ତାଲିବାନି ସରକାରରେ ଆତଙ୍କୀ ଭରପୂର , କିଏ UN ଲିଷ୍ଟରେ ଅଛି ତ, ଆଉ କାହା ଉପରେ ରହିଛି ୭୩ କୋଟିର ପୁରସ୍କାର

Published By : Prameya-News7 Bureau | September 08, 2021 IST

କାବୁଲ, ୦୮/୦୯ : ଆଫଗାନିସ୍ତାନରେ ତାଲିବାନ ଦେଶର କାର୍ଯ୍ୟନିର୍ବାହୀ ସରକାର ଘୋଷଣା କରିଛି। ନୂତନ ତାଲିବାନ କ୍ୟାବିନେଟରେ ସେହି ସମସ୍ତ ଚେହେରା ଅନ୍ତର୍ଭୁକ୍ତ ଯେଉଁମାନେ ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନରେ ଆମେରିକାର ନେତୃତ୍ୱାଧୀନ ବାହିନୀ ସହିତ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ନୂତନ ତାଲିବାନ ସରକାରରେ ମଲ୍ଲିକ ହାସନ ଅଖଣ୍ଡଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଦାୟିତ୍ ଦିଆଯାଇଛି। ମୁଲ୍ଲା ହସନ ଅଖୁନ୍ଦାଙ୍କୁ ନୂଆ ସରକାରରେ ପ୍ରଧାନମନ୍ତ୍ରୀ କରାଯାଇଛି।

ସେହିପରି ଅନ୍ୟ ୨ ଜଣଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୁଲ୍ଲା ଅବ୍ଦୁଲ ଗନୀ ବରାଦର। ଗନୀ ଆମେରିକା ସହ ହୋଇଥିବା ଆଲୋଚନାରେ ନେତୃତ୍ଵ ନେଇଥିଲେ ଏବଂ ଆଫଗାନିସ୍ତାନରୁ ଆମେରିକାକୁ ସମ୍ପୂର୍ଣ୍ଣ ରୂପରେ ବିଦା କରିବାକୁ ହୋଇଥିବା ବୁଝାମଣାରେ ଗୁରୁତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ସେହିପରି ଆମିର ଖାନ ମୁତ୍ତକିଙ୍କୁ ବୈଦେଶିକ ମନ୍ତ୍ରୀ କରାଯାଇଛି। ଏହା ସହ ଭାରତୀୟ ସୈନ୍ୟ ଏକାଡେମୀରେ ପାଠ ପଢିଥିବା ଅବ୍ବାସ ଷ୍ଟାନକଜଇଙ୍କୁ ବୈଦେଶିକ ଉପ ମନ୍ତ୍ରୀ କରାଯାଇଛି। ଏତଦ୍ ବ୍ୟତୀତ କୁଖ୍ୟାତ ହକ୍କାନୀ ନେଟୱାର୍କରେ ନେତୃତ୍ଵ ନେଇଥିବା ସିରାଜୁଦ୍ଦୀନଙ୍କୁ ଗୃହମନ୍ତ୍ରୀ, ମୁଲ୍ଲା ୟାକୁବଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି।

ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ଯେ, ନୂତନ ସରକାରରେ ଅନେକ ସାମିଲ ଅଛନ୍ତି । ଯେଉଁମାନେ ବିଭିନ୍ନ ଆତଙ୍କୀ ସଙ୍ଗଠନ ସହ ଜଡ଼ିତ ଅଛନ୍ତି। ଏପରିକି ଯେଉଁମାନଙ୍କୁ ମିଳିତ ଜାତିସଙ୍ଘ ଆତଙ୍କବାଦୀ ଘୋଷଣା କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସିରାଜୁଦ୍ଦୀନ। ସେ ଏକ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ। ସିରାଜୁଦ୍ଦୀନ ମୁଣ୍ଡ ଉପରେ ଆମେରିକା ପୁରସ୍କାର ରାଶି ଘୋଷଣା କରିଥିଲା। ସିରାଜୁଦ୍ଦୀନ ପାକିସ୍ତାନର ନର୍ଥ ୱଜିରସ୍ତାନ ଅଞ୍ଚଳ ସହ ରହିଛି। ହକ୍କାନୀ ନେଟୱାର୍କର ଏହି ଟପ୍ ଆତଙ୍କୀ କମାଣ୍ଡରର ନାମ ଏଫବିଆଇର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ରହିଛି। ଏବେ ପ୍ରଶ୍ନ ଉଠୁଛି ଆତଙ୍କବାଦୀରେ ଭରପୁର ତାଲିବାନର ଏହି ନୂଆ ସରକାରକୁ କଣ ଦୁନିଆ ମାନ୍ୟତା ଦେବ ?

