ମହାଦେବ ବେଟିଂ ଆପ୍‌ ମାମଲାରେ ବଡ଼ ଖୁଲାସା, ବଲିଉଡ ପରେ ଏବେ କ୍ରିକେଟ ମ୍ୟାଚ ଫିକ୍ସିଂରେ ସଂପୃକ୍ତି ସୂଚନା

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍‌ ମାଲାରେ ଇଡି ଯାଞ୍ଚ ଆଗକୁ ବଢ଼ିବା ସହ ମାମଲାରେ ଆହୁରି ଅନେକ ରହସ୍ୟ ସାମ୍ନାକୁ ଆସୁଛି। ଏପର୍ଯ୍ୟନ୍ତ ଏହି ମାମଲାରେ କେବଳ ବଲିଉଡ ସେଲିବ୍ରିଟିଙ୍କ ସଂପୃକ୍ତି କଥା ଜଣାପଡ଼ିଥିଲା। ହେଲେ ଏବେ ଜଣାପଡ଼ିଛି ଯେ, ଏହି ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲ କ୍ରିକେଟ ମ୍ୟାଚ ଫିକ୍ସିଂରେ ମଧ୍ୟ ସାମିଲ୍‌ ଥିଲେ।

ଇଡିର ଯାଞ୍ଚ ଅନୁଯାୟୀ ସୌରଭ ଏବଂ ରବି ଏକ ମ୍ୟାଚ ଫିକ୍ସିଂ ସିଣ୍ଡିକେଟର ଅଂଶ ଥିଲେ। ଏକ ରିପୋର୍ଟ ଅନୁଯାୟୀ ମ୍ୟାଚ ଫିକ୍ସିଂରୁ ଉଭୟ ପ୍ରତିଦିନ କୋଟି କୋଟି ଟଙ୍କା ଆୟ କରୁଥିଲେ। ଏଥିପାଇଁ ସେମାନେ ଆଉ ଏକ ସବସିଡାରୀ ଆପ୍‌ର ବ୍ୟବହାର କରିଥିଲେ। ଯାହାର ନାଁ ଥିଲା ‘ମହାଦେବ ଖିଲାଡି’। ଏମାନେ ଏହି ଆପ୍ ମାଧ୍ୟମରେ ମ୍ୟାଚ ଫିକ୍ସିଂ  କରାଉଥିଲେ। ଏହାକୁ ନେଇ ଉଭୟଙ୍କ ଉପରେ ମାମଲା ରୁଜୁ ହୋଇଛି ।

ଆହୁରି ପଢ଼ନ୍ତୁ: ମହାଦେବ ବେଟିଂ ଆପ୍‌ ମାମଲା, ରଣବୀରଙ୍କ ପରେ ଏହି ବଲିଉଡ୍ ତାରକାଙ୍କୁ ଇଡି ସମନ

ଇଡି ଯାଞ୍ଚରେ ଖୁଲାସା ହୋଇଛି ଯେ, ଏକ ସିଣ୍ଡିକେଟ୍‌ ମାଧ୍ୟମରେ କ୍ରିକେଟ ମ୍ୟାଚକୁ ଫିକ୍ସିଂ କରାଯାଉଥିଲା। ଏଥିରେ ଯେଉଁ ୩୨ ଜଣକ ନାଁ ସାମ୍‌ନାକୁ ଆସିଥିଲା, ସେଥିରେ ୫ ଜଣକ ପରିଚୟ ସୌରଭ ଚନ୍ଦ୍ରକାରର ସହଯୋଗୀ ଭାବରେ ହୋଇଛି। ଏମାନେ ପଶ୍ଚିମ ଏସିଆ ଏବଂ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଏହି କାମ କରୁଥିଲେ। ଏଥିରେ ୟୁରୋପ ଏବଂ ଲଣ୍ଡନ ମଧ୍ୟ ସାମିଲ୍ ରହିଛି। ଏହା ସହ କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଏମାନଙ୍କ ନେଟଓ୍ବର୍କ କାମ କରୁଥିଲା। ଏମାନେ ବିଟ୍‌କଏନ ଦ୍ବାରା ଡିଲ୍ କରୁଥିଲେ।

ଉଲ୍ଲେଖଯୋଗ୍ୟ, ମହାଦେବ ଆପ୍‌ର ଫାଉଣ୍ଡର ସୌରଭ ଚନ୍ଦ୍ରାକର ୨୦୧୮ ପୂର୍ବରୁ ଭିଲାଇରେ ରହୁଥିଲା ଏବଂ ମହାଦେବ ଜୁସ୍ ସେଣ୍ଟର’ ଚଳାଉଥିଲା। ତେବେ ଅନଲାଇନ ଆପ୍‌ରେ ଜୁଆ ଖେଳିବାର ଅଭ୍ୟାସରେ ପଡ଼ି ଅନେକ ଅର୍ଥ ହାରିବା ପରେ ସେ ଦୁବାଇ ପଳାଇଯାଇଥିଲା। ସେଠରେ ରବି ଉପ୍ପଲ ସହ ମିଶି ମହାଦେବ ଆପ ଖୋଲିଥିଲା। ଏହି ଘୋଟାଲାରେ ଏପର୍ଯ୍ୟନ୍ତ ଅନେକ ନେତା, ଅଭିନେତାଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାଁ ମଧ୍ୟ ଯୋଡ଼ି ହୋଇସାରିଛି। ନିକଟରେ ସୌରଭର ବିଳାସପୂର୍ଣ୍ଣ ବାହାଘର ବିଷୟରେ ଜଣାପଡ଼ିବା ପରେ ସତ ସାମ୍ନାକୁ ଆସିଥିଲା।

ଆହୁରି ପଢ଼ନ୍ତୁ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ୫୦୮ କୋଟି ଟଙ୍କା ଦେଇଛନ୍ତି ମହାଦେବ ଆପ୍ ପ୍ରମୋଟର୍ସ: ଇଡି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.