ଦିଲ୍ଲୀ ମଦ ଦୁର୍ନୀତି ମାମଲା: ସଞ୍ଜୟ ସିଂହଙ୍କ ଜାମିନ ନିବେଦନ ଉପରେ EDଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | February 26, 2024 IST

ନୂଆଦିଲ୍ଲୀ ୨୬।୨: ଉଚ୍ଚତମ ନ୍ୟାୟାଳୟ ଦିଲ୍ଲୀ ଆବକାରୀ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଆମ ଆଦମୀ ପାର୍ଟି(ଆପ) ନେତା ସଞ୍ଜୟ ସିଂହ ଙ୍କ ଜାମିନ ନିବେଦନ ଉପରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଙ୍କୁ ଜବାବ ତଲବ କରିଛନ୍ତି। ସୁପ୍ରମକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କ ପୀଠ ସେହି ପିଟିସନ ଉପରେ ସଂଘୀୟ ଏଜେନ୍ସୀଙ୍କୁ ନୋଟିସ୍ ଜାରି କରିଛନ୍ତି, ଯେଉଁଥିରେ ସିଂହ  ଜାମିନ ନ ମିଳିବାରୁ  ଦିଲ୍ଲୀ ଉଚ୍ଚ ନ୍ୟାୟାଳଙ୍କ ଆଦେଶକୁ ଚାଲେଞ୍ଜ କରିଛନ୍ତି।

ସଞ୍ଜୟ ସିଂହଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଓକିଲ ଅଭିଷେକ ମନୁ ସିଂଘବୀ ଜାମିନ ନିବେଦନ ଉପରେ ନୋଟିସ୍ ଜାରି କରିବାକୁ ଅନୁରୋଧ କରିବା ସହ ପିଟିସନକୁ ଲମ୍ବିତ ମାମଲା ସହ ସଂଲଗ୍ନ କରିବାକୁ ମଧ୍ୟ ନିବେଦନ କରିଛନ୍ତି। ସିଂଘବୀ କହିଛନ୍ତି ଯେ ଲମ୍ବିତ ମାମଲା ଉପରେ ମାର୍ଚ୍ଚ ୫ ତାରିଖ ଦିନ ଶୁଣାଣି ହେବ ଏଥି ପାଇଁ ଉଭୟ ମାମଲାକୁ ଏକ ସଙ୍ଗରେ ଶୁଣାଣି କରିବାକୁ ନିବେଦନ କରିଛନ୍ତି। ପୀଠ ଏହି ଅନୁରୋଧକୁ ସ୍ୱୀକାର କରିବା ସହ ଉଭୟ ପିଟିସନ ଉପରେ ଏକ ସଙ୍ଗରେ ଶୁଣାଣି ହେବ ବୋଲି କହିଛନ୍ତି।

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଫେବୃଆରୀ ୭ ତାରିଖ ଦିନ ସଞ୍ଜୟ ସିଂହଙ୍କ ଜାମିନ ନିବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ତେବେ ନିମ୍ନ ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିବାରୁ ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସିଂହ ପୁଣି ଥରେ ଦିଲ୍ଲୀରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିଂହଙ୍କୁ ମାମଲାରେ ୨୦୨୩ ଅକ୍ଟୋବର ୪ ତାରିଖ ଦିନ ଗିରଫ କରିଥିଲେ। ସେବେଠାରୁ ସେ ଜେଲରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.