କେରଳ ଛୁଇଁଲା ମୌସୁମୀ, ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ

Published By : Prameya-News7 Bureau | June 08, 2019 IST

ଭୁବନେଶ୍ବର ୮|୬: ଆଜି କେରଳ ଉପକୂଳ ଛୁଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପ୍ରଥମ ସପ୍ତାହରେ କେରଳ ଛୁଉଁଥିବା ବେଳେ ଚଳିତ ବର୍ଷ ୮ ଦିନ ବିଳମ୍ବରେ ଭାରତରେ ପ୍ରବେଶ କରିଛି । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ କେରଳରେ ଝିପ୍ ଝିପ୍ ବର୍ଷା ଆରମ୍ଭ ହୋଇଛି । ଆସନ୍ତା ୧୦ତାରିଖରୁ କେରଳ ଓ କର୍ଣ୍ଣାଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ୯ ଓ ୧୦ ତାରିଖ ପାଇଁ କେରଳରେ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଆଗାମୀ ୨୪ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ତ୍ରିପୁରା ଛୁଇଁପାରେ ବୋଲି ଅନୁମାନ କରାଯାଉଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଜୁନ୍ ୯ ବେଳକୁ କେରଳ ଓ କର୍ଣ୍ଣାଟକ ଉପକୂଳ ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଯାହାକି ମୌସୁମୀକୁ ଅଧିକ ସକ୍ରିୟ କରିବା ସହ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହେବ। ଏହି ସମୟ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ। ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ।

ଓଡିଶାରେ ମୌସୁମୀ ବାୟୁ ପ୍ରବେଶ ନେଇ ଅନିୟମିତତା ଲାଗି ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଓଡିଶାର ଅଧିକାଂଶ ସ୍ଥାନରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ । କିନ୍ତୁ ଦୁଇ ଦିନ ପରେ ପରିସ୍ଥିତି ପୂର୍ବାବସ୍ଥା ଫେରିପାଇବ ।

ପଶ୍ଚିମ ଓଡିଶାରେ ତାପମାତ୍ରା ୪୫ ଡିଗ୍ରୀ ଡେଇଁବା ସହ ଉପକୂଳ ଓଡିଶାରେ ପାରଦ ୪୦ ଡିଗ୍ରୀ ଉପରେ ରହିବ । ସେପଟେ ରଜ ପୂର୍ବରୁ ମୌସୁମୀ ଆସିବା ନେଇ ଯେଉଁ ପୂର୍ବାନୁମାନ ହେଇଥିଲା, ତାହା ଏବେ ଫସର ଫାଟିବାକୁ ଯାଉଛି । ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ମୌସୁମୀ ଓଡିଶାରେ ପହଂଚିବା ସମ୍ଭାବନା ଦେଖାଯାଉନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.