ମିଶିଗଲା କି ଦୁଇ ନେତାଙ୍କ ମନ? କିଛିଦିନ ତଳେ ପାଇଲଟଙ୍କୁ ଗଦ୍ଦାର କହୁଥିଲେ ଗେହେଲୋଟ, ଏବେ କହୁଛନ୍ତି ସମୟ ସବୁ ଠିକ୍ କରିଦେଇଛି

Published By : Prameya-News7 Bureau | December 11, 2022 IST

ବୁନ୍ଦି: ରାଜସ୍ଥାନ କଂଗ୍ରେସରେ ଫାଟ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି।  କିଛିଦିନ ତଳେ ସଚିନ ପାଇଲଟଙ୍କୁ ସିଧା ସିଧା ବେଇମାନ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍। କହିଥିଲେ ସଚିନ ଜଣେ ବେଇମାନ। ତାଙ୍କୁ ସୋନିଆ କେବେ ବି ମୁଖ୍ୟମନ୍ତ୍ରୀ କରିବେ ନାହିଁ। ହେଲେ ଏବେ ତାଙ୍କ ସ୍ୱର ବଦଳିଯାଇଛି।

ପାଇଲଟଙ୍କ ବିରୋଧରେ ବିଷୋଦ୍‌ଗାର କରୁଥିବା ଗେହେଲୋଟ୍‌ଙ୍କ ତୁଣ୍ଡ ଏବେ ନିରବ ରହୁଛି। ଲାଗୁଛି ଭାରତ ଯୋଡ଼ ଯାତ୍ରା ପରେ ପାଇଲଟ ଓ ଗେହେଲୋଟ୍‌ଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇଯାଇଛି। ଭାରତ ଯୋଡ଼ ଯାତ୍ରାରେ ଉଭୟ ନେତାଙ୍କ ହୃଦୟ ଯୋଡ଼ି ହୋଇଯାଇଛି। କାରଣ ଗେହେଲୋଟ୍ କହୁଛନ୍ତି, ରାଜନୀତିରେ ଏମିତି ସବୁ ହୋଇଥାଏ, ପୁଣି ସମୟ ସହିତ ସବୁ ଠିକ୍ ହୋଇଯାଏ।

ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ପୂର୍ବରୁ ଗେହେଲୋଟ୍ ପାଇଲଟ୍‌ଙ୍କ ଗଦ୍ଦାର କହି ଗାଳି କରିଥିଲେ। ହେଲେ ରାହୁଲଙ୍କ ଯାତ୍ରା ପରେ ଏକ ଆଦିବାସୀ କାର୍ଯ୍ୟକ୍ରମରେ ଗେହେଲୋଟ ଓ ପାଇଲଟ୍ ହାତ ଧରାଧରି ହୋଇ ରାହୁଲଙ୍କ ସହ ମିଶି ନୃତ୍ୟ କରିଥିଲେ। ପାଦରେ ପାଦ ମିଶାଇ ନାଚୁ ନାଚୁ ବିବାଦ ମେଣ୍ଟିଗଲା ଓ ମନ ବୋଧେ ମିଶିଗଲା। ଏବେ ଗେହେଲୋଟ୍‌ ଆଉ ପାଇଲଟଙ୍କ ଉପରେ ରାଗୁ ନାହାନ୍ତି।

ଏନ୍‌ଡିଟିଭିକୁ ସାକ୍ଷାତକାର ଦେଇ ପାଇଲଟ କହିଛନ୍ତି ଯେ “ରାଜନୀତିରେ ଏଭଳି ଘଟଣା ଦୁର୍ଘଟଣା ଘଟିଥାଏ। ସମୟ ସବୁ ଠିକ୍ କରିଦେବ। ସବୁ କଂଗ୍ରେସକର୍ମୀ ଭାବିବା ଦରକାର ଯେ ଆମ ଲଢ଼େଇ ବିଜେପି ସହ ରହିଛି। କାରଣ ବିଜେପି ଫାସୀବାଦ ସରକାର ଚଳାଉଛି। ଏଣୁ କଂଗ୍ରେସ ମଜଭୁତ ରହିବା ନିହାତି ଦରକାର।”

ତେବେ ଏହା ପୂର୍ବରୁ ଗୁଜରାଟ ନିର୍ବାଚନ ଫଳାଫଳ ପରେ ଏନେଇ ପାଇଲଟ ପ୍ରତିକ୍ରିୟା ଆସିଥିଲା। ସେ କହିଥିଲେ ଯେ ସେ ଏଥିରେ ଆଦୌ ବିଚଳିତ ହୋଇ ନାହାନ୍ତି। ଆମକୁ ଆଗକୁ ଯିବାର ଅଛି। କିଏ କଣ କହୁଛି ତାହା ମୋ ନିୟନ୍ତ୍ରଣରେ ନାହିଁ। ଆମକୁ ଆଗକୁ ଯାଇ ସାଙ୍ଗରେ କାମ କରିବାର ଅଛି ବୋଲି ପାଇଲଟ କହିଥିଲେ। ଆଉ ଆଜି ଗେହେଲୋଟ କହୁଛନ୍ତି ସମୟ ସବୁ ଠିକ୍ କରିଦେଇଛି।

ତେବେ ଗେହୋଲୋଟଙ୍କ ଗଦ୍ଦାର ବୟାନକୁ ନେଇ ସେତେବେଳେ ପାଇଲଟ୍‌ଙ୍କୁ ପ୍ରଶ୍ନ କରାଯାଇଥିଲା। ସେତବେଳେ କିନ୍ତୁ ପାଇଲଟ ଆଘାତ ପାଇଥିବା କହିଥିଲେ। ସେତେବେଳେ ସେ କହିଥିଲେ “ ମୁଁ ଜଣେ ମଣିଷ। ମୁୋତେ ବି ଦୁଃଖ ଲାଗେ ଓ ଆଘାତ ଲାଗେ। ତେବେ ମୁଁ ଅତୀତକୁ ଯିବାକୁ ଚାହେଁନି।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.