ଏସିଆ କପ୍ ପରାଜୟର ପ୍ରତିଶୋଧ ନେଲା ଆଫଗାନିସ୍ତାନ, ପାକିସ୍ତାନକୁ ୬ ଓ୍ଵିକେଟ୍ରେ ହରାଇ ରଚିଲା ଇତିହାସ
25/03/2023 at 3:43 PM

ନୂଆଦିଲ୍ଲୀ: ଆଫଗାନିସ୍ତାନ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ୬ ଓ୍ଵିକେଟ୍ରେ ଜିତି ନେଇଛି। ଶୁକ୍ରବାର ସାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦କୁ ଆଫଗାନିସ୍ତାନ ୬ ଓ୍ଵିକେଟ୍ରେ ବିଜୟୀ ହୋଇଛି। ଆଫଗାନିସ୍ତାନ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିନପାରି ପାକିସ୍ତାନ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୯୨ ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଆଫଗାନିସ୍ତାନ ୧୭.୫ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଆଫଗାନିସ୍ତାନ ପଡୋଶୀ ପାକିସ୍ତାନକୁ ହରାଇ ଏସିଆ କପ୍ ପରାଜୟର ପ୍ରତିଶୋଧ ନେବା ସହ ଇତିହାସ ରଚିଛି। ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ମାର୍ଚ୍ଚ ୨୬ରେ ଖେଳାଯିବ।
୯୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଆଫଗାନିସ୍ତାନର ଆରମ୍ଭ ଶୋଚନୀୟ ଥିଲା। ପାଓ୍ଵାର ପ୍ଲେରେ ଦଳ ୨୭ ରନରେ ୩ଟି ଓ୍ଵିକେଟ୍ ହରାଇଥିଲା। ରହମନତୁଲ୍ଲା ଗୁରବାଜ(୧୬), ଇବ୍ରାହିମ ଜାରଦାନ(୦) ଏବଂ ଗୁଲବଦୀନ ନାଏବ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। କରିମ ଜନତ ମଧ୍ୟ ୭ ରନ କରି ପାଭିଲିୟନ ଫେରିଥିଲେ। ୪୫ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡିଥିବା ଆଫଗାନିସ୍ତାନର ମୋର୍ଚ୍ଚା ସମ୍ଭାଳିଥିଲେ ମହମ୍ମଦ ନବି ଏବଂ ନଜିବୁଲ୍ଲା ଜାରଦାନ। ଉଭୟ ଅବିଭାଜିତ ପଞ୍ଚମ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡି ଦଳକୁ ଚମତ୍କାର ବିଜୟ ଦେଇଛନ୍ତି। ପ୍ଲେୟାର ଅଫ ଦ ମ୍ୟାଚ୍ ପାଇଥିବା ମହମ୍ମଦ ନବି ୩୩ ବଲ୍ରୁ ୩୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଏଥିରେ ୩ ଚୌକା ଏବଂ ୧ ଛକା ସାମିଲ୍। ଅନ୍ୟପଟେ ନଜିବୁଲ୍ଲା ୨ଟି ଚୌକା ଜରିଆରେ ୧୭ ରନରେ ଅପରାଜିତ ଥିଲେ। ପାକିସ୍ତାନ ପକ୍ଷରୁ ଇହସାନୁଲ୍ଲା ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଥିଲେ।
ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ ଖାସ୍ ନଥିଲା। ମହମ୍ମଦ ହାରିସ(୬) ଓ୍ଵିକେଟ୍ ହରାଇଥିଲା। ଏହାର ପରବର୍ତ୍ତୀ ଓଭରରେ ଅବଦୁଲ୍ଲା ସଫିକ ମଧ୍ୟ ଖାତା ଖୋଲି ପାରିନଥିଲେ। ଏହା ପରେ ଫର୍ମରେ ନଜର ଆସୁଥିବା ଅନ୍ୟ ଓପନର ସାମ ଆୟୁବ(୧୭) ପାଓ୍ଵାର ପ୍ଲେର ଶେଷ ଓଭରରେ ଆଉଟ୍ ହୋଇଥିଲେ। ପାକିସ୍ତାନ ୩୯ ରନରେ ୩ ଓ୍ଵିକେଟ୍ ହରାଇଥିଲା। ଏହାର ତିନି ରନ ଭିତରେ ତୈୟବ ତାହିର(୧୬) ଏବଂ ଆଜମ ଖାନ(୦) ପାଭିଲିୟନ ଫେରିଥିଲେ।
ପାଞ୍ଚ ଓ୍ଵିକେଟ୍ ଖସିବା ପରେ ପାକିସ୍ତାନ ଦଳ ଆଉ ବିପର୍ଯ୍ୟୟରୁ ଉଠି ପାରିନଥିଲା। ଦଳ ୨୦ ଓଭରରେ ୯ ଓ୍ବିକେଟ୍ ହରାଇ ୯୨ ରନ କରିଥିଲା। ଇମାଦ ଓ୍ଵାସିମ ୩୨ ବଲ୍ରୁ ୧୮ ରନ କରିଥିବା ବେଳେ ସାଦବ ଖାନ(୧୨), ସାମ ଆୟୁବ(୧୭) ଏବଂ ତୈୟବ ତାହିର(୧୬) କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ଫଜଲହକ ଫାରୁକି, ମୁଜିବ ଉର ରେହମାନ ଏବଂ ମହମ୍ମଦ ନବି ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ଏସିଆ କପର ପ୍ରତିଶୋଧ ନେଲା ଆଫଗାନିସ୍ତାନ
ଏହି ବିଜୟ ସହିତ ଆଫଗାନିସ୍ତାନ ଗତ ବର୍ଷ ଏସିଆ କପ୍ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ସାରଜାରେ ଖେଳାଯାଇଥିବା ମ୍ୟାଚ୍ରେ ଆଫଗାନିସ୍ତାନ ୬ ଓ୍ଵିକେଟ୍ ହରାଇ ୧୨୯ ରନ କରିଥିଲା। ଜବାବରେ ପାକିସ୍ତାନ ଗୋଟିଏ ସମୟରେ ୯ ଓ୍ଵିକେଟ୍ ହରାଇ ୧୧୮ ରନ କରିଥିଲା। ମାତ୍ର ଶେଷ ଓଭରରେ ନସିମ ଶାହ ଲଗାତାର ଦୁଇଟି ଛକା ମାରି ମ୍ୟାଚ୍ ଜିତାଇଥିଲେ।