ଦୀର୍ଘ ୮ ମାସ ପରେ ମାଆ କୋଳକୁ ଫେରିଲା ପିଲା, ଆଖିରୁ ଠପ୍ ଠପ୍ ହୋଇ ଝରି ପଡିଲା ଲୁହ: କହିଲେ, ‘ମୋ ଛୁଆ ବିନା ମୋତେ ବହୁତ କଷ୍ଟ ହେଉଥିଲା’
28/09/2020 at 5:53 PM

ଜୟପୁର୨୮/୯: ଅପହରଣର ଦୀର୍ଘ ୮ ମାସ ପରେ ମାଆ କୋଳକୁ ଫେରିଲା ୧୮ ମାସର ଶିଶୁ କନ୍ୟା। ନିଜ ପିଲାକୁ ପାଇବା ପରେ ମାଆ ଆଖିରୁ ଲୁହ ଠପ୍ ଠପ୍ ହୋଇ ବୋହି ପଡିଥିଲା। ମହିଳା ଜଣଙ୍କ କହିଥିଲେ, ମୋ ଛୁଆ ବିନା ମୋତେ ଯେତିକି କଷ୍ଟ ହେଉଥିଲା, ସେଇଟା ମୁଁ ଜାଣିଛି। ନିଜ ପିଲାକୁ ଦେଖିବା ପାଇଁ ଚାତକ ପରି ଚାହିଁ ବସିଥିବା ମାଆ ମୁହଁରେ ଟିକେ ହସ ଦେଖିବାକୁ ମିଳିଛି। ଜୟପୁର ଟାଉନ ପୋଲିସର ସଠିକ ରଣନୀତି ଯୋଗୁଁ ଆଜି ଗୋଟେ ମାଆ ନିଜ ପିଲାକୁ ଫେରି ପାଇଛି ।ଅପହରଣରକାରୀ ସ୍ବାମୀ- ସ୍ତ୍ରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଉଦ୍ଧାର ଶିଶୁ କନ୍ୟାକୁ ତା ମାଆଙ୍କୁ ହସ୍ତାନ୍ତର କରିଛି ପୋଲିସ।

ଗତ ବର୍ଷ ଡିସେମ୍ବର ମାସ ୨୮ ତାରିଖରେ ଜୟପୁର ବସଷ୍ଟାଣ୍ଡ ନିକଟରୁ କାଲିମେଳାର ଜଣେ ଦମ୍ପତି କୌଶଳ କ୍ରମେ ପ୍ରଥମେ ମାଆ ଝିଅଙ୍କୁ ଅଲଗା କରିବା ପରେ କୁନି ଝିଅଟିକୁ ଅପହରଣ କରି ନେଇଥିଲା। ଝିଅକୁ ହରାଇବା ପରେ ମାଆ ପାଗଳି ପରି ହେଉଥିଲେ। ଏ ନେଇ ପରିବାର ପକ୍ଷରୁ ଜୟପୁର ଥାନାରେ ଏତଲା ଦିଆଯାଇଥିଲା। ଜୟପୁର ପୋଲିସ୍ ଚାରିଆାଡ଼େ ଜାଲ ବିଛାଇ ଦେଇଥିଲା। ଶେଷରେ ଗତକାଲି ଆନ୍ଧ୍ରପ୍ରଦେଶର ଚିନ୍ତୁରରୁ ଶିଶୁଟିକୁ ଉଦ୍ଧାର କରିବା ସହ ଅପହରଣକାରୀ ସ୍ବାମୀ ବଦ୍ରୁ ନାୟକ ଓ ସ୍ତ୍ରୀ ଶିବାନୀ ନାୟକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ସ୍ବାମୀଙ୍କ ଠାରୁ ନିର୍ଯାତନା ପାଇବା ପରେ ଦୁଃଖି ନିଜ ବର୍ଷକର ଶିଶୁ କନ୍ୟା ସହ ଘର ଛାଡି ବ୍ରହ୍ମପୁର ରେଳ ଷ୍ଟେସନରେ ଭିକ୍ଷାବୃତ୍ତି କରି ଚଳୁଥିଲା। ଏହି ସମୟରେ ମାଲକାନଗିରି ଜିଲ୍ଲା କାଲିମେଳାର ଏହି ଦମ୍ପତି ସେମାନଙ୍କୁ ସେଠାରେ ଭେଟ ହୋଇଥିଲା। ଦୁଃଖିଙ୍କ ଦୁଃଖ କାହାଣୀ ଶୁଣିବା ପରେ କାମ ଧନ୍ଦା ଯୋଗାଇ ଦେବା ବାହାନା କରି ପ୍ରଥମେ ମାଆ ଝିଅଙ୍କୁ କାଲିମେଳା ନେଇ ଯାଇଥିଲେ। ସେଠାରେ ଜୟପୁର ଯିବା କହି ମାଆ ଝିଅକୁ ଜୟପୁର ନେଇ ଆସିଥିଲେ। ଆଉ ଜୟପୁରରେ ମାଆ ଦୁଃଖିର ଖାଦ୍ୟରେ କିଛି ନିଶାଦ୍ରବ୍ୟ ଦେଇ ଝିଅକୁ ଅପହରଣ କରି ନେଇଯାଇଥିଲେ। ଜୟପୁର ପୋଲିସ୍ ମୋବାଇଲ ଟ୍ରାକିଂ କରି ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀଙ୍କୁ ପୋଲିସ୍ ଗିରଫ କରିବା ସହ ଶିଶୁଟିକୁ ଉଦ୍ଧାର କରିଥିଲା।