ଅଶ୍ଵିନଙ୍କ କମାଲ୍ ପରେ ବିପଦରେ ସଚିନଙ୍କ ଏହି ବଡ଼ ରେକର୍ଡ

Published By : Prameya-News7 Bureau | December 25, 2022 IST

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟ ରୋମାଞ୍ଚକର ଭାବେ ଶେଷ ହୋଇଛି। ପ୍ରଥମ ଦୁଇ ଦିନ ଭାରତୀୟ ଦଳର ପଲ୍ଲା  ଭାରି ରହିଥିବା ବେଳେ ତୃତୀୟ ଦିନରେ ବାଂଲାଦେଶ ପାଲଟା ଜବାବ ଦେଇ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ତେବେ ଭାରତୀୟ ଦଳ ଚତୁର୍ଥ ଦିନରେ ବଡ ସଂଘର୍ଷ କରି ମ୍ୟାଚ୍‌କୁ ନିଜ ନାମରେ କରିବାରେ ସଫଳ ହୋଇଛି। ଭାରତର ବିଜୟରେ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ଵିନ ଏବଂ ଶ୍ରେୟସ ଆୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଉଭୟ ଦ୍ଵିତୀୟ ଇନିଂସରେ ଅବିଭାଜିତ ଅଷ୍ଟମ ଓ୍ଵିକେଟ୍ ପାଇଁ ୭୧ ରନର ଭାଗିଦାରୀ ଯୋଡିଥିଲେ। ନବମ କ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଅଶ୍ଵିନ ସଙ୍କଟଜନକ ସ୍ଥିତିରେ ୬୨ ବଲ୍‌ରେ ୪ ଚୌକା ଏବଂ ୧ ଛକା ସହ ୪୨ ରନ ଏବଂ ଶ୍ରେୟସ ଆୟର ୪୬ ବଲ୍‌ରେ ୪ ଚୌକା ଜରିଆରେ ୨୯ ରନ କରିଥିଲେ।

ଅଶ୍ଵିନ ବ୍ୟାଟିଂ ବ୍ୟତୀତ ବଲ୍‌ରେ ବି କମାଲ୍ ପ୍ରଦର୍ଶନ କରିଛନ୍ତି। ସେ ମୋଟ୍ ୬ ଓ୍ଵିକେଟ୍ ନେଇଛନ୍ତି। ସେ ପ୍ରଥମ ଇନିଂସରେ ୪ ଏବଂ ଦ୍ଵିତୀୟ ଇନିଂସରେ ୨ଟି ଓ୍ଵିକେଟ୍ ନେଇଛନ୍ତି। ଦ୍ଵିତୀୟ ଟେଷ୍ଟ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିବା ଅଶ୍ଵିନ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ପୁରସ୍କାର ହାସଲ କରିବା ମାତ୍ରେ ସେ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ଏକ ବଡ ରେକର୍ଡ ଭାଙ୍ଗିବାର ନିକଟତର ହୋଇଛନ୍ତି। ସଚିନ ଟେଷ୍ଟରେ ଭାରତ ପାଇଁ ସର୍ବାଧିକ ପ୍ଲେୟାର ଅଫ ଦ ମ୍ୟାଚ୍ ଏବଂ ପ୍ଲେୟାର ଅଫ ଦ ସିରିଜ୍ ପୁରସ୍କାର ଜିତିଛନ୍ତି। ସେ ନିଜ କ୍ୟାରିୟରରେ ମୋଟ୍ ୧୯ ଥର ପ୍ଲେୟାର ଅଫ ଦ ସିରିଜ୍ ପୁରସ୍କାର ଜିତିଛନ୍ତି। ଅଶ୍ଵିନ ଏ ପର୍ଯ୍ୟନ୍ତ ୧୮ ଥର ଏହି ପୁରସ୍କାର ହାସଲ କରି ସାରିଛନ୍ତି। ସେ ସଚିନଙ୍କୁ ପଛରେ ପକାଇବାରେ ମାତ୍ର ଦୁଇ ପାଦ ପଛରେ ଅଛନ୍ତି।

ସୂଚନାଯୋଗ୍ୟ, ଭାରତ ୧୪୫ ରନର ବିଜୟ ଲକ୍ଷ୍ୟ ପିଛା କରି ରବିବାର ସକାଳେ ସଅଳ ୩ଟି ଓ୍ଵିକେଟ୍ ହରାଇଥିଲା। ଫଳରେ ଭ୍ରମଣକାରୀ ଦଳ ୭ ଓ୍ଵିକେଟ୍ ହରାଇ ମାତ୍ର ୭୪ ରନ କରି ମୁସ୍କିଲ ସ୍ଥିତିରେ ପଡିଥିଲା। ଅଶ୍ଵିନ ଏବଂ ଆୟର ସଙ୍କଟଜନକ ସ୍ଥିତିରେ ଭାରତର ଇନିଂସ ସମ୍ଭାଳିଥିଲେ ଏବଂ ଭାରତକୁ ବିଜୟୀ କରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.