ମାଗଣା ଘର ଓ ରାସନ ପରେ ଏବେ ଲୋକଙ୍କ ଟିଭି ଦେଖା ଖର୍ଚ୍ଚ ମଧ୍ୟ ଉଠାଇବେ କେନ୍ଦ୍ର ସରକାର, ଜାଣନ୍ତୁ କେବେଠୁ
5/01/2023 at 2:39 PM

ନୂଆଦିଲ୍ଲୀ ୫।୧: କେନ୍ଦ୍ର ମୋଦି ସରକାର ସାଧରଣ ଜନତାଙ୍କୁ ଅନେକ ପ୍ରକାରର ସୁବିଧା ପ୍ରଦାନ କରୁଛନ୍ତି। ମାଗଣା ଖାଦ୍ୟ ଶସ୍ୟରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁକିଛି କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି। ଏଥିରେ କେନ୍ଦ୍ର ସରକାର ପୁଣି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଜନସାଧାରଣଙ୍କୁ ଏବେ ମାଗଣାରେ ଡିସ୍ ଟିଭି ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶରେ ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓର ସ୍ଥିତି ସୁଧାର ନିମନ୍ତେ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି।
ମୋଦି ସରକାରଙ୍କ କ୍ୟାବିନେଟ୍ରେ ଏହି ନିଷ୍ପତ୍ତି ହୋଇଛି। ଯେଉଁଥିରେ ଦୂରଦର୍ଶନ ଓ ଅଲଇଣ୍ଡିଆ ରେଡିଓର ସ୍ଥିତି ସୁଧାର ନିମନ୍ତେ ୨,୫୩୯ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଜଣାପଡିଛି। ଏଥିରେ ସରକାର ଦେଶର ସୁଦୂର ସୀମାବର୍ତ୍ତି ଓ ଜନଜାତୀୟ କ୍ଷେତ୍ରରେ ବସବାସ କରୁଥିବା ଲୋକଙ୍କୁ ଫ୍ରି ଡିସ୍ ସୁବିଧା ପ୍ରଦାନ କରିବେ। ଏହି ସବୁ ଅଞ୍ଚଳର ପାଖାପାଖି ୭ ଲକ୍ଷ ଲୋକଙ୍କ ଘରେ ଫ୍ରି ଡିସ୍ ଲଗାଯିବ।

ଏହି ଯୋଜନାରେ କେନ୍ଦ୍ର ସରକାର ଡିଟିଏଚର ସମ୍ପ୍ରସାରଣ କରିବେ। ଏହା ସହିତ ପୁରୁଣା ଓବି ଭ୍ୟାନକୁ ସମ୍ପୂର୍ଣ୍ଣ ବଦଳାଇବାର ଯୋଜନା ମଧ୍ୟ କରିଛନ୍ତି। ଏବେ ଦୂରଦର୍ଶନରେ ପାଖାପାଖି ୩୬ଟି ଟିଭି ଚ୍ୟାନେଲ ଆସୁଛି। ଏଥିରେ ୨୮ଟି ଆଞ୍ଚଳିକ ଚାନେଲ ଅଛନ୍ତି। ସେହିପରି ବର୍ତ୍ତମାନ ସମୟରେ ଅଲ ଇଣ୍ଡିଆ ରେଡିଓର ସାରା ଦେଶରେ ୫୦୦ଟି ବ୍ରଡକାଷ୍ଟିଂ ସେଣ୍ଟର ରହିଛି।
ଏ ନେଇ ସରକାର ଏକ ପ୍ରେସ୍ ରିଲିଜ ଜାରି କରିଥିବା ବେଳେ ଏହା ଦ୍ୱାରା ଦେଶରେ ରୋଜଗାରକୁ ପ୍ରୋତ୍ସାହନ ମିଳିବା ସହିତ କଣ୍ଟେଣ୍ଟ କ୍ୱାଲିଟିରେ ମଧ୍ୟ ସୁଧାର ହୋଇପାରିବ ବୋଲି କହିଛନ୍ତି। ଦେଶରେ ଟିଭି, ରେଡିଓ ସମେତ ଅନେକ କ୍ଷେତ୍ରରେ ରୋଜଗାର ସୃଜନ ହେବା ସାଙ୍ଗକୁ ଯୁବ ପିଢୀଙ୍କୁ ନିଜର କୃତିତ୍ୱ ପ୍ରଦର୍ଶନର ମଧ୍ୟ ସୁଯୋଗ ମିଳିବ। ସେହିପରି ଦୂରଦର୍ଶନରେ ବଡ଼ ପରିବର୍ତ୍ତନ ସହିତ ସରକାର ଭିଡିଓ କ୍ୱାଲିଟିରେ ମଧ୍ୟ ସୁଧାର ଆଣିବେ। ଏହିକ୍ରମରେ ପୁରୁଣା ଟ୍ରାନ୍ସମିଟର ବଦଳାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏଥିରେ ସରକାର ନୂଆ ଏଫଏମ ଟ୍ରାନ୍ସମିଟର୍ସ ଲଗାଇବା ସହିତ ପୁରୁଣା ଟ୍ରାନ୍ସମିଟର ଗୁଡିକର ଅପଗ୍ରେଡେସନ କରିବେ।