ବିଜୟ ମହାପାତ୍ର ବିଜେପିକୁ ଫେରିବା ପରେ ଦିଲ୍ଲୀପ ରାୟଙ୍କ ଗତି କୁଆଡେ ? ପଢନ୍ତୁ ଏହି ରିପୋର୍ଟ

Published By : Prameya-News7 Bureau | March 28, 2019 IST

ଭୁବନେଶ୍ବର ୨୮|୩: ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିବା ପରେ ଏବେ ଦିଲ୍ଲୀପ ରାୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ପରସ୍ପର ମଧ୍ୟରେ ଆଲୋଚନା ଓ ବିଚାର ବିମର୍ଶ କରି ୨୦୧୮ ଡିସମ୍ବର ୧ ତାରିଖରେ ବିଜେପି ଛାଡିଥିଲେ । ବିଜେପି ଛାଡିବା ପରେ ପରେ ଦିଲ୍ଲୀପ ରାୟ ବିଦେଶ ଗସ୍ତ କରିଥିଲେ । ସେତେବେଳେ ବିଜୟ ଗଣମାଧ୍ୟମକୁ କହିଥିଲେ ଯେ, ଦିଲ୍ଲୀପ ରାୟ ବିଦେଶରୁ ଫେରିବା ପରେ ଉଭୟ ଆଲୋଚନା କରି ସେମାନଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସ୍ଥିର କରିବେ ।

{"id":97658}

କିନ୍ତୁ ଦିଲ୍ଲୀପ ରାୟ ବିଦେଶରୁ ଫେରିବା ପରେ ମଧ୍ୟ କୌଣସି ନିଷ୍ପତ୍ତ ହୋଇପାରିନଥିଲା ଉଭୟଙ୍କ ମଧ୍ୟରେ । ଉଭୟ ନେତା ବିଜେଡି ମୁହାଁ ହୋଇଥିବା ଆଲୋଚନା ହେଉଥିଲା । ଏଥିସହ ଏହା ମଧ୍ୟ ଚର୍ଚ୍ଚା ହେଉଥିଲା ଯେ, ବିଜେଡି ଦିଲ୍ଲୀପଙ୍କୁ ଗ୍ରହଣ କରୁଥିବାବେଳେ ବିଜୟଙ୍କୁ ଗ୍ରହଣ କରିବା ସପକ୍ଷରେ ନାହିଁ । ସେଥିପାଇଁ ବିଜେପି ଛାଡିବା ପରେ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ରାଜନୈତିକ ନିଷ୍ପତ୍ତି ଚୂଡାନ୍ତ ରୂପରେଖ ନେଇପାରୁନଥିଲା ।

{"id":97659}

ତେବେ ଗତ ସପ୍ତାହରେ ଅଳ୍ପ ସମୟ ପାଇଁ ଦିଲ୍ଲୀପ ରାୟଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଦୀର୍ଘ ୧୯ବର୍ଷ ପରେ ନବୀନ ନିବାସରେ ଦିଲ୍ଲୀପ ରାୟଙ୍କୁ ଦେଖି ରାଜନୈତିକ ସମୀକ୍ଷକମାନେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ କରିଥିଲେ । ବିଜୟଙ୍କ ବିନା ଦିଲ୍ଲୀପ ରାୟ ବିଜେଡିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ନବୀନ ଓ ଦିଲ୍ଲୀପଙ୍କ ଭେଟ ହେବା ପରେ ସପ୍ତାହେ ବିତିଯାଇଥିଲେ ମଧ୍ୟ ସେଭଳି କୌଣସି ଘଟଣା ଘଟିନାହିଁ । ବରଂ ନୂଆ ଏକ ରାଜନୈତିକ ଘଟଣାଚକ୍ରରେ ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିଯାଇଛନ୍ତି । ବିଜୟ ମହାପାତ୍ର ବିଜେପିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀପ ରାୟଙ୍କ ସହିତ ନିଶ୍ଚୟ ପରାମର୍ଶ କରିଥିବେ । ଦିଲ୍ଲୀପ ରାୟଙ୍କ ସହମତି ବିନା ସେ ବିଜେପିକୁ ପୁଣି ଫେରିବା ନିଷ୍ପତ୍ତି ନେଇଛନ୍ତି ଏକଥା ଭାବିବା ଭୁଲ୍ ।

