ବାତ୍ୟା ଟଳିଗଲା, ବଢିଲାଣି ବନ୍ୟା ଭୟ ; ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ବନ୍ୟା ପରିସ୍ଥିତି

Published By : Prameya-News7 Bureau | October 12, 2018 IST

ଭୁବନେଶ୍ବର ୧୨|୧୦: ବାତ୍ୟା ଟଳିଗଲା, ହେଲେ ବଢିଲାଣି ବନ୍ୟା ଭୟ । ତିତଲି ପ୍ରଭାବରେ ୨ଦିନ ଧରି ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡିଶାର ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ସ୍ଥିତି ଆହୁରି ସଂଗୀନ ହୋଇପାରେ । ଋଷିକୂଲ୍ୟା ଓ ବଂଶଧାରା ଅବବାହିକାରେ ବନ୍ୟା ଆସି  ଅନେକ ଅଂଚଳ ଜଳମଗ୍ନ ହୋଇଛି । ସେପଟେ ଜଳକା ଫୁଲୁଥିବାରୁ ବାଲେଶ୍ବର ଜିଲ୍ଲାର ଅନେକ ଅଞ୍ଚଳରେ ପାଣି ପଶିଲାଣି । ଋଷିକୂଲ୍ୟା ଉଗ୍ର ରୂପ ନେଉଛି । ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟା ବିପଦ ସଂକେତ ଉପରେ ୧୮.୪ମିଟର ଉପରେ ରହିଛି । ପୁରୁଷୋତ୍ତମପୁରର ଅନେକ ଇଲାକା ଜଳବନ୍ଦୀ ହୋଇଛି । ଉଦ୍ଧାର ପାଇଁ ଏଠାରେ ଓଡିଆରଏଏଫ ଟିମ୍ ମୁତୟନ ହୋଇଛନ୍ତି । ସେପଟେ କାଶୀନଗରରେ ବଂଶଧାରା ବଢୁଛି । ଭଂଜନଗର, ଆସ୍କା ଏବଂ ସୋରଡା, ଋଷିକୁଲ୍ୟାର ବନ୍ୟାଜଳରେ ଫସିରହିଛି । ଶହ ଶହ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଲୋହରାଖଣ୍ଡି, ବଡ ନଦୀ ଓ ବୋଡା ନଦୀର ବନ୍ୟା ଜଳରେ ଫଶିରହିଛନ୍ତି ଶହ ଶହ ଲୋକ । ବ୍ରହ୍ମପୁର-ଭଂଜନଗର, ସୋରଡା-ଭଂଜନଗର, ଦଶପଲା-ଭଂଜନଗର, ଭୁବନେଶ୍ବର-ଭଂଜନଗରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗଜପତି ଜିଲ୍ଲା ମୋହନାର ଲେଡବନ୍ଧ ନଦୀ ଫୁଲି ରାସ୍ତା ଉପରେ ଚାଲୁଛି ୩ ଫୁଟ୍ ଉଚ୍ଚରେ ପାଣି । ଫଳରେ ବ୍ରହ୍ମପୁର-ରାୟଗଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତା ଉପରେ ପାଣି ଚାଲିବା ଯୋଗୁଁ ଆସିକାରୁ ସୋରଡ଼ାକୁ  ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ନଳବଣ୍ଟାଠାରେ ପାଣି ରାସ୍ତା ଉପରେ ଚାଲିବା ଯୋଗୁଁ ଆସିକା-ବ୍ରହ୍ମପୁର ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି । ଆସିକା-ଦିଗପହଣ୍ଡି ରାସ୍ତାରେ ବି ପାଣି ଚାଲୁଛି । ଗୌଡ଼ଗୋଠ, ଖମାର, ଦାମୋଦରପଲ୍ଲୀ, ଦେଉଳି ଆଦି ତଳିଆ ଅଂଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ସେପଟେ ଉତ୍ତର ଓଡିଶାରେ ବି ସ୍ଥିତି ସଂଗୀନ । ଫୁଲୁଛି ଜଳକା । ବାଲେଶ୍ବର ବସ୍ତାର ମଥାନିରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.