‘ଏରିସ୍’ ପରେ ଏବେ କୋଭିଡ-୧୯ର ନୂଆ ଭାରିଆଣ୍ଟ BA.2.86 କୁ ନେଇ ସତର୍କ କଲେ ଡବ୍ଲୁଏଚଓ,
18/08/2023 at 7:40 PM

ଜେନେଭା ୧୮।୮: ଏରିସ୍ ପରେ କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ ବିଏ.୨.୮୬କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଉଦବେଗ ପ୍ରକାଶ କରିଛନ୍ତି। ଡବ୍ଲୁଏଚଓ କହିଛନ୍ତି ଯେ କରୋନାର ଏହା ଅନ୍ୟ ଭାରିଏଣ୍ଟ ଅପେକ୍ଷା ଅଧିକ ମ୍ୟୁଟ। ବିଏ.୨.୮୬ ଓମିକ୍ରନର ବିଏରୁ ଉତପରିବର୍ତ୍ତିତ ହୋଇଛି। ଏହାର ପ୍ରଥମ ମାମଲା ଇସ୍ରାଏଲରେ ମିଳିଥିବାର କୁହାଯାଇଛି। ତା ପରଠାରୁ ଏହା ଡେନମାର୍କ, ଆମେରିକା ଓ ବ୍ରିଟେନରେ ମଧ୍ୟ ମିଳିବାକୁ ଲାଗିଲାଣି।

ଏହି ଭାରିଆଣ୍ଟର ବିପଦଜନକ ଲକ୍ଷଣ ଦେଖାଯାଇଛି। ଏଣୁ ପୁଣି କୋଭିଡ ସଂକ୍ରମଣର ଆଶଙ୍କା ବଢି ଯାଇଛି। ତେବେ ଡବ୍ଲୁଏଚଓ ଏହାର ପ୍ରସାର ଏବଂ ଜଟିଳତାକୁ ନେଇ ଏହା ଉପରେ ଏବେ ନଜର ରଖିଛନ୍ତି। ଏ ନେଇ ବୈଶ୍ୱିକ ସ୍ୱାସ୍ଥ୍ୟ ସଙ୍ଗଠନ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। କୋଭିଡ-୧୯ ପ୍ରତିକ୍ରିୟା ନିମନ୍ତେ ବୈଷୟିକ ପ୍ରମୁଖ ମାରିୟା ୱାନ କେରଖୋବ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଏବେ ଏହା ସମ୍ପର୍କରେ ଖୁବ୍ ସୀମିତ ସୂଚନା ଅଛି। ତେବେ ଭାରିଆଣ୍ଟର ଚିହ୍ନଟ ନିମନ୍ତେ କଡା ଦେଖରେଖ ଓ କୋଭିଡ-୧୯ ରିପୋର୍ଟିଂର ଆବଶ୍ୟକତା ଥିବା ସେ ଉଲ୍ଲେଖ କରିଛନ୍ତି।

ବିଏ.୨.୮୬ ଏପରି ଜଣଙ୍କଠାରେ ଚିହ୍ନଟ ହୋଇଛି ଯିଏ କ୍ରୋନିକ ନୁହନ୍ତି କି କାହା ଦ୍ୱାରା ସଂକ୍ରମିତ ହୋଇ ନାହାନ୍ତି। ସେହିପରି ଆମେରିକାରେ ଭୂତାଣୁର ନୂଆ ଉତପରିବର୍ତ୍ତନକୁ ମିଶିଗନ ବିଶ୍ୱବିଦ୍ୟାଳୟର ଏକ ଲାବରେଟରୀ ଦ୍ୱାରା ରିପୋର୍ଟ କରାଯାଇଥିଲା। ୟୁଏସ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ(ସିଡିସି) ଭୂତାଣୁର ଏହି ନୂଆ ଷ୍ଟ୍ରେନ ଉପରେ ନଜର ରଖାଯାଇଥିବା ଗୁରୁବାର ଘୋଷଣା କରିଛନ୍ତି।