କାଶ୍ମୀର ପ୍ରସଙ୍ଗରେ ପାକ୍ ର ବୟାନକୁ ନେଇ ଆଫଗାନ ରାଷ୍ଟ୍ରଦୂତ ଖପ୍ପା, ଜାଣନ୍ତୁ କହିଲେ କ’ଣ
19/08/2019 at 10:06 PM

ୱାସିଂଟନ: କାଶ୍ମୀର ପ୍ରସଙ୍ଗକୁ ନେଇ ପାକ୍ ର ବୟାନବାଜୀ ଆମେରିକାରେ ଅବସ୍ଥାପିତ ଆଫଗାନ ରାଷ୍ଟ୍ରଦୂତଙ୍କୁ କ୍ଷୁବ୍ଧ କରିଛି। ଏଥିରେ ଆଫଗାନ ରାଷ୍ଟ୍ରଦୂତ ରୋୟା ରହମାନୀ ପାକକୁ କଡା ଜବାବ ଦେଇଥିବା ବେଳେ ଆଫଗାନ ବୁଝାମଣା ସହ କାଶ୍ମୀର ପ୍ରସଙ୍ଗକୁ ନ ଯୋଡିବା ଲାଗି ସତର୍କ କରାଇଦେଇଛନ୍ତି। ପାକିସ୍ତାନ ଜାଣିସୁଣି ଯଦି ଏଭଳି କରୁଥାଏ ତେବେ କେବଳ ସେ ନିଜେ ହିଁ ଦାୟି ରହିବ ବୋଲି କହିଛନ୍ତି ରହମାନୀ।

ଆମେରିକାରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତ ଅସଦ ମାଜିଦ୍ ଖାନ କାଶ୍ମୀରରେ ଉପୁଜିଥିବା ଉତ୍ତେଜନାର ପ୍ରଭାବ ଆଫଗାନର ଶାନ୍ତି ପ୍ରକ୍ରିୟାକୁ ଉପରେ ପଡିପାରେ ବୋଲି କହିଥିଲେ। ଏହାର ପ୍ରତିକ୍ରିୟାରେ ଆଫଗାନ ରାଷ୍ଟ୍ରଦୂତ ଦୀର୍ଘବୟାନ ଜାରି କରିଛନ୍ତି। ସେ କହିଛନ୍ତି ଯେ କାଶ୍ମୀରକୁ ଆଫଗାନ ଶାନ୍ତି ପ୍ରକ୍ରିୟା ସହ ସଂଯୁକ୍ତ କରୁଥିବା ବୟାନକୁ କେବଳ ଦୁଃଶାହସ, ଅନୁଚିତ ଓ ଦାୟିତ୍ୱହୀନ ବୟାନ ବୋଲି କୁହାଯାଇପାରେ। କାରଣ କାଶ୍ମୀର ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷୀକ ମାମଲା। ଏଥିରେ ଆଫଗାନିସ୍ତାନର କିଛି ଯାଏ କି ଆସେନା। ତେବେ ପାକିସ୍ତାନ ଜାଣିଶୁଣି ପ୍ରସଙ୍ଗକୁ ଆଫଗାନିସ୍ତାନ ସହ ଯୋଡିବାକୁ ଚେଷ୍ଟା କରୁଛି। ଅର୍ଥାତ ଆଫାଗନିସ୍ତାନରେ ଜାରି ହିଂସାକୁ ପାକ୍ ଜାଣିଶୁଣି ପ୍ରୋତ୍ସାହିତ କରୁଛି।

ପାକ୍ ରାଷ୍ଟ୍ରଦୂତଙ୍କ ଏପରି ବୟାନବାଜୀକୁ ଏବେ ଆଫଗାନିସ୍ତାନ ବିରୋଧୀ ବୋଲି ବିଚାର କରାଯାଉଥିବା ବେଳେ ନିକଟରେ ଆଫଗାନ ରାଷ୍ଟ୍ରପତିଙ୍କ ପାକ୍ ଗସ୍ତର ବିପରୀତ ବୋଲି ରହମାନୀ କହିଛନ୍ତି। ଏହି ଗସ୍ତକାଳରେ ରାଷ୍ଟ୍ରପତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ସେନାମୁଖ୍ୟ ଜେନେରାଲ ବଜୱାଙ୍କୁ ଭେଟିଥିଲେ। ସେତେବେଳେ ସେମାନେ ରାଷ୍ଟ୍ରପତିଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ଏବେ ପାକ୍ ତା ବିରୋଧରେ ଯାଉଥିବା ବୟାନରୁ ସ୍ପଷ୍ଟ ଜଣାପଡୁଛି ବୋଲି ରେହେମାନୀ ପାକ୍ କୁ ଚେତାଇ ଦେଇଛନ୍ତି।