‘ଭାରତ ଯୋଡୋ ଯାତ୍ରା’ ପରେ କଂଗ୍ରେସ ଆରମ୍ଭ କରିବ ‘ହାତ ସେ ହାତ ଯୋଡୋ’ ଅଭିଯାନ, ଏମିତି ରହିଛି ପୂରା ଯୋଜନା

Published By : Prameya-News7 Bureau | December 04, 2022 IST

ନୂଆଦିଲ୍ଲୀ: ‘ଭାରତ ଯୋଡୋ ଯାତ୍ରା’ ପରେ କଂଗ୍ରେସ ଆରମ୍ଭ କରିବ ‘ହାତ ସେ ହାତ ଯୋଡୋ’ ଅଭିଯାନ। କଂଗ୍ରେସ ସାଂସଦ କେସି ବେଣୁଗୋପାଳ କହିଛନ୍ତି କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ରାହୁଲ ବ୍ୟସ୍ତ ଥିବା କାରଣରୁ ସଂସଦର ଶୀତକାଳୀନ ଅଧିବେଶନରେ ସେ ଉପସ୍ଥିତ ରହି ପାରିବେ ନାହିଁ। କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ପରେ ଜାନୁଆରୀ ୨୬ରୁ ସମଗ୍ର ଦେଶରେ ଆରମ୍ଭ ହେବ  ‘ହାତ ସେ ହାତ ଯୋଡୋ’ ଅଭିଯାନ। ଏହି ଅଭିଯାନରେ ବ୍ଲକ, ପଞ୍ଚାୟତ ଏବଂ ବୁଥସ୍ତରରେ ଜନସଂପର୍କ ସ୍ଥାପନ କରାଯିବ। ବେଣୁଗୋପାଳ କହିଛନ୍ତି, ଦୁଇ ମାସ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ପତ୍ର ଲୋକଙ୍କ ନିକଟକୁ ପହଞ୍ଚାଯିବ। ଏହି ସନ୍ଦେଶ ପତ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ବିଫଳତାର ପତ୍ର ଯୋଡାଯିବ।

ବେଣୁଗୋପାଳ କହିଛନ୍ତି, ଆଜି କଂଗ୍ରେସ ପରିଚାଳନା କମିଟିର ବୈଠକରେ ସାମିଲ୍ ନେତାମାନେ ଦୁଇଟି ବିଷୟରେ ଆଲୋଚନା କରିଛନ୍ତି। ପ୍ରଥମ ହେଉଛି କଂଗ୍ରେସ ପାର୍ଟିର ପୂର୍ଣ୍ଣକାଳୀନ ଅଧିବେଶନ, ଯାହା ଫେବୃଆରୀର ଦ୍ଵିତୀୟ ସପ୍ତାହରେ ଆୟୋଜିତ କରାଯିବାର ନିଷ୍ପତ୍ତି ନିଆଯାଇଛି। ଆଜି ଅନୁଷ୍ଠିତ କଂଗ୍ରେସ ପରିଚାଳନା ବୈଠକ ପରେ କଂଗ୍ରେସ ସାଂସଦ କେସି ବେଣୁଗୋପାଳ କହିଛନ୍ତି, ଏହି ତିନି ଦିନିଆ ଅଧିବେଶନ ଛତିଶଗଡର ରାଜଧାନୀ ରାୟପୁରରେ ଆୟୋଜିତ ହେବ। ପରିଚାଳନା କମିଟି ଭାରତ ଯୋଡୋ ଯାତ୍ରାର ସମୀକ୍ଷା ଏବଂ ଭବିଷ୍ୟତରେ ନୂତନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି। ପାର୍ଟି ଜାନୁଆରୀ ୨୬ରୁ ବ୍ୟାପକ ଭାବେ ‘ହାତ ସେ ହାତ ଯୋଡୋ’ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହି ଅଭିଯାନ ଦୁଇ ମାସ ଧରି ଚାଲିବ। ବୈଠକରେ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଗଡେ ପାର୍ଟିରେ ନିମ୍ନରୁ ଉଚ୍ଚସ୍ତର ପର୍ଯ୍ୟନ୍ତ ଗୁରୁଦାୟିତ୍ଵ ସ୍ଥିର କରାଯିବା ଉପରେ ଜୋର ଦେଇଛନ୍ତି।

ବୈଠକ ପରେ କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି, ବୈଠକରେ ଭାରତ ଯୋଡୋ ଯାତ୍ରା ପରେ କଣ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଛି। କଂଗ୍ରେସ ପାର୍ଟିକୁ ଆଗକୁ କଣ କରିବା ଉଚିତ୍ ? ଏଥିପାଇଁ ଦଳ ‘ହାତ ସେ ହାତ ଯୋଡୋ’ ନାମକ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଯୋଜନା  ପ୍ରସ୍ତୁତ କରିଛି। ଭାରତ ଯୋଡୋ ଯାତ୍ରା ଡିସେମ୍ବର ୨୪ରେ ଦିଲ୍ଲୀ ପହଞ୍ଚିବ। ଜାନୁଆରୀ ୨୬ରେ ରାହୁଲ ଗାନ୍ଧୀ ଶ୍ରୀନଗରରେ ପତାକା ଉତ୍ତୋଳନ କରିବେ ଏବଂ ଶ୍ରୀନଗରରେ ଭାରତ ଯୋଡୋ ଯାତ୍ରାର ପରିସମାପ୍ତି ଘଟିବ। ଏହା ପରେ ‘ହାତ ସେ ହାତ ଯୋଡୋ’ ଅଭିଯାନ ଆଧାରରେ ତିନିସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବ୍ଲକ ଏବଂ ବୁଥସ୍ତରରେ ଯାତ୍ରା କରାଯିବ, ଜିଲ୍ଲାସ୍ତରରେ ଅଧିବେଶନ ଏବଂ ରାଜ୍ୟସ୍ତରରେ ରାଲି ବାହାର କରାଯିବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପାର୍ଟିର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପାର୍ଟିର ଅନ୍ୟ ବରିଷ୍ଠ ନେତା ହାତ ସେ  ହାତ ଯୋଡୋ ସମ୍ବନ୍ଧିତ କାର୍ଯ୍ୟକ୍ରମରେ ସାମିଲ୍ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.