ଦୀର୍ଘ ୯ ମାସ ପରେ ଲାଗିଲା କାଳିଆ ଡୋରି, ଜଗାକୁ ଦର୍ଶନ କରି ଭାବ ବିହ୍ଵଳ ହେଲେ ଭକ୍ତ

Published By : Prameya-News7 Bureau | December 26, 2020 IST

ପୁରୀ ୨୬।୧୨: ଦୀର୍ଘ ୯ମାସ ପରେ ଆଜି ଶ୍ରୀ ମନ୍ଦିରରେ କାଳିଆ ସାଆନ୍ତଙ୍କ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି ପୁରୀ ବାସିନ୍ଦା । ଆଜି ପୁରୀ ସହରର ୭ଟି ଓ୍ବାର୍ଡ଼ବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିଥିବା ବେଳେ ସକାଳ ସାଢ଼େ ୭ଟାରୁ ଧାଡ଼ି ଲଗାଇଥିଲେ ଶ୍ରଦ୍ଧାଳୁ । ସେମାନଙ୍କୁ ମିଳିଥିବା ଟୋକନ୍ ସହ ପରିଚୟ ପତ୍ର ଦେଖାଇ ସିଂହଦ୍ବାର ପଟେ ପ୍ରବେଶ କରିବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ଉତ୍ତର ଦ୍ବାରରେ ପ୍ରସ୍ଥାନ କରୁଥିଲେ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପ୍ରଶାସନର ପଦକ୍ଷେପକୁ ସ୍ବାଗତ କରିଥିଲେ ଲୋକେ।

{"id":383111,"sizeSlug":"large","linkDestination":"none"}

ତୋ ଦର୍ଶନ, ତୋ ଚନ୍ଦନ, ତୋ ଛଡ଼ା କୁସୁମ, ତୋ କୈବଲ୍ୟ, ତୋ ନିର୍ମାଲ୍ୟ, ଅମୃତ ସମାନ । ଦୀର୍ଘ ୯ମାସର ଲମ୍ବା ଅପେକ୍ଷା ପରେ କାଳିଆ ସାଆନ୍ତଙ୍କ ଟିକିଏ ଝଲକ ପାଇଁ ଆତୁର ଭକ୍ତମନ । ଆଉ ଯେତେବେଳେ ପୁଣି କାଳିଆ ସହିତ ଆଖି ମିଳାଇବାର ସୁଯୋଗ ମିଳିଛି ସେତେବେଳେ ଭାବବିହ୍ବଳ ହୋଇପଡ଼ିଛି ଭକ୍ତ । କାହିଁ କେତେ ଦିନରୁ କାଳିଆକୁ ଭେଟି ସବୁ ଅଳି ଅର୍ଦଳି କରିବାକୁ ମନ କରିଥିବା ଭକ୍ତର ଇଚ୍ଛା ଆଜି ପୂରଣ ହୋଇଛି। ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ମାତ୍ରକେ ଯେମିତି ଆନନ୍ଦ ଉଲ୍ଲାସରେ ଭରିଯାଇଛି ଭକ୍ତ ମନ ।

{"id":383112,"sizeSlug":"large","linkDestination":"none"}

ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ପୁରୀ ସହରବାସୀ । ପ୍ରଥମ ଦିନରେ ୭ଟି ଓ୍ବାର୍ଡ଼ ବାସୀଙ୍କୁ ମିଳିଛି ପ୍ରଶାସନର ଅନୁମତି । ନିୟମ ଅନୁସାରେ ଆଜି ସକାଳୁ ସକାଳୁ ଧାଡ଼ିରେ ଯାଇ ପାଇଥିବା ଟୋକନ୍ ସହ ନିଜର ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ଶ୍ରଦ୍ଧାଳୁ । ସିଂହଦ୍ବାର ବାଟେ ପ୍ରବେଶ କରି ୨୨ ପାହାଚ ଚଢ଼ି କାଳିଆ ଦର୍ଶନ ପରେ ଉତ୍ତର ଦ୍ବାରପଟେ ହୋଇଥିଲା ପ୍ରସ୍ଥାନ ବ୍ୟବସ୍ଥା । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପ୍ରଶାସନର ପଦକ୍ଷେପକୁ ସ୍ବାଗତ କରିଥିଲେ ଲୋକେ । ସୁରକ୍ଷା ଦୃଷ୍ଟିରୁ ୧୮ ପ୍ଲାଟୁନ ଫୋର୍ସ ସମେତ ପୋଲିସ ଅଧିକାରୀଙ୍କୁ  ନିୟୋଜିତ କରାଯାଇଛି।

ଆଜି ଠାରୁ ପୁରୀ ସହର ବାସୀଙ୍କ ପାଇଁ ଆରମ୍ଭ ହୋଇଥିବା ଦର୍ଶନ ବ୍ୟବସ୍ଥା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ନୂଆବର୍ଷରେ ଅର୍ଥାତ୍‌ ଜାନୁଆରୀ  ୧ ଓ ୨ ତାରିଖରେ ଭିଡ଼କୁ ନଜରରେ ରଖି  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇଥିବା ବେଳେ ଜାନୁଆରୀ ୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ମିଳିବ ସୁଯୋଗ ।  ଯେଉଁଥିରେ ପୁରୀ ବାହାର ଲୋକମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ତେବେ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ କୋଭିଡ୍‌  ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ପଡ଼ିବ । ଏଥି ସହ ୬୫ ବର୍ଷରୁ ଅଧିକ ଏବଂ ୧୦ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ସାଥୀରେ ନଆଣିବାକୁ ପରାମର୍ଶ ଦେଇଛି ପୁରୀ ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.