’ଏ ୱତନ ମେରେ ୱତନ’ର ଟ୍ରେଲର ରିଲିଜ୍‌, ସ୍ୱାଧୀନତା ସଂଗ୍ରାମୀ ଉଷା ମେହତାଙ୍କ ଭୂମିକାରେ ସାରା ଅଲି ଖାନ୍‌

Published By : Prameya-News7 Bureau | March 05, 2024 IST

ମୁମ୍ଵାଇ ୦୫।୦୩: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ବ୍ୟାନର ଅଧୀନରେ ନିର୍ମିତ ଫିଲ୍ମ  ‘ଏ ୱତନ ମେରେ ୱତନ’ର ଟ୍ରେଲର ରିଲିଜ୍‌ ହୋଇଛି । ଏଥିରେ  ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସାରା ଅଲି ଖାନ୍‌ । ଏହି  ଫିଲ୍ମରେ ସେ ପ୍ରଥମ ଥର ଇମ୍ରାନ ହାଶମିଙ୍କ ସହ କାମ  କରିଛନ୍ତି । ବାସ୍ତବ ଘଟଣା ଉପରେ ପର୍ଯ୍ୟବସିତ ଏହି  ଫିଲ୍ମରେ ସ୍ୱାଧୀନତା ସଂଗ୍ରାମୀ ଉଷା ମେହତାଙ୍କ  ଜୀବନୀକୁ ପରଦାରେ ଦେଖିବାକୁ ପାଇବେ  ସିନେପ୍ରେମୀ । କନନ ଅୟରଙ୍କ ନିର୍ଦ୍ଦେଶିତ ଏହି  ଫିଲ୍ମ ଆସନ୍ତା ୨୧ ତାରିଖର ଓଟିଟି ପ୍ଲାଟ୍‌ଫର୍ମ ପ୍ରାଇମ୍‌  ଭିଡିଓରେ ମୁକ୍ତିଲାଭ କରିବ । ଫିଲ୍ମର ଟ୍ରେଲର୍‌ରେ ସ୍ୱାଧୀନତା-ପୂର୍ବର ଝଲକ୍‌  ଦେଖିବାକୁ ମିଳିଛି । ଏଥିରେ ଆରମ୍ଭରୁ ଶେଷ  ପର୍ଯ୍ୟନ୍ତ ସାରା ଛାଇଛନ୍ତି ।

୧୯୪୨ ମସିହା  ଭାରତ ଛାଡ଼ ଆନ୍ଦୋଳନ ସମୟର ଘଟଣା  ଫିଲ୍ମରେ ଦେଖିବାକୁ ମିଳିବ । ବମ୍ବେର  ୨୨ ବର୍ଷୀୟା କଲେଜ ଝିଅ ଉଷା ମେହତା  (ସାରା) ଗାନ୍ଧିବାଦୀ ବିଚାର ଦ୍ୱାରା ପ୍ରେରିତ  ହୋଇ ଦେଶର ସ୍ୱାଧୀନତା ସଂଗ୍ରାମରେ ଭାଗ  ନେଇଛନ୍ତି । ସେ ଗୋପନରେ ଏକ ରେଡିଓ  ଷ୍ଟେସନ୍‌ ଚଳାଇ ଏହି ସଂଗ୍ରାମରେ ନିଜର  ଯୋଗଦାନ ଦେଇଛନ୍ତି । ଧୀରେ ଧୀରେ ଏହି  ରେଡିଓ ଷ୍ଟେସନ୍‌ ଭାରତଛାଡ଼ ଆନ୍ଦୋଳନର  ବହ୍ନିକୁ ପ୍ରଜ୍ଜ୍ୱଳିତ କରିବାର ସବୁଠୁ ବଡ଼ ମାଧ୍ୟମ  ହୋଇଛି । ସାରାଙ୍କ ଉପରେ ଫିଲ୍ମଟି ସମ୍ପୂର୍ଣ୍ଣ ରୂପେ  ନିର୍ଭରଶୀଳ । ତାଙ୍କ ସହ ‘ଲାପତା ଲେଡିଜ୍‌’ ଫେମ୍‌  ସ୍ପର୍ଶ ଶ୍ରୀବାସ୍ତବଳ ସଚିନ ଖେଡ଼େକର ଓ ଆଲେକ୍ସ  ଓ ନୀଲ ଅଭିନୟ କରିଛନ୍ତି ।

ଇମ୍ରାନ ଏଥିରେ ଅତିଥି  କଳାକାର ଭାବେ ନଜର ଆସିବେ । ଟ୍ରେଲର୍‌ରେ ତାଙ୍କ  ଭୂମିକା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ତାଙ୍କୁ ସହଜରେ  ଚିହ୍ନି ହେଉନାହିଁ । ସୂଚନାଯୋଗ୍ୟ, ଉଷା ମେହତା ଜଣେ  ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୯୨୦  ମସିହା, ମାର୍ଚ୍ଚ ୨୫ ତାରିଖରେ ଗୁଜରାଟର ସୁରଟରେ  ସେ ଜନ୍ମଗ୍ରହଣ କରିଥିଲେ । ୮ ବର୍ଷ ବୟସରେ  ସେ ସାଇମନ୍‌ କମିଶନ ପ୍ରତିବାଦ ଯାତ୍ରାରେ ଭାଗ  ନେଇଥିଲେ । ତା’ପରେ ସ୍ୱାଧୀନତା ସଂଗ୍ରାମରେ  ସକ୍ରିୟ ଭୂମିକା ନିର୍ବାହ କରିଥିଲେ । ମହାତ୍ମା  ଗାନ୍ଧିଙ୍କ ନେତୃତ୍ୱରେ ସେ ରେଡିଓ ପ୍ରସାରଣ  ଓ ବାର୍ତ୍ତା ପ୍ରସାର କାମ କରୁଥିଲେ । ତାଙ୍କର  ପ୍ରମୁଖ କର୍ମକ୍ଷେତ୍ର ଥିଲା ଆଜାଦ ରେଡିଓ,  ଯାହା ୧୯୪୨-୧୯୪୪ ମସିହା ପର୍ଯ୍ୟନ୍ତ  ଚାଲିଥିଲା । ବ୍ରିଟିଶ ସରକାର ବିରୋଧରେ  ଖବର ପ୍ରସାରଣ ଆୟୋଜନରେ  ଉଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ  କରିଥିଲେ । ୧୯୯୮ ମସିହାରେ  ଭାରତ ସରକାର ତାଙ୍କୁ ପଦ୍ମ  ବିଭୂଷଣ ଦ୍ୱାରା ସମ୍ମାନିତ  କରିଥିଲେ ।  

wp:embed {"url":"https://www.prameyanews7.com/anant-radhika-pre-wedding-function-ram-charan-makeup-artist-angry/","type":"wp-embed","providerNameSlug":"prameya-news-7"}
https://www.prameyanews7.com/anant-radhika-pre-wedding-function-ram-charan-makeup-artist-angry/
/wp:embed

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.