କଂଗ୍ରେସକୁ ଆଉ ଏକ ଝଟ୍କା: ଗୁଲାମ ନବୀଙ୍କ ପରେ ହିମାଚଳ ପ୍ରଦେଶ ପାର୍ଟି ପୋଷ୍ଟରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା
21/08/2022 at 2:59 PM

ଶିମଲା: କଳବଳ ଲଗାଇ ବିଜେପି ଯେତେ ମଜଭୁତ ହେଉଛି ବରିଷ୍ଠ ନେତାଙ୍କ ଇସ୍ତଫାରେ କଂଗ୍ରେସ ସେତେ ଦୁର୍ବଳ ହେଉଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳ ପ୍ରଦେଶ କଂଗ୍ରେସ ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ତାଙ୍କ ଆତ୍ମ ସମ୍ମାନ ସହ ସେ ବୁଝାମଣା କରିପାରିବେ ନାହିଁ।
ଗତ ୫ ଦିନ ତଳେ ଗୁଲାମ ନବୀ ଆଜାଦ ବି ପଦରୁ ହଠାତ୍ ଏମିତି ଇସ୍ତଫା ଦେଇଥିଲେ। ଅଗଷ୍ଟ ୧୬ ତାରିଖରେ ସେ ଜାମ୍ମୁ ଓ କାଶ୍ମୀରର କଂଗ୍ରେସ ଅଭିଯାନ କମିଟିର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ନିଯୁକ୍ତିର କିଛି ଘଟଣା ପରେ ପଦ ଛାଡ଼ିଥିଲେ ଆଜାଦ।
ତେବେ ଆନନ୍ଦ ଶର୍ମା ପଦ ଛାଡ଼ିଲେ ବି ରାଜ୍ୟରେ କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି। କିନ୍ତୁ ସେ ସୋନିଆଙ୍କୁ ଅଭିଯୋଗ କରି ଦର୍ଶାଇଛନ୍ତି ଯେ ତାଙ୍କୁ ଦଳର ପରାମର୍ଶ ପ୍ରକ୍ରିୟାରରୁ ବାଦ୍ ଦିଆଯାଇଛି। ଯାହା ତାଙ୍କ ଆତ୍ମ ସମ୍ମାନକୁ ଆଘାତ ଦେଇଛି। ତେବେ ସେ କଂଗ୍ରେସ ପାଇଁ ରାଜ୍ୟରେ ପ୍ରଚାର ଜାରି ରଖିବେ ବୋଲି ଆନନ୍ଦ ସୋନିଆଙ୍କୁ କହିଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ସଭାରେ କଂଗ୍ରେସ ଉପନେତା ଥିବା ଆନନ୍ଦ ଶର୍ମାଙ୍କୁ ଏପ୍ରିଲ ୨୬ ତାରିଖରେ ହିମାଚଳ ପ୍ରଦେଶ ପରିଚାଳନା କମିଟି ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଥିଲା। ଉଭୟ ଗୁଲାମ ନବୀ ଓ ଶର୍ମା କଂଗ୍ରେସର ଟାଣୁଆ ନେତା। ତଥା କଂଗ୍ରସର ନେତୃତ୍ୱର ନିଷ୍ପତ୍ତିକୁ ସମାଲୋଚନା କରୁଥିବା ଜି-୨୩ ଗ୍ରୁପ୍ର ଏମାନେ ବରିଷ୍ଠ ସଦସ୍ୟ। ପୂର୍ବରୁ କପିଲ ଶିବଲ ଦଳରୁ ଇସ୍ତଫା ଦେଇସାରିଥିବା ବେଳେ ଏହି ଦୁଇ ବରିଷ୍ଟ ନେତାଙ୍କର ଏପରି ମୁହଁ ଫେରାଇ ନେବା ଦଳକୁ ଆହୁରି ଦୁର୍ବଳ କରୁଛି।