‘ତିତ୍ଲି’ ପରର ପ୍ରଭାବ : ବ୍ରହ୍ମଗିରି ଅରଖକୁଦ ଅଂଚଳରେ ପଶିଲା ଚିଲିକା ପାଣି, ଲୋକେ ହନ୍ତସନ୍ତ
11/10/2018 at 10:55 AM

ବ୍ରହ୍ମଗିରି ୧୧|୧୦: ‘ତିତିଲି’ ଭୟ ଟଳିଛି। ମଧ୍ୟାହ୍ନସୁଦ୍ଧା ଏହା ଦୁର୍ବଳ ହୋଇଯିବ । ଅପରପକ୍ଷରେ ପୁରୀ ଜିଲ୍ଲାରେ ତିତିଲି ପରର ପ୍ରଭାବ ଦେଖାଦେଇଛି। ଚିଲିକା ଅଶାନ୍ତ ହେବାରେ ଲାଗିଛି । ବ୍ରହ୍ମଗିରି ବ୍ଲକର ବିଭିନ୍ନ ଅଂଚଳରେ ଚିଲିକାର ପାଣି ପଶିବାରେ ଲାଗିଛି । ଚିଲିକାକୁ ଲାଗିଥିବା ଅରଖକୁଦ, ସାନପାଟଣା, ମିର୍ଜାପୁର, ଗବକୁଣ୍ଡ, ସିପକୁଦା ଆଦି ଗାଁରେ ପାଣି ପଶିଛି ।
ସମୁଦ୍ରରେ ଜୁଆର ଆସୁଥିବାରୁ ଚିଲିକାରେ ପାଣି ବଢୁଛି । ଫଳରେ ଗାଁରେ ପାଣି ପଶିଛି । ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅରଖକୁଦ ଗାଁ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଅରଖକୁଦଠାରେ ଚିଲିକାର ମୁହାଁଣ ଖୋଲିଯାଇଛି। ଲୋକମାନେ ଆତଂକିତ ଅବସ୍ଥାରେ ଅଛନ୍ତି। ଲୋକେ ଭୋକ ଉପାସରେ ଅଛନ୍ତି। ପ୍ରବଳ ବର୍ଷା ଲାଗି ରହିଛି। ପବନର ବେଗ ଘଣ୍ଟାକୁ ୭୦ରୁ ୮୦କିଲୋମିଟର ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ବ୍ରହ୍ମଗିରି ଅଂଚଳରେ ବାତ୍ୟା ଆଶ୍ରୟସ୍ଥଳରେ ଖାଇବା ପିଇବାର ଅସୁବିଧା ରହିଥିବାରୁ ଲୋକେ ସେଠିକୁ ଯିବାକୁ ଚାହୁଁନଥିବା ଲୋକେ କହିଛନ୍ତି। ସଂପୃକ୍ତ ଅଂଚଳରେ କୌଣସି ସରକାରୀ ଅଧିକାରୀ ପହଂଚି ନାହାଁନ୍ତି।