ବିଲାବଲଙ୍କ ପରେ ଭାରତ ପ୍ରତି ପୁଣି ଜଣେ ପାକିସ୍ତାନ ମନ୍ତ୍ରୀଙ୍କ ମନ୍ତବ୍ୟ, ଭାରତକୁ ଦେଲେ ପରମାଣୁ ଆକ୍ରମଣ ଧମକ
18/12/2022 at 1:09 PM

ନୂଆଦିଲ୍ଳୀ, ୧୮/୧୨: ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ବିରୋଧରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋଙ୍କ ଅସଭ୍ୟ ମନ୍ତବ୍ୟକୁ ନେଇ ତୀବ୍ର ବିରୋଧ ଜାରି ରହିଛି। ଏହାରି ମଧ୍ୟରେ ଏବେ ପାକିସ୍ତାନର ଆଉଜଣେ ମନ୍ତ୍ରୀ ଭାରତ ବିରୋଧରେ ବିଷ ଓଗାଳିଛନ୍ତି। ପାକିସ୍ତାନ ମନ୍ତ୍ରୀ ଶାଜିଆ ମର୍ରୀ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି।
ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ପିପୁଲ୍ସ ପାର୍ଟି ନେତ୍ରୀ ଶାଜିଆ ମର୍ରୀ କହିଛନ୍ତି ‘ପାକିସ୍ତାନ ଜାଣିଛି କେମିତି ଉତ୍ତର ଦିଆଯିବ। ଭାରତ ଏହା ମନେରଖିବା ଦରକାର ପାକିସ୍ତାନ ପାଖରେ ମଧ୍ୟ ପରମାଣୁ ବୋମା ରହିଛି। ପାକିସ୍ତାନ ଚୁପ୍ ରହିବ ନାହିଁ। ଦରକାର ପଡ଼ିଲେ ଆମେ ପରମାଣୁ କ୍ଷମତା ବ୍ୟବହାର କରିବାକୁ ପଛାଇବୁ ନାହିଁ।’ ସେ ଆହୁରି ଧମକ ଦେଇ କହିଛନ୍ତି ଯେ ଆମକୁ ଚାପୁଡ଼ା ପଡ଼ିଲେ ଆମେ ତାହାର ଜବାବ ମଧ୍ୟ ଚାପୁଡ଼ାରେ ଦେଇପାରିବୁ।’
ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ମର୍ରୀ କହିଛନ୍ତି ମୋଦୀ ସରକାର ଭାରତରେ ମୁସଲମାନଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେମାନଙ୍କୁ ଆତଙ୍କବାଦ ସହ ଯୋଡ଼ାଯାଉଛି। ଦଳିତଙ୍କ ସହ ଅତ୍ୟାଚାର କରାଯାଉଛି। ଜାତିସଂଘ ସୁରକ୍ଷା ପରିଷଦରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ପାକିସ୍ତାନକୁ ଆତଙ୍କବବାଦର କେନ୍ଦ୍ର ମନ୍ତବ୍ୟକୁ ନେଇ ମଧ୍ୟ ଟାର୍ଗେଟ କରିଥିଲେ ମର୍ରୀ।
ସୂଚନାଯୋଗ୍ୟ, ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଶୁକ୍ରବାର ଜୟ ଶଙ୍କରଙ୍କ ଓସାମା ବିନ୍ ଲାଦେନ ମନ୍ତବ୍ୟକୁ ନେଇ ମୋଦୀଙ୍କୁ ଅସଭ୍ୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ’ମୁଁ ଭାରତକୁ କହିବାକୁ ଚାହୁଛି ଯେ ଓସାମା ବିନ୍ ଲାଦେନ ମରିସାରିଛି କିନ୍ତୁ ଗୁଜରାଟର କଂସେଇ ବଞ୍ଚିଛନ୍ତି।’
ତେବେ ପାକିସ୍ତାନ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ବିଜେପି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଲାଓ୍ବଲଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ପାକିସ୍ତାନ ବିରୋଧୀ ସ୍ଲୋଗାନ ଦେଉଛନ୍ତି ବିଜେପି କର୍ମୀ।