କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
7/07/2022 at 8:37 AM

ନୂଆଦିଲ୍ଲୀ ୭/୭: ଭାରତୀୟ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ବିଭିନ୍ନ ବିମାନରେ ଦେଖାଦେଉଥିବା ତ୍ରୁଟିକୁ ନେଇ ଚିନ୍ତା ବଢ଼ିଛି । ସଦ୍ୟ ଘଟଣାରେ ୩ଟି ପ୍ରମୁଖ କମ୍ପାନି ବିସ୍ତାରା, ସ୍ପାଇସ୍ଜେଟ୍ ଏବଂ ଇଣ୍ଡିଗୋର ବିମାନରେ ତ୍ରୁଟି ଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଘଟଣାର ତଦନ୍ତ କରିବା ସହ ସ୍ପାଇସ୍ଜେଟ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଇଣ୍ଡିଗୋକୁ ମାଗିଛି ତଥ୍ୟ ।
ସ୍ପାଇସ୍ଜେଟ୍ର ବିମାନଗୁଡ଼ିକରେ ବିଗତ କିଛି ଦିନ ହେଲା ପ୍ରଯୁକ୍ତିଗତ ତ୍ରୁଟି ମାମଲା ସାମ୍ନାକୁ ଆସୁଛି । ବିଗତ ୧୮ ଦିନ ମଧ୍ୟରେ କମ୍ପାନିର ବିମାନଗୁଡ଼ିକରେ ପ୍ରଯୁକ୍ତିଗତ ତ୍ରୁଟିର ୮ଟି ମାମଲା ସାମ୍ନାକୁ ଆସିଲାଣି । ସେଥିମଧ୍ୟରୁ କେବଳ ମଙ୍ଗଳବାର ୩ଟି ଘଟଣା ଘଟିଥିଲା । ଏହାପରେ ଡିଜିସିଏ ବୁଧବାର କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଏହାର ଜବାବ ଦେବାକୁ ୩ ସପ୍ତାହ ମହଲତ ଦିଆଯାଇଛି । ଅନ୍ୟପକ୍ଷରେ ଆଜି ବିସ୍ତାରା ଓ ଇଣ୍ଡିଗୋ ବିମାନରେ ମଧ୍ୟ ତ୍ରୁଟି ଦେଖାଦେଇଛି । ବିଭିନ୍ନ ବିମାନରେ ଏଭଳି ତ୍ରୁଟିକୁ ନେଇ ଡିଜିସିଏର ଚିନ୍ତା ବଢ଼ିଛି ।
ସ୍ପାଇସ୍ଜେଟ୍ର ସିଏମ୍ଡି ଅଜୟ ସିଂହ କହିଛନ୍ତି, ଯଦି ଡିଜିସିଏକୁ ସ୍ପାଇସ୍ଜେଟ୍ କମ୍ପାନିର ପ୍ରଣାଳୀରେ କୌଣସି ତ୍ରୁଟି ଥିବା ମନେହେଉଛି ତା’ ହେଲେ ତାକୁ ଦୂର କରାଯିବ । ସୂଚନାଥାଉ କି, ମଙ୍ଗଳବାର ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ୍ଜେଟ୍ ବିମାନର ଅଏଲ୍ ଇଣ୍ଡିକେଟର ଖରାପ ଥିବା ଜଣାପଡ଼ିିଥିଲା । ଏହାପରେ ବିମାନକୁ ପାକିସ୍ତାନର କରାଚୀରେ ଜରୁରିକାଳୀନ ଲ୍ୟାଣ୍ଡିଂ କରାଇବାକୁ ପଡ଼ିଥିଲା । ଏହାପରେ କାଙ୍ଗଡ଼ାରୁ ମୁମ୍ବାଇ ଅଭିମୁଖେ ବାହାରିଥିବା ସ୍ପାଇସ୍ଜେଟ୍ର ଅନ୍ୟ ଏକ ବିମାନର ୱିଣ୍ଡସିଲ୍ଡ କ୍ଷତିଗ୍ରସ୍ତ ହୋଇଥିବାରୁ ମୁମ୍ବାଇରେ ତାହା ପ୍ରାୟୋରିଟି ଲ୍ୟାଣ୍ଡିଂ କରିଥିଲା । ସେହିଦିନ ସ୍ପାଇସ୍ଜେଟ୍ର ଏକ ବୋଇଂ ୭୩୭ ଫ୍ରିଟର କାର୍ଗୋ ବିମାନର ୱେଦର ରାଡାର କାମ କରିବା ବନ୍ଦ କରିଦେଇଥିଲା । ବିମାନଟି କୋଲକାତାରୁ ଚୀନ୍ ଅଭିମୁଖେ ଯାଉଥିବାବେଳେ ୱେଦର ରାଡାର ଖରାପ ହେବା ଯୋଗୁ ତାକୁ ପୁଣି କୋଲକାତା ପଠାଯାଇଥିଲା । କୋଲକାତାରେ ତା’ର ସୁରକ୍ଷିତ ଲ୍ୟାଣ୍ଡିଂ ହୋଇଥିଲା ।
ସେପଟେ ଆଉ ଏକ ବିମାନ ଦୁର୍ଘଟଣା ଟଳିଛି । ବ୍ୟାଙ୍କକ୍ରୁ ଦିଲ୍ଲୀ ଫେରୁଥିବା ଭିସ୍ତାରା ଏୟାରଲାଇନ୍ସର ଏକ ବିମାନର ଗୋଟିଏ ଇଞ୍ଜିନ୍ ଫେଲ୍ ହୋଇଯିବାରୁ ବିମାନକୁ ସିଙ୍ଗଲ ଇଞ୍ଜିନ୍ରେ ଲ୍ୟାଣ୍ଡ କରାଯାଇଥିଲା । ଅବଶ୍ୟ ଏହି ସମୟରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ । ଭିସ୍ତାରା ଏୟାରଲାଇନ୍ସ ପକ୍ଷରୁ ଏକ ବୟାନ ଜାରି କରାଯାଇ ଇଞ୍ଜିନ୍ ଖରାପ ହୋଇଥିବା ସମ୍ପର୍କରେ ସୂଚନା ଦିଆଯାଇଛି । ବିସ୍ତାରାର ଭିଟି-ଟିଏନ୍ଜେଡ୍ ନମ୍ବରର ବିମାନକୁ ଏୟାରବସ୍ ଏ-୩୨୯ ବିମାନ ଦ୍ୱାରା ପରିଚାଳନା କରାଯାଉଥିଲା । ବିମାନ ଇଞ୍ଜିନ୍ର ଇଲେକ୍ଟ୍ରିକ୍ ସିଷ୍ଟମ୍ରେ ସମସ୍ୟା ରହିଥିଲା । ଫଳରେ ଏହା ବନ୍ଦ ହୋଇଯାଇଥିଲା ।
ଏହାଛଡ଼ା ଇଣ୍ଡିଗୋ ଏୟାରଲାଇନ୍ସର ରାୟପୁର-ଇନ୍ଦୋର ବିମାନରେ ମଙ୍ଗଳବାର ଧୂଆଁ ଦେଖିବାକୁ ମିଳିଥିଲା । ଅବତରଣ ପରେ ବିମାନର କ୍ୟାବିନ୍ରୁ ଧୂଆଁ ବାହାରୁଥିବା କ୍ରୁ ସଦସ୍ୟ ଦେଖିଥିବା ଡିଜିସିଏ ଅଧିକାରୀମାନେ କହିଛନ୍ତି । ଏହି ସମୟରେ ବିମାନଟି ଟ୍ୟାକ୍ସି-ବେ ଉପରେ ରହିଥିଲା । ଏୟାରବସ୍ ଏ-୩୨୦ ନିଓ ବିମାନ ଦ୍ୱାରା ଏହି ଉଡ଼ାଣ ପରିଚାଳିତ ହେଉଥିଲା । ଏହି ଘଟଣାରେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ଏ ବାବଦରେ ଡିଜିସିଏ ପକ୍ଷରୁ ତଥ୍ୟ ଲୋଡ଼ାଯାଇଛି । ତେବେ ଭବିଷ୍ୟତରେ ସମ୍ଭାବ୍ୟ ଅଘଟଣକୁ ନେଇ ଚିନ୍ତା ବୃଦ୍ଧି ପାଇଛି ।