CJIଙ୍କୁ ଟ୍ରୋଲ ନେଇ ତାତିଲେ ବିପକ୍ଷ ସାଂସଦ, ଦୋଷୀଙ୍କ ବିରୋଧରେ ଆକ୍ସନ ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ
18/03/2023 at 10:29 AM

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଟ୍ରୋଲକୁ ଚିହିଁକି ଉଠିଲେ ବିପକ୍ଷ ନେତା । ଅପରାଧିଙ୍କ ବିରୋଧରେ ଆକ୍ସନ ନେବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ସାଂସଦ । ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ରାଜ୍ୟସଭା ସାଂସଦ ବିବେକ୍ ତଙ୍ଖା ।
ମହାରାଷ୍ଟ୍ରରେ ରାଜନୈତିକ ସଂକଟକୁ ନେଇ ଶୁଣାଣି ବେଳେ ସିଜେଆଇ ଜଷ୍ଟିସ୍ ଡି ଓ୍ବାଇ ଚନ୍ଦ୍ରଚୂଡ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଭୂମିକାକୁ ନେଇ କିଛି କଡ଼ା ପ୍ରଶ୍ନ କରିଥିଲେ । ଏହାକୁ ନେଇ ସୋସିଆଲ୍ ମିଡିଆରେ ସିଜେଆଇଙ୍କୁ ଟ୍ରୋଲ୍ କରାଯାଇଥିଲା । ମୁଖ୍ୟ ବିଚାରପତିଙ୍କୁ ଏପରି ଅସମ୍ମାନକୁ ନେଇ ଖପ୍ପା ହୋଇଛନ୍ତି କିଛି ନେତା । ରାଜ୍ୟସଭା ସାଂସଦ ବିବେକ୍ ତଙ୍ଖାଙ୍କ ସହିତ କିଛି ବିପକ୍ଷ ସାଂସଦ ଏବଂ କଂଗ୍ରେସ ନେତା ଦିଗବିଜୟ ସିଂ, ପ୍ରମୋଦ ତିଓ୍ବାର, ଶକ୍ତିସିହ୍ନ ଗୋଖିଲ୍, ଅଖିଲେଶ ପ୍ରଦାସ ସିଂ, ଅମେ ୟେଜନିକ, ରଣଜିତ୍ ରଞ୍ଜନ, ଇମ୍ରାନ ପ୍ରତାପଗରିହ ଆଦି ରାଷ୍ଟ୍ରପତିଙ୍କୁ ଚିଠି ଲେଖି ତୁରନ୍ତ ଆକ୍ସନ ନେବାକୁ ଅନୁରୋଧ କରିଛନ୍ତି ।
ଏହାର ଏକ କପି କେନ୍ଦ୍ର ଆଇନ ମନ୍ତ୍ରୀ, ଆଇଟି ମନ୍ତ୍ରୀ ଓ ଦିଲ୍ଲୀ ପୋଲିସ କମିଶନରଙ୍କୁ ପଠାଇଛନ୍ତି । ତଙ୍ଖା ଚିଠିରେ ମହାନ୍ୟାୟବାଦୀଙ୍କୁ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।
ନ୍ୟାୟିକ ବ୍ୟବସ୍ଥା ଓ ମୁଖ୍ୟ ନ୍ୟାୟଧୀଶଙ୍କୁ ବଦନାମ୍ କରିବାକୁ ଟ୍ରୋଲ୍ ସେନା ପ୍ରୟାସ ଚଳାଇଛନ୍ତି । ସିଜେଆଇଙ୍କ ନେନୃତ୍ବାଧୀନ ସାମ୍ବିଧାନିକ ଖଣ୍ଡ ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରୁଥିବା ବେଳେ ଟ୍ରୋଲ୍ ସେନା ସୋସିଆଲ ମିଡିଆରେ ସିଜେଆଇଙ୍କୁ ଅଭଦ୍ର ଟ୍ରୋଲ୍ କରିଥିଲେ ଏବଂ ମହାରାଷ୍ଟ୍ର ସରକାରଙ୍କ ସହାନୁଭୂତି ନେଉଥିବା ଅଭିୟୋଗ ହୋଇଛି । ମୁଖ୍ୟ ନ୍ୟାୟଧୀଶଙ୍କ ବିରୋଧରେ ଯେଉଁ ଶବ୍ଦ ବ୍ୟବହାର କରାଯାଇଛି ତାହା ଅତି ନିନ୍ଦନୀୟ ବୋଲି କହିଛନ୍ତି ସାଂସଦ ମାନେ । ତେଣୁ ଦୋଷୀଙ୍କ ବିରୋଧରେ ତୁରନ୍ତ ଆକ୍ସନ ନେବାକୁ ଅନୁରୋଧ କରିଛନ୍ତି ।