କାବୁଲ ୧୪/୦୯ : ଆଫଗାନିସ୍ତାନରେ ତାଲିବାନର ଶାସନ ଚାରିଆଡ଼େ ଦେଖିବାକୁ ମିଳିଛି। ତାଲିବାନ ଶାସନରେ ଲୋକମାନଙ୍କ ଜୀବନ ବଞ୍ଚିବା କଷ୍ଟକର ହୋଇ ପଡ଼ିଛି। ତେବେ ଯେଉଁ ମହିଳାମାନେ ନିଜ ସ୍ୱପ୍ନ ପୂରଣ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ତାଲିବାନ ସବୁଠାରୁ ବଡ ଘାତକ ସାଜୁଛି ।
ସେଥିମଧ୍ୟରୁ ଜଣେ ମହିଳା ହେଉଛନ୍ତି ବକ୍ସର ସୀମା ରେଜାଇ। ଜାତୀୟ ଦଳର ସଦସ୍ୟ ରହିଥିବା ସୀମା ତାଲିବାନ ଶାସନ ପୂର୍ବରୁ ଅଲିମ୍ପିକ୍ସ ପଦକ ଜିତିବାର ସ୍ୱପ୍ନ ଦେଖିଥିଲେ । କିନ୍ତୁ ଏବେ ତାଙ୍କୁ ନିଜ ଦେଶ ଛାଡ଼ି ଯିବାକୁ ପଡ଼ିଛି। ତାଲିବାନ ଏବେ ତାଙ୍କୁ ବକ୍ସିଂ ଜାରି ରଖିଲେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିବ ବୋଲି ଚେତାବନୀ ଦେଇଛି। ନିକଟରେ ଏକ ସାକ୍ଷାତକାରରେ ସେ ନିଜ ଦୁଃଖର କଥା ବଖାଣିଥିଲେ। ସେ କହିଥିଲେ, ଯେତେବେଳେ ତାଲିବାନ କାବୁଲ ଉପରେ କବଜା କଲା, ସେତେବଳେ ମୁଁ ମୋ କୋଚଙ୍କ ସହ ଟ୍ରେନିଂ କରୁଥିଲି। କିଛି ଲୋକ ତାଲିବାନକୁ କହିଲେ ଯେ ଜଣେ ଯୁବତୀ ପୁରୁଷ କୋଚଙ୍କ ସହ ଟ୍ରେନିଂ ନେଉଛନ୍ତି। ଏହା ପରେ ତାଲିବାନ ମୋତେ ଧମକ ଦେଇ କହିଲା ଯଦି ଟ୍ରେନିଂ ବନ୍ଦ ନକରିବ, ତେବେ ତୁମକୁ ମାରିଦିଆଯିବ।
ଏହା ପରେ ରେଜାଇ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆଫଗାନିସ୍ତାନ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ସୀମା ବର୍ତ୍ତମାନ କତାରରେ ଅଛନ୍ତି। ସେଠାରେ ସେ ଆମେରିକା ଭିସା ଅପେକ୍ଷାରେ ଅଛନ୍ତି। ୧୬ ବର୍ଷ ବୟସରେ ବକ୍ସିଂ କ୍ୟାରିୟର ଆରମ୍ଭ କରିଥିବା ସୀମା ଆମେରିକାରେ ବକ୍ସିଂ କ୍ୟାରିୟର ଗଢ଼ିାବାକୁ ଆଶା ରଖିଛନ୍ତି।