ଦୀର୍ଘ ୨ ବର୍ଷ ପରେ ମହା ଆଡ଼ମ୍ବର ସହିତ ଆରମ୍ଭ ହେଲା ମା’ ବିରଜାଙ୍କ ଶାରଦୀୟ ପୂଜାତ୍ସୋବ

Published By : Prameya-News7 Bureau | September 17, 2022 IST

ଯାଜପୁର ୧୭/୦୯: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ପୂଜା ଉତ୍ସବ ଶନିବାରଠୁ ଆରମ୍ଭ ହୋଇଛି।  ବ୍ରହ୍ମାକୁଣ୍ଡରେ ଘଟ ପୂଜାପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଆଜିଠାରୁ ମା ବିରଜାଙ୍କ ପୀଠରେ ୧୬ କଳସ ସ୍ଥାପନ ପାଇଁ ଷୋଡ଼ଶ ଉପଚାର ଆରମ୍ଭ ହୋଇଥାଏ। ମନ୍ଦିରରୁ ବିରାଟ ପଟୁଆରାରେ ମାଙ୍କ ଘଟ ବ୍ରହ୍ମାକୁଣ୍ଡ ଯାଇଥାଏ। ସେଠାରେ ଘଟ ନିମଗ୍ନ ପରେ ଷୋହଳ କଳସରୁ ପ୍ରଥମ କଳସ ଆଜି ସ୍ଥାପନ ହୋଇଥାଏ। ତେବେ ମା ବିରଜା ମହିଷାସୁରକୁ ବଦ୍ଧ କରିବା ପାଇଁ ବ୍ରହ୍ମାକୁଣ୍ଡରୁ ଜାତ ହୋଇଥିବାରୁ ଏହି ପରମ୍ପରାରେ ପ୍ରତ୍ଯକ ବର୍ଷ ପୂଜାବିଧି ହୋଇଥାଏ।

ସନ୍ଧ୍ୟା ସମୟରେ ମନ୍ଦିର ଗର୍ଭ ଗୃହରୁ ମୁଖ୍ୟ ପୂଜକ, ପୁରୋଧା, ଆର୍ଶା, ସମୀଦ୍ଧ, ଛତ୍ର, ତରାଶ, ଘଣ୍ଟ ବାଦ୍ୟ ସହିତ ସମସ୍ତେ  ଶୋଭାଯାତ୍ରାରେ ଯାଇ ବ୍ରହ୍ମାକୁଣ୍ଡରେ ପହଞ୍ଚି  ମା’ଙ୍କର ସ୍ନାନ, ତର୍ପଣ, ସଂକଳ୍ପ  କରିବା ପରେ ଏକ କଳସରେ ଜଳ ଧରି ଯଜ୍ଞ  ମଣ୍ଡପରେ ସ୍ଥାପନ କରିଥିଲେ। ରାତି ୯ ଘଟିକାରେ ମହାସ୍ନାନ ଆୟୋଜନ କରି ମହାସ୍ନାନ ଓ ବଡ଼ ସିଂହାର ବେଶ କରାଯାଇଥିଲା। ପରେ ଘଟ ପୂଜା ଓ ଯଜ୍ଞ କରାଯାଇଛି । ଏହି ପୂଜା ରାତିସାରା ହେବାକୁ ଥିବାରୁ ମନ୍ଦିରର ମୁଖ୍ୟ ଦ୍ୱାର ଖୋଲା ରହିବ ବୋଲି ସେବାୟତ କହିଛନ୍ତି । ଆଜିର ପୂଜା କାର୍ଯ୍ୟରେ ମନ୍ଦିରର ସମସ୍ତ ପୁରୋଧା ଉପସ୍ଥିତ ରହି ପୂଜା କାର୍ଯ୍ୟ ସଂପାଦନ କରିଥିବା ବେଳେ ଆର୍ଶା ପାଳିଆ,  ସମୀଧ୍ୟ ପାଳିଆ,  ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ସଂପାଦନ କରିଛନ୍ତି ।

ମନ୍ଦିର ପରିଚାଳନା କମିଟି ପକ୍ଷରୁ ମୁଖ୍ୟ ପରିଚାଳକ ତଥା ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଉପସ୍ଥିତ ରହି କାର୍ଯ୍ୟ ତଦାରଖ  କରିଥିଲେ। ମନ୍ଦିର ସିଂହଦ୍ୱାର ଖୋଲା ଥିବାରୁ ମନ୍ଦିର  ଆଗରେ ଓ ଭିତରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିବାକୁ ମୁଖ୍ୟ ପରିଚାଳକ ନିର୍ଦ୍ଦେଶ ଦେଇଥିବାର କୁହାଯାଇଛି। କଳସଯାତ୍ରା ସମୟରୁ ପୂଜା ଆରମ୍ଭ ପର୍ଯ୍ୟନ୍ତ ମନ୍ଦିରର ମୁଖ୍ୟ ପରିଚାଳକ ଶ୍ରୀ କୁଅଁର ସ୍ଥାନୀୟ ଥାନାଧିକାରୀ ଅଜୟ ଜେନା  ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଦୀର୍ଘ ଦୁଇ ବର୍ଷପରେ ମହା ଆଡ଼ମ୍ବର ସହିତ ମାଙ୍କ ଶାରଦୀୟ ପୂଜା ହେଉଥିବାରୁ ମନ୍ଦିର ସେବାୟତଙ୍କ ସହିତ ଶ୍ରଦ୍ଧାଳୁମାନେ ଖୁସି ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.