ତେବେ ଆସନ୍ତୁ ଜାଣିବା ତାଲିବାନୀ ସରକାରରେ ପ୍ରମୁଖ ପଦବୀରେ ଥିବା ଟପ୍ ଆତଙ୍କବାଦୀଙ୍କ ସଂପର୍କରେ-
ପ୍ରଧାନମନ୍ତ୍ରୀ : ମୁଲ୍ଲା ହସନ ଅଖୁନ୍ଦ

ମୁଲ୍ଲା ହସନ ଅଖୁନ୍ଦ ତାଲିବାନର ରହବୀର ଶୁରା ସଂସ୍ଥାର ପ୍ରମୁଖ। ସେ କାନ୍ଦାହାରର ସଶସ୍ତ୍ର ଆନ୍ଦୋଳନର ସଂସ୍ଥାପକ। ସେ ରହବୀର ଶୁରାର ପ୍ରମୁଖ ରୂପରେ ୨୦ ବର୍ଷ ଯାଏଁ କାମ କରିଛି। ସେ ୧୯୯୬ ରୁ ୨୦୦୧ ଯାଏଁ ଆଫଗାନିସ୍ତାନରେ ବୈଦେଶିକ ମନ୍ତ୍ରୀ ଓ ଉପ ପ୍ରଧାନମନ୍ତ୍ରୀ ଥିଲା। ତେବେ ମୁଲ୍ଲାର ନାମ ବୈଶ୍ଵିକ ଆତଙ୍କବାଦୀ ତାଲିକାରେ ରହିଛି।

ଉପ ପ୍ରଧାନମନ୍ତ୍ରୀ : ମୁଲ୍ଲା ବରାଦର

ମୁଲ୍ଲା ବରାଦର ତାଲିବାନର ସଂସ୍ଥାପକ ମଧ୍ୟରୁ ଜଣେ। ୧୯୯୪ରେ ତାଲିବାନ ଗଠନରେ ସେ ସାମିଲ ଥିଲା। ୧୯୯୬ରୁ ୨୦୦୧ ମଧ୍ୟରେ ମୁଲ୍ଲା ବରାଦର ପ୍ରତିରକ୍ଷା ମନ୍ତ୍ରୀ ଥିଲା। ତାଲିବାନ ସରକାରର ପତନ ପରେ ମହାମେଣ୍ଟ ବାହିନୀ ଉପରେ ଆକ୍ରମଣ କରିଥିବା ଜଣେ ବରିଷ୍ଠ ସୈନ୍ୟ କମାଣ୍ଡର ରୂପରେ କାର୍ଯ୍ୟ କରିଥିଲା।

ଉପ ପ୍ରଧାନମନ୍ତ୍ରୀ : ଅବ୍ଦୁଲ ସଲାମ ହନାଫି

ଅବ୍ଦୁଲ ସଲାମ ହନାଫି ୨୦୦୭ରେ ଉତ୍ତର ଆଫଗାନିସ୍ତାନର ଜାଜୁଜାନ ପ୍ରାନ୍ତର ପ୍ରଭାରୀ ଥିଲା। ମାଦକ ପଦାର୍ଥ ତସ୍କରୀ ପାଇଁ ମିଳିତ ଜାତିସଙ୍ଘ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲା।

ଗୃହ ମନ୍ତ୍ରୀ : ସିରାଜୁଦ୍ଦୀନ ହକ୍କାନୀ

ସିରାଜୁଦ୍ଦୀନ ହକ୍କାନୀର ନାମ ବିଶ୍ଵ ଆତଙ୍କବାଦୀ ତାଲିକାରେ ରହିଛି। ଆମେରିକା ହକ୍କାନୀ ମୁଣ୍ଡ ଉପରେ ୭୩ କୋଟି ୩୬ ଲକ୍ଷ ୬୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ହକ୍କାନୀ ନେଟୱାର୍କର ସିରାଜଦ୍ଦୁନୀ ଜଣେ ଶୀର୍ଷ ଆତଙ୍କବାଦୀ। ଏଫବିଆଇର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ତାହାର ନାମ ରହିଛି।

ବୈଦେଶିକ ମନ୍ତ୍ରୀ : ଆମିର ଖାନ ମୁତକ୍କି

ମୁତକ୍କି ଗତ ତାଲିବାନ ସରକାର ସମୟରେ ଶିକ୍ଷା, ସଂସ୍କୃତି ଓ ସୂଚନା ମନ୍ତ୍ରୀ ଥିଲା। ତାହାକୁ କତାର ପଠାଯାଇଥିଲା। ଶାନ୍ତି ପାଇଁ ସେ ଆମେରିକା ସହ ମଧ୍ୟ ଆଲୋଚନା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.