୪୮ଘଣ୍ଟା ପରେ ଖସିବ ପାରଦ, ବଢିବ ଶୀତ

Published By : Prameya-News7 Bureau | December 03, 2019 IST

ଭୁବନେଶ୍ବର ୦୩।୧୨: ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲାକୁ ବାଦ ଦେ​ଲେ​ ରାଜ୍ୟରେ ଏ ପର୍ଯ୍ୟନ୍ତ ବଡ଼ ଧରଣର ଶୀତ ଅନୁଭୂତ ହୋଇନାହିଁ । ଆସନ୍ତା ୪୮ଘଣ୍ଟା ପରେ ରାଜ୍ୟରେ ସ୍ବାଭାବିକ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ସେଲସିୟସ ହ୍ରାସ ପାଇବା ସହିତ ଶୀତ ପ୍ରକୋପ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ କୁହୁଡ଼ି ଅନୁଭୂତ ହେଉଛି । କୁହୁଡ଼ି ପ୍ରଭାବ ଆହୁରି ୪୮ଘଣ୍ଟା ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଉପକୂଳ ଅଞ୍ଚଳରେ କୁହୁଡ଼ିର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି । ଏହାଛଡ଼ା କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଆଦି ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ ।

ବାତ୍ୟା ‘ବୁଲବୁଲ’ ଯିବା ପରେ ରାଜ୍ୟକୁ ଶୀତ ଆସିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରୁଥିଲେ ହେଁ ଏ ପର୍ଯ୍ୟନ୍ତ ଦୁଇ ତିନିଟି ଜିଲ୍ଲାକୁ ବାଦ ଦେଲେ ରାତିର ସର୍ବନିମ୍ନ ତାପମାତ୍ରା ନିମ୍ନଗାମୀ ହୋଇନାହିଁ । ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ ହୋଇଥିବା ତଥ୍ୟ ଅନୁସାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୧୧ ଡ଼ିଗ୍ରୀ ସେଲସିୟସ ଥିବାବେଳେ ସୁନ୍ଦରଗଡ଼ରେ ୧୩, ସୋନପୁରରେ ୧୪ ଓ ଅନୁଗୋଳରେ ୧୫.୬ ଡ଼ିଗ୍ରୀ ସେଲସିୟସ ରହିଛି । ମାତ୍ର ଅନ୍ୟାନ୍ୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୬ଡ଼ିଗ୍ରୀ ଉପରେ ରହିଛି । ଆସନ୍ତା ୪୮ ଘଣ୍ଟା ପରେ ରାତିର ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.