କରୋନା ଭ୍ୟାକ୍‌ସିନ: ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ

Published By : Prameya-News7 Bureau | December 02, 2020 IST

ମସ୍କୋ ୦୨/୧୨: କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଭ୍ୟାକସିନକୁ ଅପେକ୍ଷା ଥିଲା । କରୋନା ଭ୍ୟାକସିନ୍‌କୁ ନେଇ ବୁଧବାର ଗୋଟିଏ ପରେ ଗୋଟିଏ ଭଲ ଖବର ସାମ୍ନାକୁ ଆସୁଛି। ଆଜି ବ୍ରିଟେନ କରୋନା ଭ୍ୟାକସିନ୍‌ ଫାଇଜରକୁ ଅନୁମତି ଦେଇଥିବା ବେଳେ ଏବେ ପୁଣି ଏକ ଦେଶ ଲୋକଙ୍କୁ ଟିକା ଦେବାକୁ ଘୋଷଣା କରିଛି। ଫାଇଜର ଟିକା ଏବେ ସାର୍ବଜନୀନ ଭାବେ ବ୍ୟବହାର କରିବାକୁ ବ୍ରିଟେନ ଅନୁମତି ଦେଇଦେବା ପରେ ବିଶ୍ବରେ କରୋନା ଭ୍ୟାକସିନ୍‌କୁ ନେଇ ଏକ ଆଶା ସଞ୍ଚାର ହୋଇଥିଲା। ବ୍ରିଟେନର ଏହି ନିଷ୍ପତ୍ତିର କେଇ ଘଣ୍ଟା ପରେ ଋଷ ଏକ ବଡ଼ ଘୋଷଣା କରିଛି।

ଦେଶବାସୀଙ୍କୁ କରୋନା ଟିକା ଦେବା ନେଇ ଋଷ ସରକାର ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରୁ ବ୍ୟାପକ ଭାବେ ଟିକାକରଣ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଋଷ ନିଜ କରୋନା ଭ୍ୟାକସିନ୍‌ ସ୍ପୁଟନିକ୍‌-ଭିର ୨୦ ଲକ୍ଷ ଡୋଜ୍‌ ପ୍ରସ୍ତୁତ କରିଥିବା ପୁଟିନ କହିଛନ୍ତି।

ସାମାଚାର ଏଜେନ୍ସି ଏଏଫ୍‌ପିରେ ପ୍ରକାଶିତ ଖବର ଅନୁସାରେ ଅଧିକାରୀମାନଙ୍କୁ ପୁଟିନ୍‌ କହିଛନ୍ତି, ‘ଆପଣମାନଙ୍କୁ ମୁଁ ଏମିତି କାର୍ଯ୍ୟ ଆରମ୍ଭ କରିବାକୁ କହୁଛି ଯେ ଆସନ୍ତା ସପ୍ତାହ ଶେଷ ସୁଦ୍ଧା ଯେମିତି ଦେଶରେ ବଡ଼ ଧରଣରେ କରୋନା ଟିକାକରଣ ଆରମ୍ଭ ହୋଇପାରିବ।’  ଦେଶର ଶିକ୍ଷକ ଓ ମେଡିକାଲ୍‌ ଷ୍ଟାଫଙ୍କୁ ସର୍ବ ପ୍ରଥମେ କରୋନା ଭ୍ୟାକସିନ୍‌ ଦେବାକୁ ଭ୍ଲାଦମିର ପୁଟିନ ନର୍ଦେଶ ଦେଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.