁ ୪ଦିନ ମଧ୍ୟରେ ଅତିରିକ୍ତ ୧୦,୫୬୦ ଟନ୍ ପିଆଜ ପହଞ୍ଚିବ ବୋଲି ସେ ସେହି ସମୟରେ କହିଥିଲେ। ତୁର୍କୀ,ଇଜିପ୍ଟ ଏବଂ ଆଫଗାନିସ୍ତାନରୁ ଉଭୟ ନାଲି ଓ ହଳଦିଆ ପିଆଜ ଆସିଛି। ମୁମ୍ବାଇ ବନ୍ଦରରେ ଏସବୁ ପହଞ୍ଚିଥିବା ଅଧିକାରୀଜଣକ କହିଥିଲେ। ସୂଚନାଯୋଗ୍ୟ ,ଖାଦ୍ୟ ସାମଗ୍ରୀ ମହଙ୍ଗା ହେବା ଫଳରେ ଉଭୟ ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତିରେ ବଡ଼ ଧରଣର ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.