ଶ୍ରଦ୍ଧା ହତ୍ୟାକାଣ୍ଡ: ଅଭିଯୁକ୍ତ ଅଫତାବ ପ୍ରତ୍ୟାହାର କଲା ଜାମିନ ନିବେନ, ଜାଣନ୍ତୁ କହିଛି କ’ଣ?
22/12/2022 at 5:03 PM

ନୂଆଦିଲ୍ଲୀ ୨୨।୧୨: ଶ୍ରଦ୍ଧା ହତ୍ୟାକାଣ୍ଡ ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା କୋର୍ଟରେ ଜାମିନ ନିବେଦନ ରୁଜୁ କରିବାକୁ ଚାହୁଁନି। ଅଫତାବଙ୍କ ଓକିଲଙ୍କ ପକ୍ଷରୁ କୋର୍ଟରେ ଜାମିନ ନିବେଦନ ଦିଆଯାଇଥିଲା। ତେବେ ଜାମିନ୍ ପାଇଁ ଅଫତାବର ସହମତି ଜରୁରି ବୋଲି କୋର୍ଟ କହିଥିଲେ। ଏ ବାବଦେ ଅଫତାବକୁ ତା ଓକିଲ ଭେଟିବା ପରେ ଜାମିନ ନିବେଦନକୁ ପ୍ରତ୍ୟାହାର କରିନେଇଛି। ଏହା ପୂର୍ବରୁ ଅଫତାବ ତା କ୍ୟାରିୟର ବାହାନାରେ ଜାମିନ ଲାଗି କୋର୍ଟଙ୍କୁ ନିବେଦନ କରିଥିଲା।
ଦିଲ୍ଲୀ ସାକେତ କୋର୍ଟରେ ଶ୍ରଦ୍ଧା ହତ୍ୟାକାଣ୍ଡ ଅଭିଯୁକ୍ତ ଅଫତାବର ଜାମିନ ନିବେଦନ ରୁଜୁ ହୋଇଥିଲା। ଏହାର ଶୁଣାଣି କାଳରେ କୋର୍ଟ ଏହା ଉପରେ ଅଫତାବର ସହମତି ଲାଗି ତାକୁ ଭିଡିଓ କନଫରେନସିଂ ମାଧ୍ୟମରେ ହାଜର କରିବାକୁ କହିଥିଲେ। ସେହି ଅନୁସାରେ ଶୁଣାଣି ଲାଗି ଅଫତାବକୁ ହାଜର କରାଯାଇଥିବା ବେଳେ ମାମଲାରେ ସେ ଓକିଲଙ୍କ ସହ କଥା ହେବାକୁ ଚାହୁଁଥିବା କହିଥିଲା। ଓକିଲଙ୍କ ସହ କଥା ହୋଇ ଏ ବାବଦେ ସେ ନିଷ୍ପତ୍ତି ନେବ ବୋଲି କହିଥିଲା।

ଓକିଲଙ୍କୁ ଭେଟିବା ପରେ ବର୍ତ୍ତମାନ ସେ ଜାମିନ ନିବେଦନ କରିବାକୁ ଚାହୁଁ ନଥିବା କହିଛି। ଅଫତାବ ଏକ ଇ-ମେଲ ମାଧ୍ୟମରେ କୋର୍ଟଙ୍କୁ ସୂଚିତ କରିଛନ୍ତି ଯେ ଏଥିଲାଗି ସେ ୱକାଲତ ନାମାରେ ସ୍ୱାକ୍ଷର ତ କରିଥିଲେ, ହେଲେ ହେଲେ ତାଙ୍କ ତରଫରୁ ଓକିଲ ଜାମିନ ନିବେଦନ ଦାୟର କରିଥିବା ସେ ଜାଣିନଥିଲେ । ଶୁଣାଣି କାଳରେ ଓକିଲ ଅଫତାବ ସହ ପ୍ରାୟ ୫୦ ମିନିଟ୍ କାଳ କଥା ହୋଇଥିବା କୋର୍ଟଙ୍କୁ କହିଛନ୍ତି। ଏହି କଥାବାର୍ତ୍ତା କାଳରେ ଏବେ ଜାମିନ ନିବେଦନ କରିବାକୁ ଅଫତାବ ଚାହୁଁନଥିବା ସେ କହିଛନ୍ତି।
ଏଥିଲାଗି ଓକିଲ କୋର୍ଟଙ୍କୁ କ୍ଷମାନିବେଦନ କରିଥିବା ବେଳେ ଆଗକୁ ଏପରି ମିସ୍ କମ୍ୟୁନିକେସନ ହେବନି ବୋଲି କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଶେଷରେ ସାକେତ କୋର୍ଟ ଅଫତାବକୁ ତାର ଜାମିନ ନିବେଦନ ଫେରସ୍ତ ନେବାକୁ ଅନୁମତି ଦେଇଛନ୍ତି। ପୋଲିସ ୯୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ। ଆଶା କରାଯାଉଛି ଖୁବ୍ ଶୀଘ୍ର ତଦନ୍ତ ଶେଷ ହେବା ସହ ଚାର୍ଜସିଟ୍ ଦାଖଲ ହୋଇଯିବ।