କ୍ଷୁଧାର ଜ୍ବାଳାରେ ଆଫଗାନିସ୍ତାନ, ଦେଶକୁ ଗ୍ରାସ କରିଛି କୁପୋଷଣ, ଭୋକ ଭୁଲିବାକୁ ପିଲାକୁ ଡ୍ରଗ୍ସ ଦେଉଛି ମା’

Published By : Prameya-News7 Bureau | November 27, 2022 IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୟଙ୍କର ଖାଦ୍ୟ ସଂକଟ । ଭୋକ ଜ୍ବାଳାରେ ଛଟପଟ ହେଉଛନ୍ତି ଲୋକ । ତାଲିବାନ ସଂଗଠନ ଶାସନ ଭାର ସମ୍ଭାଳିବା ପରେ ଦେଶରେ ଖାଦ୍ୟ ସଂକଟ ଚରମସୀମାରେ ପହଞ୍ଚିଛି । ଭୋକକୁ ଚାପିବାକୁ ମା’ ପିଲାଙ୍କୁ ଡ୍ରଗ୍ସ ଦେବାକୁ ପଛଉନାହିଁ । ଔଷଧ ବୁଝାଉଛି କୁନି କୁନି ପିଲାଙ୍କ ପେଟର ଜ୍ବାଲା । ଖାଦ୍ୟ ପାଇଁ ଅଙ୍ଗ ବିକ୍ରି କରିବାକୁ ପଛଉନାହାନ୍ତି ଲୋକ । ଛୋଟ ଛୋଟ ଝିଅଙ୍କୁ ବିକ୍ରି କରିଯାଉଥିବା ଅଭିଯୋଗ ହୋଇଛି ।

ଆଫଗାନିସ୍ତାନରେ ତାଲିବାନ ଶାସନ ଭାର ସମ୍ଭାଳିବା ପରେ ଖାଦ୍ୟଭାବ ଦେଖା ଦେଇଛି । ଭୋକର ଜ୍ବାଳାରେ ପ୍ରାଣ ହଉଛନ୍ତି ଲୋକ । ଦେଶ ଅର୍ଥନୈତିକ ସଂକଟ ଜାରି ରହିଥିବାବେଳେ ଲୋକଙ୍କୁ ରୋଜଗାର ମିଳିବା ବି ମୁସ୍କିଲ ହୋଇଛି । ବେରୋଜଗାର ବଢି ବଢି ଚାଲିଛି । ଅନ୍ତରାଷ୍ଟ୍ରୀୟ ସହାୟତା ଶେଷ ହୋଇଥିବାରୁ ଦେଶରେ ଖାଦ୍ୟ ସଂକଟ ଦେଖାଦେଇଛି । ଭୋକ ଭୁଲିବାକୁ କୁନି କୁନି ପିଲାଙ୍କୁ ମା’ମାନେ ଦେଉଛି ଡ୍ରଗ୍ସ । କ୍ଷୁଧା ଭୁଲି ଶାନ୍ତିରେ ଶୋଇବାକୁ ଛୋଟ ପିଲାଙ୍କୁ ନିଦ ମେଡିସିନ୍ ଦିଆଯାଉଛି । ଭୋକର ଜ୍ବାଳା ଅସହ୍ଯ ହେଉଥିବାରୁ ଲୋକମାନେ ନିଜ ଅଙ୍ଗ ବିକ୍ରି କରିବାକୁ ବି ପଛଉନାହାନ୍ତି । ଖାଦ୍ୟ ପାଇଁ ଛୋଟ ଛୋଟ ଝିଅ ବିକ୍ରି ହେଉଛନ୍ତି । ଏହା କେବଳ ଗୋଟିଏ କି ଦୁଇଟି ପରିବାରରେ ନୁହେଁ ବରଂ ଅଧିକାଂଶ ପରିବାରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

୨୦୨୧ ଅଗଷ୍ଟ ୧୫ତାରିଖରୁ ଆଫଗାନିସ୍ତାନକୁ ପୁଣି ଥରେ ତାଲିବାନ କବଜା କରିଛି । ତାଲିବାନ ଶାସନ ସତ୍ତାକୁ ଆସିବାରେ ମହିଳା ଉପରେ ଅନେକ ପ୍ରତିବନ୍ଧକ ଲାଗିଛି । ରୋଜଗାର ନଥିବାରୁ ଖାଦ୍ୟାଭାବରେ ଛଟପଟ ହେଉଛନ୍ତି ଲୋକ । ଗରିବୀରୁ ବର୍ତ୍ତିବା ପାଇଁ ଛୋଟ ପିଲାଙ୍କୁ ବିକ୍ରି କରାଯାଉଛି । ଭୋକ ଜ୍ବାଳାକୁ ଦୂର କରିବାକୁ କମ୍ ବୟସରୁ ଝିଅଙ୍କୁ ବିବାହ ବନ୍ଧନରେ ଛନ୍ଦି ଦିଆଯାଉଛି ।

ଓ୍ବାଲ୍ଡ ଫୁଡ୍ ପ୍ରୋଗ୍ରାମ ବା WFP ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନକୁ କୁପୋଷଣ ଗ୍ରାସ କରିଛି। ୧୦ଲକ୍ଷରୁ ଅଧିକ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ପୂରା ଦେଶ ଖାଦ୍ୟ ସଂକଟର ସାମ୍ନା କରୁଛି । ୯୫ ପ୍ରତିଶତ ଲୋକଙ୍କ ପାଖରେ ଦୁଇ ମୁଠା ଖାଇବାକୁ ଖାଦ୍ୟ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.