ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିର ଶେଷ ହୋଇଛି । ଏହି ଶିବିରର ଶେଷ ଦିନରେ କଂଗ୍ରେସର ଅନ୍ତରିଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଭବିଷ୍ୟତର ଦଳ ପାଇଁ ଯୋଜନା ରଖିଥିଲେ। କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଭାରତ ଯୋଡ ଯାତ୍ରା ଆରମ୍ଭ କରିବେ। ଅନ୍ୟପଟେ ଗୁଜରାଟ ନିର୍ବାଚନ ଏବଂ ଚଳିତ ଥର ସୃଷ୍ଟି ହୋଇଥିବା ନୂଆ ଆହ୍ୱାନକୁ ନଜରରେ ରଖି ବିଜେପି ଅହମଦାବାଦରେ ଚିନ୍ତନ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।
ରବିବାର ଅହମଦାବାଦରେ ଦୁଇ ଦିନିଆ ସମ୍ମିଳନୀର ଆୟୋଜନ କରାଯିବ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳର ଗୁଜରାଟ ପ୍ରଭାରୀ ଭୂପେନ୍ଦ୍ର ଯାଦବ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଅନ୍ୟ ବଡ଼ ନେତା ଶିବିରରେ ସାମିଲ ହେବେ। ଗୁଜରାଟରେ ଲଗାତାର ଷଷ୍ଠ ଥର ପାଇଁ ସରକାର ଗଠନ ଲାଗି ଆବଶ୍ୟକୀୟ ନୀତି ପାଇଁ ଏହି ଚିନ୍ତନ ଶିବିର ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଗୃହ ରାଜ୍ୟ ହୋଇଥିବାରୁ ଗୁଜରାଟ ନିର୍ବାଚନ ବିଜେପି ପାଇଁ ସମ୍ମାନ ଲଢେଇ ହେବ।
ସୂତ୍ର ଅନୁସାରେ ଏହି ମହାବୈଠକରେ ଅନ୍ୟ ଦଳରୁ ଆସିଥିବା ନେତାଙ୍କ ବିଜୟ ସମ୍ଭାବନାକୁ ଆଧାରେ ସେମାନଙ୍କୁ ଟିକେଟ ଦିଆଯିବା ଉପରେ ଚର୍ଚ୍ଚା ହେବ। ଲଗାତାର ୨୫ ବର୍ଷ ଧରି ଗୁଜରାଟରେ ବିଜେପିର ସରକାର ରହିଛି। ଏପରି ସ୍ଥିତିରେ ଦଳ ବିରୋଧୀ ହୱାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି କରାଯିବ।