ECIଙ୍କ ନିର୍ଦ୍ଦେଶ ପରେ ଆକ୍ସନରେ ଉଦ୍ଧବ ଠାକରେ, ଆୟୋଗ ଆଗରେ ରଖିଲେ ତିନି ନାଁ ଏବଂ ନିର୍ବାଚନୀ ଚିହ୍ନ

Published By : Prameya-News7 Bureau | October 09, 2022 IST

ନୂଆଦିଲ୍ଲୀ: ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଶିବସେନାର ନାଁ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ଲଢେଇ ଜାରି ରହିଛି । ଏହାରି ଭିତରେ ଶନିବାର ନିର୍ବାଚନ ଆୟୋଗ ଶିବସେନା ନାଁ ଏବଂ ଚିହ୍ନ ବ୍ୟବହାର ଉପରେ ରୋକ ଲଗାଇଥିଲେ । ଏହା ପରେ ଉଦ୍ଧବ ଠାକରେ ଗୋଷ୍ଠୀ ମୁମ୍ୱାଇର ଅନ୍ଧେରୀ ଇଷ୍ଟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତିନୋଟି ନାଁ ଏବଂ ନିର୍ବାଚନୀ ଚିହ୍ନର ଲିଷ୍ଟ ଦେଇଛି । ନିର୍ବାଚନୀ ଆୟୋଗ ସହ ଜଡିତ ସୂତ୍ରକୁ ଆଧାର କରି ଏନଡିଟିଭି ଏହି ରିପୋର୍ଟ ପ୍ରକାଶ କରିଛି।

ସୂଚନା ଅନୁସାରେ, ନାଁ ପାଇଁ 'ଶିବସେନା ବାଲାସାହେବ ଠାକରେ' ହେଉଛି ଉଦ୍ଧବ ଗୋଷ୍ଠୀର ପ୍ରଥମ ପସନ୍ଦ । ସେହିପରି ଦ୍ୱିତୀୟ ପସନ୍ଦ ଭାବେ 'ଶିବସେନା ଉଦ୍ଧବ ବାଲାସାହେବ ଠାକରେ' ନାଁର ପ୍ରସ୍ତାବ ଦିଆଯାଇଛି । ଉଦ୍ଧବ ଗୋଷ୍ଠୀ ପକ୍ଷରୁ ବାଲାସାହେବ ଠାକରେ ନାଁକୁ ବ୍ୟବହାର କରାଯାଇଛି । ସେହିପରି ଚିହ୍ନ ଭିତରେ ତ୍ରିଶୂଲ, ଉଦୟ ସୂର୍ଯ୍ୟ ଏବଂ ମଶାଲକୁ ନିଜ ପସନ୍ଦର ନିର୍ବାଚନୀ ଚିହ୍ନ ଭାବେ ନିର୍ବାଚନ ଆୟୋଗଙ୍କ ଆଗରେ ରଖିଛି ଉଦ୍ଧବ ଗୋଷ୍ଠୀ ।

ପାର୍ଟିର ଦୁଇ ଗୋଷ୍ଠୀ ଦ୍ୱାରା ନାଁ ଏବଂ ନିର୍ବାଚନୀ ଚିହ୍ନ ଉପରେ ଦାବି କରାଯିବା ପରେ ନିର୍ବାଚନ ଆୟୋଗ ଅନ୍ତରୀଣ ଆଦେଶ ଜାରି କରି ଏହା ଉପରେ ରୋକ ଲଗାଇଥିଲେ । ଏହାପରେ ସୋମବାର ସୁଦ୍ଧା ନିଜ ନିଜ ପାର୍ଟି ପାଇଁ ତିନୋଟି ଲେଖାଏଁ ନାଁ ଏବଂ ନିର୍ବାଚନୀ ଚିହ୍ନର ପ୍ରସ୍ତାବ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ । ଉଭୟ ଗୋଷ୍ଠୀ ଦ୍ୱାରା ଦିଆଯାଇଥିବା ନାଁ ଏବଂ ଚିହ୍ନ ମଧ୍ୟରୁ ଗୋଟିଏର ଉପଯୋଗ କରିବା ପାଇଁ ଆଯୋଗ ଅନୁମତି ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.