ରୋହିତଙ୍କ ଛକା-ଚୌକା ବର୍ଷା ପରେ ବ୍ୟାଟରଙ୍କ ମନ୍ଥର ବ୍ୟାଟିଂ, ଅଷ୍ଟ୍ରେଲିଆକୁ ୨୦୬ ରାର୍ଗେଟ୍ ଦେଲା ଭାରତ

Published By : Prameya-News7 Bureau | June 24, 2024 IST

ସେଣ୍ଟ ଲୁସିଆ: ଟି-୨୦ ବିଶ୍ଵକପ୍ ୨୦୨୪ରେ ସୁପର-୮ରେ ଭାରତର ଶେଷ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ସୁପର ଶୋ। ହିଟ୍‌ମ୍ୟାନ୍‌ଙ୍କ ଧୂଆଁଧାର ୯୨ ରନ ଇନିଂସ ବଳରେ ଭାରତ ୫ ଓ୍ଵିକେଟ୍ ହରାଇ ୨୦୫ ରନ କରିଛି। ତେବେ ଶେଷ ୫ ଓଭରରେ ଭାରତୀୟ ବ୍ୟାଟରଙ୍କ ଅତି ମନ୍ଥର ବ୍ୟାଟିଂ ଯୋଗୁଁ ଆହୁରି ବଡ଼ ସ୍କୋର କରିପାରିନି ଦଳ। ସୂର୍ଯ୍ୟକୁମାର ୩୧ ରନର ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଶିବମ ଦୁବେ ୨୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୭ ରନ କରିଛନ୍ତି। ଏହି ମ୍ୟାଚ୍ ଜିତି ସେମିରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆ ସମ୍ମୁଖରେ ୨୦୬ ରନର ବିଜୟ ଲକ୍ଷ୍ୟ ରହିଛି। ଏକଦା ଭାରତ ୧୫ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୨ ରନ କରିଥିଲା। କିନ୍ତୁ ଶେଷ ୫ ଓଭରରେ ମାତ୍ର ୪୩ ରନ କରି ପାରିଥିଲା ଦଳ। 

Also read: ଜିମ୍ବାଓ୍ଵେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ବରିଷ୍ଠଙ୍କୁ ବିଶ୍ରାମ; ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। ୬ ରନ ସ୍କୋରରେ ବିରାଟ କୋହଲି ଖାତା ଖୋଲି ନ ପାରି ଆଉଟ୍ ହୋଇଥିଲେ। ଏହା ପରେ ଆରମ୍ଭ  ହୋଇଥିଲା ରୋହିତ ଶର୍ମାଙ୍କ ସୁପର ଶୋ। ମିଚେଲ୍ ଷ୍ଟାର୍କଙ୍କୁ ଗୋଟିଏ ଓଭରରେ ୪ ଛକା ଓ ଗୋଟିଏ ଚୌକା ସହ ୨୯ ରନ ସଂଗ୍ରହ କରିଥିଲେ। ସେ ଚୌକା ଓ ଛକା ବର୍ଷା କରି ନିଜ ଦମରେ ଦଳର ସ୍କୋରକୁ ଆଗେଇ ନେଇଥିଲେ। ପନ୍ତଙ୍କ ସହ ମିଶି ରୋହିତ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୭ ରନ ଯୋଡ଼ିଥିଲେ। ଅନ୍ୟପଟେ ରୋହିତ ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ। ଶତକ ଆଡ଼କୁ ଅଗ୍ରସର  ହେଉଥିବା ରୋହିତ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଦେଇଥିଲା। ରୋହିତ କଙ୍ଗାରୁ ବୋଲରଙ୍କୁ ନିର୍ଧୁମ ପ୍ରହାର ୪୧ ବଲ୍‌ରୁ ୭ ଚୌକା ଓ ୮ ଛକା ସହ ୯୨ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ୧୬ ବଲରୁ ୩୧ ରନ କରି ଆଉଟ୍ ହୋଇଥିଲେ। 

ରୋହିତ ଓ ସୂର୍ଯ୍ୟଙ୍କ ଆଉଟ୍ ପରେ ଭାରତର ରନ ଗତି ପୁରା ଧିମେଇ ଯାଇଥିଲା। ଶିବମ ଦୁବେ ୨୮ ରନ କରିଥିଲେ ହେଁ ୨୨ ବଲ୍ ଖେଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରୁ ୨୭ ରନ କରିଥିଲେ। ଏକଦା ୧୫ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୨ ରନ କରିଥିବା ଭାରତ  ଶେଷ ୫ ଓଭରରେ ମାତ୍ର ୪୩ ରନ କରି ପାରିଛି। ଫଳରେ ଦଳକୁ ବଡ଼ ଆରମ୍ଭ ମିଳିଥିଲେ ହେଁ ୫ ଓ୍ଵିକେଟ୍ ହରାଇ ୨୦୫ ରନ କରି ପାରିଛି। 

 

 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.