ଘନଉଛି ବିପଦ ! କେଦାରନାଥ ଯାତ୍ରା ଉପରେ ରୋକ୍‌, ଚାରଧାମ୍‌ ଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀ କଲେ ଏହି ଅପିଲ୍‌

Published By : Prameya-News7 Bureau | October 17, 2021 IST

ଡେରାଡୁନ୍‌ ୧୭/୧୦: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସମସ୍ତ ବିଭାଗକୁ ଆଲର୍ଟ କରିଛନ୍ତି । ଉତ୍ତରାଖଣ୍ଡ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗକୁ ଦେଖି ଯାତ୍ରା ପାଇଁ ଯୋଜନା କରିବାକୁ କୁହାଯାଇଛି। ଏଭଳି ସମୟରେ ଯାତ୍ରା ନକରିବାକୁ ମଧ୍ୟ ସରକାର ଲୋକମାନଙ୍କୁ ନିବେଦନ କରିଛନ୍ତି। ଅଯୋଧ୍ୟରେ ରହି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ  ସହ ଫୋନ୍‌ରେ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ଧାମି ।

ଏହା ସହ କୌଣସି ଘଟଣା ଘଟିଲେ ଖୁବଶୀଘ୍ର ପହଞ୍ଚିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଦରକାର ପଡ଼ିଲେ ପ୍ରଭାବିତଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଚାରଧାମ ଯାତ୍ରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଏବେ ମୁଖ୍ୟମନ୍ତ୍ରୀ ଧାମି ଦୁଇ ଦିନିଆ ଅଯୋଧ୍ୟା ଗସ୍ତରେ ଅଛନ୍ତି। ଆଜି ସନ୍ଧ୍ୟାରେ ସେ ଡେରାଡୁନ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଅନ୍ୟପଟେ ରବିବାରୁଠୁ ୩ ଦିନ ଉତ୍ତରାଖଣ୍ଡର ଚାରଧାମ ଏବଂ ଅନ୍ୟାନ୍ୟ ପାର୍ବତ୍ୟାଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।

ଏହା ସହ  ସେହି ସବୁ ଅଞ୍ଚଳର ଲୋକ, ଯାତ୍ରୀଙ୍କୁ ନଦୀ, ନାଳ ଆଦିରୁ ନିଜକୁ ଦୂରେଇ ରଖିବାକୁ କୁହାଯାଇଥିବା ବେଳେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପାଣିପାଗ ବିଭାଗ ଅପିଲ୍‌ ମଧ୍ୟ କରିଛି। ଚାରଧାମ ଯାତ୍ରା ପାଇଁ ଯାଇଥିବା ଯାତ୍ରୀଙ୍କୁ ନିଜ ନିଜ ସ୍ଥାନରେ ରହିଯିବାକୁ ସରକାର କହିଥିବା ବେଳେ କେଦାରନାଥ ଧାମରେ ଅଟକିଥିବା ଶ୍ରଦ୍ଧାଳୁଙ୍କୁ ଶୀଘ୍ର ଫେରିବାକୁ କୁହାଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୩ ଦିନ ପ୍ରବଳ ବର୍ଷା ନେଇ ଆଲର୍ଟ କରାଯିବା ପରେ କିଛି ଦିନ ପାଇଁ ଚାରଧାମ ଯାତ୍ରା ସ୍ଥଗିତ ରଖିବାକୁ ଶ୍ରଦ୍ଧାଳୁଙ୍କୁ ରବିବାର ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। ଏହା ସହ ସ୍ଥାନୀୟ ପ୍ରଶାସନ କେଦାରନାଥ ଯାତ୍ରା ଉପରେ ଅସ୍ଥାୟୀ ରୋକ ଲଗାଇଦେଇଛି । ଶନିବାର ୧୬ ହଜାର ୩୩୮ଜଣ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି । ଏବେ ସୁଦ୍ଧା ୮୫-୯୦ ହଜାର ତୀର୍ଥଯାତ୍ରୀ କେଦାରନାଥ ଧାମରେ ପହଞ୍ଚିଛନ୍ତି । ପାଣିପାଗ ବିଭାଗର ଚେତାବନୀ ପରେ ଏବେ ଯାତ୍ରୀମାନଙ୍କୁ ସେଠାକୁ ନଯିବାକୁ କୁହାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.