{"id":97660}

ଦିଲ୍ଲୀପ ରାୟ ଯଦି ବିଜୟଙ୍କ ବିଜେପି ଫେରିବା ନେଇ ସହମତ ତାହାଲେ ସ୍ବଭାବିକ ଭାବରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଦିଲ୍ଲୀପ ମଧ୍ୟ ବିଜୟଙ୍କ ରାସ୍ତାରେ ଯାଇପାରନ୍ତି ବା ବିଜେପିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ଦିଲ୍ଲୀପ କରିଥିବା ଦାବିକୁ ଠିକ୍ ସମୟରେ କେନ୍ଦ୍ର ତ୍ବରାନ୍ବିତ କଲାନାହିଁ ବୋଲି ବିଜେପି ଛାଡିବା ଭଳି ନିଷ୍ପତ୍ତି ନେଇପାରୁଥିବା ଜଣେ ନେତା କେତେ ସ୍ବାଭିମାନୀ ତାହା ସ୍ପଷ୍ଟ ଅନୁମେୟ । ଏଭଳି କ୍ଷେତ୍ରରେ ସେ ଯେ ପୁଣି ବିଜେପିକୁ ଫେରିବେ ଏକଥାକୁ ଅନେକ ଗ୍ରହଣ କରିପାରୁନାହାନ୍ତି ।

{"id":97661}

ତେବେ ସାମ୍ପ୍ରତିକ ରାଜନୈତିକ ହାଲଚାଲ ଦେଖିଲେ ଏକଥା ପ୍ରତୀୟମାନ ହେଉଛି ଯେ, ରାଜନୀତିରେ ନୀତି, ଆଦର୍ଶ ଓ ମୂଲ୍ୟବୋଧ ଅପେକ୍ଷା ବ୍ୟକ୍ତିଗତ ସ୍ବାର୍ଥ ଓ ସୁବିଧାକୁ ନେତାମାନେ ଅଧିକ ଗୁରୁତ୍ବ ଦେଉଛନ୍ତି । ଦିଲ୍ଲୀପ ମହାପାତ୍ରଙ୍କ ନିକଟତମ ସୂତ୍ରରୁ ପ୍ରକାଶ ଯେ, ଦିଲ୍ଲୀପ ନବୀନ ନିବାସରୁ ଫେରିବା ପରେ ବିଜେଡିରୁ ତାଙ୍କ ସହ ଆଉ କୌଣସି ଯୋଗଯୋଗ କରାଯାଇନାହିଁ ବା ଦିଲ୍ଲୀପ ମଧ୍ୟ ନିଜଆଡୁ ବିଜେଡି ସହ ଯୋଗାଯୋଗ କରିନାହାନ୍ତି । ବିଜେଡିରୁ ଉଷ୍ମ ନିମନ୍ତ୍ରଣ ନମିଳିଲେ ଦିଲ୍ଲୀପ ବିଜେଡିକୁ ଯିବେନାହିଁ ବୋଲି ନିଷ୍ପତ୍ତି କରିଛନ୍ତି ।

{"id":97666,"width":576,"height":325}

ସ୍ବାଭିମାନ ଦୃଷ୍ଟିରୁ ବିଜେପିକୁ ଫେରିବେନି, ଉଷ୍ମ ନିମନ୍ତ୍ରମ ନମିଳିଲେ ବିଜେଡିକୁ ଯିବେନି । ତାହାଲେ କଣ କରିବେ ଦିଲ୍ଲୀପ ରାୟ । ରାଜନୀତିରୁ ସନ୍ୟାସ ନେବେ କି ? ଏଭଳି ପ୍ରଶ୍ନ ଉଠିବା ମଧ୍ୟ ସ୍ବାଭାବିକ ଯେ, ଚଳିତ ନିର୍ବାଚନରେ ଦିଲ୍ଲୀପ କଣ ନୀରବ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି କି ? ଦିଲ୍ଲୀପଙ୍କ ନିକଟତମ ମହଲକୁ ଯଦି ବିଶ୍ବାସକୁ ନିଆଯାଏ ତେବେ ଦିଲ୍ଲୀପ ପ୍ରଥମ ଦୁଇଟି ବିକଳ୍ପ ଅପେକ୍ଷା ତୃତୀୟ ବିକଳ୍ପ ପନ୍ଥା ହିଁ ଗ୍ରହଣ କରିପାରନ୍ତି ।

{"id":97664,"width":576,"height":433}

ତିନୋଟି ଯାକ ପ୍ରମୁଖ ରାଜନୈତିକ ଦଳ ଦିଲ୍ଲୀପ ରାୟଙ୍କ ଆସନ ରାଉରକେଲା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏଭଳି କ୍ଷେତ୍ରରେ ବିଜେପି ବା ବିଜେଡିରେ ଯୋଗଦେବା ପରେ ଦିଲ୍ଲୀପଙ୍କୁ କେଉଁ ଆସନ ଦିଆଯିବ ତାକୁ ନେଇ ମଧ୍ୟ ଆଲୋଚନା ହେଉଛି । ରାଉରକେଲାରେ ବିଜେଡି ପୂର୍ବତନ ମନ୍ତ୍ରୀ ଶାରଦା ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ନିହାର ରାଏଙ୍କୁ ପ୍ରାର୍ଥୀ କରିସାରିଛି । ସେହିଭଳି କଂଗ୍ରେସ ରାଉରକେଲାରୁ ବୀରେନ ସେନାପତିଙ୍କୁ ଟିକେଟ୍ ଦେଇଛି । ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ ୨୩ତାରିଖରେ ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.